-+91-9937148622 |
prerana_bgr@rediffmail.com |
Saturday 21st November 2026 |
R.N.I. Regd No. ODIODI/2010/46693
Breaking News
20-Nov-2026
ଟିଟିଲାଗଡ଼:ଗରିବ ଓ ଅସହାୟ ପରିବାରଙ୍କ ଜୀବନଜୀବିକାର ମାନଦଣ୍ଡରେ ଉନ୍ନତି ଆଣିବା ସହ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆଜି ଆକ୍ସନ ଏଡ ଇଣ୍ଡିଆ ଓ ଲୋକ ବିକାଶ ଅଭିଯାନ, ବଲାଙ୍ଗୀର ପକ୍ଷରୁ ଏକ ମାଗଣା ଛେଳି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଯୋଜନା ଅନ୍ତର୍ଗତ କରାଯାଇଥିବା ଦାରିଦ୍ର୍ୟ ବିଶ୍ଳେଷଣ ଆଧାରରେ ସମାଜର ଅତ୍ୟନ୍ତ ଅବହେଳିତ ଓ ଆର୍ଥିକ ଦୁର୍ବଳ ୫୦ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରକୁ ଚୟନ କରାଯାଇଥିଲା। ଏଥିରେ ବିଧବା
ମହିଳା, ଭୂମିହୀନ ପରିବାର, ଦାଦନ ଶ୍ରମିକ ପରିବାର ଏବଂ ଭିନ୍ନକ୍ଷମ ସଦସ୍ୟ ଥିବା ପରିବାରଗୁଡ଼ିକୁ ପ୍ରାଥମିକତା ଦିଆଯାଇଥିଲା। ପ୍ରତ୍ୟେକ ହିତାଧିକାରୀ ପରିବାରକୁ ମାଗଣାରେ ୨ଟି ଲେଖାଏଁ ଛେଳି ପ୍ରଦାନ କରାଯାଇଥିଲା। ଏହିପରି ମୋଟ ୨୫ ଟି ପରିବାରକୁ ୫୦ ଟି ଛେଳି ବଣ୍ଟନ କରାଯାଇଥିଲା।
ବାଞ୍ଜିପଦର ଓ ବିଜେପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତରାସିଂହ, ମଥନପାଲି, ଦଙ୍ଗାପଟା, ବେଲପଡ଼ା ଓ ବାଞ୍ଜିପଦର ଆଦି ୫ଟି ଗ୍ରାମର ଚୟନିତ ପରିବାରଗୁଡ଼ିକୁ ଏହି ସହାୟତା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆକ୍ସନ ଏଡ ଆସୋସିଏସନର ଆସୋସିଏଟ୍ ଡ଼ାଇରେକ୍ଟର ଶ୍ରୀଯୁକ୍ତ ଦେବବ୍ରତ ପାତ୍ର, ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ପାଲ ଏବଂ ପ୍ରୋଗ୍ରାମ ଲିଡ୍ ଶ୍ରୀମତୀ ଲୋପାମୁଦ୍ରା ବେହେରା ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଛେଳି ବଣ୍ଟନ କରିଥିଲେ।
ଏହି ଅବସରରେ ଜୀବିକା ସହାୟତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛେଳି ପାଳନ ମାଧ୍ୟମରେ ପରିବାରଗୁଡ଼ିକ କିପରି ନିଜସ୍ୱ ଆୟ ବୃଦ୍ଧି କରିପାରିବେ ଏବଂ ଆର୍ଥିକ ଅନିଶ୍ଚିତତାରୁ ମୁକ୍ତ ହୋଇପାରିବେ, ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା।
ଆକ୍ସନ ଏଡ ଓ ଲୋକ ବିକାଶ ଅଭିଯାନର ଏହି ପଦକ୍ଷେପ ଗ୍ରାମାଞ୍ଚଳର ଅତ୍ୟନ୍ତ ଗରିବ, ଅବହେଳିତ ଓ ବଞ୍ଚିତ ପରିବାରଗୁଡ଼ିକର ଜୀବିକା ସୁଦୃଢ଼ କରିବା ସହ ମହିଳା ଓ ଦୁର୍ବଳ ବର୍ଗଙ୍କ ଆର୍ଥିକ ସ୍ୱାଧୀନତା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।