-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
21-Nov-2026
ବଲାଙ୍ଗିର(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲାରେ ଏକ କୃଷିମହାବିଦ୍ୟାଳୟ ସ୍ଥାପନ ହେବ ବୋଲି ଗତ ନଭେମ୍ବର ୧୪ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂଚୌହାନ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକକବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଶିଳାନ୍ୟାସ କଲେ । ଏହି ମହାବିଦ୍ୟାଳୟ ସ୍ଥାପନକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ । ଗଣମାଧ୍ୟମ ଜରିଆରେ କଳିକେଶ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ,ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ କୃଷିମହାବିଦ୍ୟାଳୟକୁ ସେ ସ୍ୱାଗତ କରୁଛନ୍ତି କିନ୍ତୁ ଜିଲ୍ଲାବାସୀ ଦାବି କରି ଆସୁଥିବା ତଥା ଗତ ନିର୍ବାଚନରେ ବିଜେପି ଦଳ ଦେଇଥିବା ପ୍ରତିଶୃତିର କୃଷି ବିଶ୍ୱବିଦ୍ୟାଳୟ ଗଲା କୁଆଡେ ? ଦେଓଗାଁର ବନ୍ଦ ଚିନିକଳ ଚଳାଇବେ କେବେ ? ଶିଳାନ୍ୟାସ ହୋଇଥିବା କୃଷି ମହାବିଦ୍ୟାଳୟ ର ଜମି ଚିହ୍ନଟ କେଉଁଠି ହୋଇଛି । କେତେ ଜମି କୃଷି ମହାବିଦ୍ୟାଳୟ ନାମରେ କରା ଯାଇଛି ? କ୍ୟାବିନେଟରେ ଏହାକୁ ଅନୁମୋଦନ କରାଯାଇଛି କି ? ବଜେଟରେ କେତେ ଟଙ୍କା ଏଥିପାଇଁ ବ୍ୟବସ୍ଥା କରାଯାଇଛି ? କୃଷିମହାବିଦ୍ୟାଳୟର ଡିପିଆର ପ୍ରସ୍ତୁତ କରାଯାଇ ଏହାର ରୂପରେଖ ନିର୍ଦ୍ଧାରଣ କରାଯାଇଛି ବୋଲି କଳିକେଶ ସରକାରଙ୍କଠାରୁ ସ୍ପଷ୍ଟିକରଣ ଦାବି କରିଥିଲେ । କିନ୍ତୁ ଦୀର୍ଘ ୪ଦିନ ପରେ ମଧ୍ୟ ସରକାରଙ୍କ ତରଫରୁ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଗଲା ନାହିଁ । ସେପଟେ ବିଧାୟକ କଳିକେଶଙ୍କ ଉତ୍ତର ସରକାର ନଦେଇ ବଲାଙ୍ଗୀର ଜିଲ୍ଲା ବିଜେପିଦଳ ଦେଇଛି । ବିଜେପିର ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଟିଟିଲାଗଡରେ ଓ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ମାଧବ ସାଏଙ୍କ ନେତୃତ୍ୱରେ ପାଟଣାଗଡରେ ସାମ୍ବାଦିକ ସମ୍ବିଳନୀ କରି ବିଧାୟକ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି । ସେମାନେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ନିର୍ବାଚନମଣ୍ଡଳିର ତମିଆଁ ଠାରେ ଜମିଚିହ୍ନଟ କରାଯାଇ ଟେକ୍ନୀକାଲଟିମର ପରାମର୍ଶ ତଥା ଜିଲ୍ଲାପ୍ରଶାସନ ଦେଇଥିବା ପ୍ରସ୍ତାବ ଉପରେ ମତ ରଖିଛନ୍ତି । ବଲାଙ୍ଗୀର ଜିଲ୍ଲାରେ କୃଷିମହାବିଦ୍ୟାଳୟ ସ୍ଥାପନ ନେଇ ଓୟୁଏଟିର ପରିଚାଳନା ପରିଷଦ ବୈଠକରେ ନିଆଯାଇଥିବା ନିସ୍ପତ୍ତି ଓ ସରକାରଙ୍କୁ କରିଥିବା ସୁପାରିଶ ପତ୍ରକୁ କୃଷିବିଭାଗ କରିଥିବା ଅନୁମୋଦନପତ୍ର ବିଷୟରେ କହିଛନ୍ତି । ଏପରିକି ବଲାଙ୍ଗୀର ବିଧାୟକ ଅସହିଷ୍ନୁ ନହୋଇ ବିକାଶ ପ୍ରକଲ୍ପକୁ ସହ ଯୋଗ କରନ୍ତୁ ବୋଲି ବିଜେପିଦଳ କହିଛି । ତେବେ ଜଣେ ବିଧାୟକ ସରକାରଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ସରକାରଙ୍କ ବଦଳରେ ଏକ ରାଜନୈତିକ ଦଳ ପକ୍ଷରୁ ଉତ୍ତର ରଖାଯିବାକୁ ବିଭିନ୍ନ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ଏପରିକି ଗୋଟିଏ ପ୍ରସଙ୍ଗକୁ ନେଇ ଜିଲ୍ଲାର ଦୁଇଟି ସ୍ଥାନରେ ସାମ୍ବାଦିକ ସମ୍ବିଳନୀ କରାଯିବ ଘଟଣାକୁ ନେଇ ଭିନ୍ନ ନଜରରେ ଲୋକେ ଦେଖୁଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଥିବା ସତ୍ୱେ ନିଜେ ବିଧାୟକ ତଥା ଜିଲ୍ଲାବାସୀଙ୍କୁ ଉତ୍ତର ରଖିବା ବଦଳରେ ରାଜନୈତିକ ଦଳକୁ ଆଗକୁ ଠେଲିଦେବା ଘଟଣାକୁ ଅନେକ ଲୋକ ନାପସନ୍ଦ କରୁଛନ୍ତି ।