-+91-9937148622 |
prerana_bgr@rediffmail.com |
Saturday 21st November 2026 |
R.N.I. Regd No. ODIODI/2010/46693
Breaking News
20-Nov-2026
ଭୁବନେଶ୍ୱର(ମୁରଲୀଧର ମିଶ୍ର): ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଡାକ୍ତର ମାନେ ହେଲେ ଡା. ପ୍ରଭାକର ବେହେରା, ମେଡିକାଲ ଅଫିସର, ସିଏଚ୍ସି ଗମ୍ଭାରୀମୁଣ୍ଡା, ଖୋର୍ଦ୍ଧା ଜିଲ୍ଲା, ଡା. ତମନ୍ନା ପ୍ରିୟଦର୍ଶିନୀ, ମେଡିକାଲ ଅଫିସର, ପିଏଚ୍ସି ଗାଜଲବାଡ଼ି, ଗଞ୍ଜାମ ଜିଲ୍ଲା ଏବଂ ଡା.ସୁପ୍ରକାଶ ଦାସ, ମେଡିକାଲ ଅଫିସର, ଏସ୍ଡିଏଚ୍ ଆସିକା, ଗଞ୍ଜାମ ଜିଲ୍ଲା ।
ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି।
ଡା. ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଆଚରଣ ବିଧି ଉଲଂଘନ କରିଥିବାରୁ ନିଲମ୍ବିତ ହୋଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଲେଖିଥିବାରୁ ବିଭାଗ ତାଙ୍କ ବିରୋଧରେ ପଦକ୍ଷେପ ନେଇଛି । ସେହିପରି ଡା. ତମନ୍ନା ପ୍ରିୟଦର୍ଶିନୀ, ଡା. ସୁପ୍ରକାଶ ଦାସ ବାତ୍ୟା “ଅର୍ଣ୍ଣବ ” ବେଳେ ଅନଧିକୃତ ଭାବେ ଛୁଟିରେ ଥିଲେ । ମାନ୍ୟବାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ସେମାନେ ଅନୁପସ୍ଥିତ ଥିଲେ ।
ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଖୋର୍ଦ୍ଧା ଏବଂ ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ସିଟି ହସ୍ପିଟାଲ, ବ୍ରହ୍ମପୁର ରହିବ। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି।