-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ନୂଆପଡା(ପ୍ରେରଣା ଖବର ): ଦାଦନ ସମସ୍ୟାର ମୁକାବିଲା, ସ୍ଥାନୀୟ ଜୀବିକା ଓ ନିଯୁକ୍ତି ସୁଯୋଗ ସୃଷ୍ଟି, ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ତଥା ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ ‘ନୂଆପଡ଼ା ଉନ୍ମେଷ’। ଆଜି କୋମନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅନ୍ୟା ଦାସ ଏହି ସ୍ୱତନ୍ତ୍ର ସମନ୍ୱିତ ଜନସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥ, ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାନୀ ମିତ୍ର, ଉପଜିଲ୍ଲାପାଳ ସୁର୍ମି ସୋରେନ, ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇ ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୁବିଧା ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରମ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ବିବାହ ସହାୟତା, ଶିକ୍ଷା ସହାୟତା ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣକାରୀ ସହାୟତା ବଣ୍ଟନ ସହ ଶ୍ରମିକ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗ ପକ୍ଷରୁ ଯୋଜନା ସମ୍ପର୍କିତ ସୂଚନା, ନୂତନ ପଞ୍ଜୀକରଣ, ଆବେଦନ ଗ୍ରହଣ ଓ ସରକାରୀ ସେବା ଯୋଗାଇ ଦିଆଯାଇଥିଲା।
‘ନୂଆପଡ଼ା ଉନ୍ମେଷ’ ଜିଲ୍ଲାର ପ୍ରତ୍ୟେକ ସୋମବାର ଆୟୋଜିତ ଜନଅଭିଯୋଗ ଶୁଣାଣି ଦିବସ ସହ ସମନ୍ୱିତ ଭାବେ ଆୟୋଜନ କରାଯିବ। ଏହା ମାଧ୍ୟମରେ ଗୋଟିଏ ସ୍ଥାନରେ ବିଭିନ୍ନ ବିଭାଗର ସେବା ଉପଲବ୍ଧ ହେବା ସହ ଯୋଜନା ସମ୍ପର୍କରେ ସଚେତନତା, ନୂତନ ପଞ୍ଜୀକରଣ, ପୁରୁଣା ପଞ୍ଜୀକରଣର ନବୀକରଣ, ଆବେଦନ ଗ୍ରହଣ ଓ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ କାର୍ଡର ନବୀକରଣ, ଇ-ଶ୍ରମ କାର୍ଡ ପଞ୍ଜୀକରଣ, ପ୍ରବାସୀ ଶ୍ରମିକ ପରିବାରଙ୍କ ଚିହ୍ନଟ ଓ ଯୁବକଯୁବତୀଙ୍କ ଦକ୍ଷତା ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ସୁଯୋଗ ସହ ସଂଯୋଗ କରାଯିବ। ମନରେଗା ଅଧୀନରେ ନୂତନ ଜବ୍ କାର୍ଡ, ନିଯୁକ୍ତି ପାଇଁ ଚାହିଦା ପଞ୍ଜୀକରଣ ଓ ଜୀବିକାଭିତ୍ତିକ କାର୍ଯ୍ୟ ଚିହ୍ନଟ କରାଯିବ।ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ସଂଯୋଗ ଓ ଛେଳି ପାଳନ,
ପନିପରିବା ଚାଷ ଆଦି ଆୟବର୍ଦ୍ଧକ କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ Agri-Stack, ପିଏମ୍-କିଷାନ, ସିଏମ୍-କିଷାନ ଏବଂ ଅନ୍ୟାନ୍ୟ ଯୋଜନାରେ ସହାୟତା ପ୍ରଦାନ କରାଯିବ। ଏଥିସହ ଶିକ୍ଷା ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବିଦ୍ୟାଳୟରୁ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ଚିହ୍ନଟ, ପୁନଃ ନାମଲେଖା, ଛାତ୍ରବୃତ୍ତି ଓ ଛାତ୍ରାବାସ ସୁବିଧା ସମ୍ପର୍କରେ ସହାୟତା ଦିଆଯିବ। ରାଜସ୍ୱ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟ ଓ ଜାତି ପ୍ରମାଣପତ୍ର, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପାଇଁ ପଞ୍ଜୀକରଣ, ଦିବ୍ୟାଙ୍ଗ ପ୍ରମାଣପତ୍ର, UDID କାର୍ଡ, ଆଧାର ଓ ବ୍ୟାଙ୍କ ଖାତା ସଂଯୋଜନ ଆଦି ସେବା ଯୋଗାଇ ଦିଆଯିବ।
ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ସ୍ଥାନୀୟ ରୋଜଗାର ଓ ଜୀବିକା ସୁଯୋଗ ବୃଦ୍ଧି କରିବା ଏବଂ ଦାଦନ ପ୍ରବାସ ହ୍ରାସ କରିବା ଦିଗରେ ‘ନୂଆପଡ଼ା ଉନ୍ମେଷ’ ଜିଲ୍ଲା ପ୍ରଶାସନର ଏକ ସମନ୍ୱିତ ପ୍ରୟାସ ଭାବେ କାର୍ଯ୍ୟ କରିବ।