-+91-9937148622 |
prerana_bgr@rediffmail.com |
Tuesday 24th November 2026 |
R.N.I. Regd No. ODIODI/2010/46693
Breaking News
24-Nov-2026
ରିପୋର୍ଟ: ମଳୟ ମିଶ୍ର
ବଲାଙ୍ଗିର/ଦେଓଗାଁ: ଦେଓଗାଁ' ବ୍ଲକରେ ୧୫ଦଶ ଅର୍ଥ କମିଶନ ଓ ପଞ୍ଚମ ସିଏଫସିର ଅର୍ଥରେ ରାସ୍ତା ଆଲୋକୀକରଣରେ ନିମ୍ନମାନର ସରଞ୍ଜାମ ଲଗାଯାଇ ଲକ୍ଷାଧିକଟଙ୍କାର ଦୁର୍ନୀତି କରାଯାଇଥିବାର ଧରାପଡିଛି । ଏ ସମ୍ପର୍କରେ ନେହେରୁ ଦୀପ ନାମକ ଜଣେ ଗ୍ରାମବାସୀ ସୂଚନା ଅଧିକାର ବଳରେ ମାଗିଥିବା ତଥ୍ୟ ରେ ଏହା ଜଣାପଡିବା ପରେ ତାଙ୍କ ପକ୍ଷରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରା ଯାଇଥିଲା । ଜିଲ୍ଲାପାଳ ଏହାର ତଦନ୍ତ ନିମନ୍ତେ ଦେଓଗାଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଲାପରେ ଏ ସମ୍ପର୍କରେ ତଦନ୍ତ ପୂର୍ବକ ଉକ୍ତ କାମର ଦାୟିତ୍ବରେ ରହିଥିବା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପତ୍ର ଦ୍ବାରା କୈଫିୟତ୍ ମଗାଯାଇଥିବା ଓ ଏହା ତାଙ୍କଠାରୁ ଭରଣା କରାଯିବ ବୋଲି ବିଡିଓ ପ୍ରିୟରଞ୍ଜନ କୁମାରଙ୍କ ଠାରୁ ପ୍ରକାଶ । ଅଭିଯୋଗ ଅନୁଯାୟୀ, ଗତ ୨୦୨୪-୨୫ ବର୍ଷରେ ସ୍ଥାନୀୟ ଦେଓଗାଁ ଭଞ୍ଜପଡା ଠାରୁ ବ୍ଲକ୍ ରାସ୍ତା ଓ ପୂର୍ତ୍ତବିଭାଗର ରାସ୍ତାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ହାଇମାଷ୍ଟ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ୨୮ଟି ଖୁଣ୍ଟରେ ଲଗାଯାଇଥିବା ୯୦ ୱାଟ୍ ର ଏଲ ଇଡି ବଲ୍, ପଲିକ୍ୟାବ୍ କେବୁଲ୍, ନଟ୍ ବୋଲ୍ଟ୍, ସୁଇଚ୍ ଆଦି ସରଞ୍ଜାମ ଗୁଡିକ ପାନାସୋନିକ୍ କମ୍ପାନୀର ଦର୍ଶାଯାଇ ନିମ୍ନମାନର ନକଲି ସରଞ୍ଜାମ ଓ କମ ପରିମାଣର ଲଗାଯାଇ ମୋଟ ୪ ଲକ୍ଷ ୬୬ ହଜାର ୮୦୦ଟଙ୍କାର ବିଲ୍ ଉଠାଇ ନିଆଯାଇଛି । ଏହି ସାମଗ୍ରୀ ଗୁଡିକ କଣ୍ଟାବାଞ୍ଜି ସାପ୍ତାହିକ ବଜାର ଠାରେ ଥିବା ଗୋଲଡେନ୍
ଇଲେକ୍ଟ୍ରିକାଲ୍ସରୁ କିଣାଯାଇ ଥିବା ରସିଦ୍ ରେ ଉଲ୍ଲେଖ ରହିଛି । ଏହା ସଂପ୍ରତି ଏଠାରୁ ଅବସରଗ୍ରହଣ କରି ଚାଲି ଯାଇଥିବା କନିଷ୍ଠଯନ୍ତ୍ରୀ ପ୍ରଶାନ୍ତ ନାଏକଙ୍କ ତଦାରଖରେ ଜନୈକ ରମାକାନ୍ତ ମହାପାତ୍ର ଯୋଗାଇ ଥିବା ପ୍ରକାଶ । ଏବେ ଉଭୟଙ୍କର ପତ୍ତା ମିବୁନାହିଁ ! ସେହିପରି ସହକାରୀ ଯନ୍ତ୍ରୀ କୁଳମଣୀ ଭୋଇ ମଧ୍ୟ ତାଙ୍କ କାନ୍ଧରୁ ଦାୟିତ୍ବ ଖସାଇ ସବୁ କନିଷ୍ଠଯନ୍ତ୍ରୀଙ୍କ ଦୋଷ ବୋଲି ସଫେଇ ଦେଇଥିବା ପ୍ରକାଶ । ଅନ୍ୟପକ୍ଷରେ ଏହା ତାଙ୍କ ଦୋକାନରୁ କିଣାଯାଇ ନାହିଁ ଓ ତାଙ୍କର ବିଲ୍ ନୁହେଁ ବୋଲି ଉକ୍ତ ଦୋକାନୀ ଶ୍ରବଣ ଅଗ୍ରୱାଲ୍ ଏବେ ମନା କରୁଛନ୍ତି ! ଏହି ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ହୋଇପଡିଛି ।
ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତଦନ୍ତ ନିର୍ଦ୍ଦେଶ ପରେ ଏହି ବିଲ୍ ତାଙ୍କ ସମୟରେ ପେମେଣ୍ଟ କରା ଯାଇଥିଲେ ହେଁ , ବିଡିଓ ଏହା ତତ୍କାଳୀନ କନିଷ୍ଠଯନ୍ତ୍ରୀଙ୍କ ଠାରୁ ରିକଭରି କରାଯିବ ବୋଲି କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଅନ୍ୟତ୍ର ଏଭଳି ଦୁର୍ନୀତି କରି ଅଭିଯୁକ୍ତ କର୍ମଚାରୀମାନେ ଜେଲ୍ ଯାଉ ଥିବା ବେଳେ ଏଠାରେ ଏଭଳି ଠକେଇ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଉନାହିଁ କାହିଁକି ? କେବଳ ଜଣକ ଠାରୁ ଅର୍ଥଭରଣା କରିଦେଇ ଅନ୍ୟ ସହଅଭିଯୁକ୍ତ ମାନେ ଖସିଯାଉଥିବା କେତେଦୂର ଠିକ୍ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?
ଏହି ବିଲ୍ ଟି କେଉଁ କେଉଁ ଅଧିକାରୀଙ୍କ ଦ୍ବାରା ନିରୀକ୍ଷଣ ଓ ଅନୁମୋଦିତ ହୋଇଥିଲା ? ଏଭଳି ଇଲେକ୍ଟ୍ରିକ୍ ସରଞ୍ଜାମ ଯୋଗାଉଥିବା ଦୋକାନୀମାନେ କେତେ ସଚ୍ଚୋଟ ? ଏହି ଲକ୍ଷାଧିକ ଟଙ୍କାର ବିଲ୍ ଟି କେବଳ ଜଣେ ଅଧିକାରୀଙ୍କ ଦ୍ବାରା, ଜଣେ ଠିକଣାବିହୀନ ଯୋଗାଣକାରୀଙ୍କ ଦ୍ବାରା ଓ ଏକ ତଥାକଥିତ ନକଲି ରସିଦ୍ ରେ କିପରି ପାସ୍ ହୋଇଛି, ଏସବୁକୁ ତଦନ୍ତର ପରିସରଭୁକ୍ତ କରାଯିବ କି ?
ସର୍ବୋପରି ଏଭଳି ଦୁର୍ନୀତି କେବଳ ଏହି ଦେଓଗାଁ ବ୍ଲକ ରେ ହୋଇଛି ନା ଅନ୍ୟାନ୍ୟ ବ୍ଲକରେ ଘଟିଛି, ଏହାର ଏକ ତଦନ୍ତ ସରକାର କରାଇବେ କି ?