-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
22-Nov-2026
ପାଟଣାଗଡ଼(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ବେଶ୍ ପରିଚିତ ଥିବା ବେଳେ ଏବେ ସେହି ଦାଦନ ଋତୁ ଚାଲିଛି। ଶତାଧିକ ସର୍ଦ୍ଦାର ଲାଇସେନ୍ସ ପ୍ରାପ୍ତ ଥିବା ବେଳେ ଅନେକ ଗୁଡ଼ିଏ ସର୍ଦ୍ଦାର ବେଆଇନ ଭାବେ ଚାଲାଣ କରୁଛନ୍ତି କେତେକ ଧରାପଡ଼ି ଜେଲ ମଧ୍ୟ ଯାଇଥିବା ନଜର ଆସିଛି। ବେଆଇନ ଦାଦନ ଶ୍ରମିକ ଉପରେ ଶ୍ରମ ବିଭାଗ ଓ ପୋଲିସ୍ ପ୍ରଶାସନର ଦାୟିତ୍ଵ ରହିଥିବା ବେଳେ ମୁଖ୍ୟତଃ ପାଟଣାଗଡ଼, ଲରମ୍ଭା, ବେଲପଡ଼ା, ଖପ୍ରାଖୋଲ,ଲାଠୋର, ତୁରେକେଲା, କଣ୍ଟାବାଞ୍ଜି,ମୁରିବାହାଲ, ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଟିଟିଲାଗଡ଼, ସଇଁତଳା ପୋଲିସ ପ୍ରମୁଖ ଦାୟିତ୍ବବାନ ରହିଛି। ଏମାନଙ୍କ ମଧ୍ୟରେ ଦାଦନ ଶ୍ରମିକ ଉଦ୍ଧାର ରେ ଲାଠୋର ପୋଲିସ ଏକ ନମ୍ବର ଖପ୍ରାଖୋଲ ପୋଲିସ ଦୁଇ ନମ୍ବର ତୁରେକେଲା ପୋଲିସ ତିନି ନମ୍ବର ସ୍ଥାନରେ ରହିଛନ୍ତି। ଆଜି ପୁଣି ଖପ୍ରାଖୋଲ ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁ ର ସର୍ଦ୍ଦାର ମୁସୁରୁ ଧରୁଆ (୩୨) ପିତା.ଶିବ ଧରୁଆ ତେଲେଙ୍ଗାନା ରାଜ୍ୟ ଚାଲାଣ କରିବା ପାଇଁ ଖପ୍ରାଖୋଲ ଥାନା କନଗାଁ ର ୯ ଜଣ ଦାଦନ ଶ୍ରମିକ କୁ ପିଙ୍କି ବସ୍ ରେ ଆଣୁଥିବା ବେଳେ କନଗାଁ ଛକ ଠାରେ ଖପ୍ରାଖୋଲ ପୋଲିସ ଧରିବାରେ ସକ୍ଷମ ହୋଇଥିଲେ । ଉକ୍ତ ଉଦ୍ଧାର ଦାଦନ ଶ୍ରମିକ ମଧ୍ୟରେ ୪ ଜଣ ମହିଳା, ୨ ଜଣ ପୁରୁଷ ଓ ୨ ଝିଅ ଓ ଜଣେ ଶିଶୁ ରହିଛନ୍ତି। ସର୍ଦ୍ଦାର ନାଁ ରେ ଖପ୍ରାଖୋଲ ଥାନା କେଶ୍ ନମ୍ବର ୨୪୬/୨୬ ୟୁ ଏସ୍ ୧୪୩(୩)/୧୪୬/୩୧୮(୪)ବି, ଏନ୍, ଏସ୍ ୨୫ ଆଇ ଏସ ଏମ୍ ଡବ୍ଳୁ ଆକ୍ଟ ରେ ମାମଲା ରୁଜୁ କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି। କିନ୍ତୁ ଖପ୍ରାଖୋଲ ଥାନା ଅଞ୍ଚଳରେ ମଧ୍ୟ ଦୁଇ ଚାରି ଜଣ ନାମୀଦାମୀ ସର୍ଦ୍ଦାର ରହିଛନ୍ତି ଯାହାକି ଅଳ୍ପ ବ୍ୟବଧାନରେ ପଞ୍ଜିକରଣ କରି ବେଆଇନ୍ ଭାବେ ହଜାର ହଜାର ଶ୍ରମିକ ଚାଲାଣ କରୁଥିବା ଅଭିଯୋଗ ହେଉଛି ତାଙ୍କ ଉପରେ ମଧ୍ୟ ଖପ୍ରାଖୋଲ ପୋଲିସ ଦୃଷ୍ଟି ଆକର୍ଷଣ କରି ଉଚିତ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଚଳିତ ବର୍ଷ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ତଥା ଭି ବି ଜି ରାମ ଜି ଯୋଜନାରେ ଖପ୍ରାଖୋଲ ବ୍ଳକ ଜିଲ୍ଲାରେ ଏକ ନମ୍ବର ଘୋଷଣା ହୋଇଥିଲା ବୋଲି ଅନେକ ପତ୍ର ପତ୍ରିକାରେ ବାହାରିଥିଲା । କିନ୍ତୁ ଖପ୍ରାଖୋଲ ବ୍ଳକ ର ଏତେ ଗୁଡିଏ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ମନସ୍ଥ କରିଥିବା କାରଣ କଣ? ଖାଲି କାଗଜପତ୍ରରେ ଏହି ଯୋଜନା ସୀମିତ ରହିଗଲା ନାଁ କାର୍ଯ୍ୟକାରୀ ହେଲା ତାହା ସନ୍ଦେହ ସୃଷ୍ଟି କରୁଛି। ଶୁଣାଯାଏ ଏହି ଅଞ୍ଚଳରେ ଅଧିକାରୀ, କୁଜୀ ନେତା,ଟାଉଟର, ସମାଜସେବୀ,ତଳୁ ଉପର ଯାଏଁ ମିଳିମିଶି ମନରେଗା ତଥା ଭିବିଜୀ ରାମ ଜି ର ସ୍ବାଦ ଚାଖି ଥାନ୍ତି ଯାହାଫଳରେ ଯୋଜନା ହୁଏ ବାଟବଣା ଶ୍ରମିକ ଖୋଜେ ତା ରୋଜଗାର ର ଠିକଣା । ଖପ୍ରାଖୋଲ ବ୍ଳକ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଯୋଜନାର ସମୀକ୍ଷା କରିବା ସହ ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।