-+91-9937148622 |
prerana_bgr@rediffmail.com |
Saturday 21st November 2026 |
R.N.I. Regd No. ODIODI/2010/46693
Breaking News
20-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମର ଉପରପଡ଼ା ପୂଜାମଣ୍ଡପରେ ଚାଲିଥିବା ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣର ତୃତୀୟ ଦିନ ଶୁକ୍ରବାର ସମୁଦ୍ର ମନ୍ଥନ ପ୍ରସଙ୍ଗ ଉପରେ ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ବ୍ୟାସ ଅଭିଷେକ ମିଶ୍ର (ସିକୁନ) ସମୁଦ୍ର ମନ୍ଥନର ଆଧ୍ୟାତ୍ମିକ ତତ୍ତ୍ୱକୁ ସରଳ ଭାଷାରେ ଶ୍ରୋତାମାନଙ୍କୁ ବୁଝାଇଥିଲେ। ପାରାୟଣରେ କୁହାଯାଇଥିଲା ଯେ, ଦେବତା ଓ ଅସୁରଙ୍କ ମିଳିତ ଉଦ୍ୟମରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀ ନାଗକୁ ରଜ୍ଜୁ କରି କ୍ଷୀର ସାଗର ମନ୍ଥନ କରାଯାଇଥିଲା। ଏହି ମନ୍ଥନରୁ ପ୍ରଥମେ ହଳାହଳ ବିଷ ବାହାରିଥିଲା, ଯାହାକୁ ଭଗବାନ ଶିବ ପାନ କରି ସୃଷ୍ଟିକୁ ରକ୍ଷା କରିଥିଲେ। ପରେ ପରେ ଲକ୍ଷ୍ମୀ,କୌସ୍ତୁଭ ମଣି, କାମଧେନୁ,ଐରାବତ,କଳ୍ପବୃକ୍ଷ ସମେତ ଚତୁର୍ଦ୍ଦଶ ରତ୍ନ ପ୍ରକଟ ହୋଇଥିଲେ। ଶେଷରେ ଧନ୍ଵନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ।
ବ୍ୟାସ ଶ୍ରୀ ମିଶ୍ର କହିଥିଲେ, ସମୁଦ୍ର ମନ୍ଥନ କେବଳ ଏକ ପୌରାଣିକ କଥା ନୁହେଁ, ଏହା ମଣିଷ ଜୀବନର ପ୍ରତୀକ। ମଣିଷ ମନ ହେଉଛି ସମୁଦ୍ର, ଭକ୍ତି ହେଉଛି ମନ୍ଥନ ଦଣ୍ଡ। ଜୀବନରେ ମନ୍ଥନ କଲେ ପ୍ରଥମେ ଦୁଃଖ, କଷ୍ଟ ରୂପକ ବିଷ ଆସେ, କିନ୍ତୁ ଧୈର୍ଯ୍ୟ ରଖିଲେ ଶେଷରେ ଅମୃତ ରୂପକ ଶାନ୍ତି ଓ ଭଗବତ୍ ପ୍ରାପ୍ତି ହୁଏ। ଭଗବାନ ବିଷ୍ଣୁଙ୍କ କୂର୍ମ ଅବତାର କଥା ଶୁଣି ଶ୍ରୋତାମାନେ ଭାବବିହ୍ଵଳ ହୋଇପଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଟିର ଦାଶ ପୂଜକ ଦାୟିତ୍ଵ ତୁଲାଇଥିଲେ । ଏହି ଅବସରରେ ଭଜନ,କୀର୍ତ୍ତନ ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ।