-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
21-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମର ଉପରପଡ଼ା ପୂଜାମଣ୍ଡପରେ ଚାଲିଥିବା ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣର ଚତୁର୍ଥ ଦିନ ଶନିବାର ବଳି-ବାମନ ଚରିତ୍ର ଓ କୃଷ୍ଣ ଜନ୍ମ ପ୍ରସଙ୍ଗ ଉପରେ ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ବ୍ୟାସ ଅଭିଷେକ ମିଶ୍ର (ସିକୁନ) ଉଭୟ ପ୍ରସଙ୍ଗକୁ ସରଳ ଓ ହୃଦୟସ୍ପର୍ଶୀ ଭାଷାରେ ଶ୍ରୋତାମାନଙ୍କୁ ବୁଝାଇଥିଲେ। ପରାୟଣରେ ବ୍ୟାସ ଶ୍ରୀ ମିଶ୍ର କହିଥିଲେ ଦାନବୀର ରାଜା ବଳିଙ୍କ ଗର୍ବ ଭାଙ୍ଗିବା ପାଇଁ ଭଗବାନ ବିଷ୍ଣୁ ବାମନ ରୂପ ଧାରଣ କରି ତିନି ପାଦ ଭୂମି ଦାନ ମାଗିଥିଲେ। ଗୋଟିଏ ପାଦରେ ସ୍ୱର୍ଗ,ଆଉ ଗୋଟିଏ ପାଦରେ ମର୍ତ୍ତ୍ୟ ମାପି ତୃତୀୟ ପାଦ ବଳିଙ୍କ ମସ୍ତକରେ ରଖିଥିଲେ। ବଳିଙ୍କ ଦାନ,ତ୍ୟାଗ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ ସୁତଳ ଲୋକର ଅଧିପତି କରିଥିଲେ। ଏହା ପ୍ରମାଣିତ କରେ ଯେ, ଭଗବାନଙ୍କ ପାଖରେ ଅହଙ୍କାର ନୁହେଁ,ଭକ୍ତି ଓ ସମର୍ପଣ ହିଁ ବଡ଼।
ଏହା ପରେ କୃଷ୍ଣ ଜନ୍ମ ପ୍ରସଙ୍ଗ ବର୍ଣ୍ଣନା କରାଯାଇଥିଲା। କଂସ କାରାଗାରରେ ମଧ୍ୟରାତ୍ରିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହେବା ମାତ୍ରେ ମଣ୍ଡପରେ ହରିବୋଲ୍ ଧ୍ବନିରେ କମ୍ପି ଉଠିଥିଲା। ବସୁଦେବ ନବଜାତ ଶିଶୁଙ୍କୁ ଧରି ଯମୁନା ପାର ହୋଇ ଗୋକୁଳରେ ନନ୍ଦ-ଯଶୋଦାଙ୍କ ପାଖରେ ରଖିବା କଥା ଶୁଣି ଶ୍ରୋତାମାନେ ଭାବବିହ୍ଵଳ ହୋଇପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ନନ୍ଦ ଉତ୍ସବ ପାଳନ କରାଯାଇ ଦହି-ହାଣ୍ଡି ଭଙ୍ଗା ଯାଇଥିଲା। ଏହି ଅବସରରେ ଭଜନ,କୀର୍ତ୍ତନ ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଏହି ସପ୍ତାହ କାର୍ଯ୍ୟକ୍ରମରେ ପୂଜକ ଭାବେ ଯୁଧିଷ୍ଟିର ଦାଶ ଓ କର୍ତ୍ତା ଭାବେ ପଙ୍କଜ ସାହୁ ଓ ତାଙ୍କ ଧର୍ମପତ୍ନୀ ଲିଲିମା ସାହୁ ଦାୟିତ୍ଵ ତୁଲାଇଥିଲେ। ବାତ୍ୟା ଅକୱନ ପ୍ରଭାବରେ ଝିପି ଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ପାରାୟଣ ଶୁଣିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।ପରେ କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ଫୁଲମୁଠି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଚାଲିଥିବା ସପ୍ତାହ ପାରାୟଣ ଚତୁର୍ଥ ଦିନରେ ମଧ୍ୟ ସଫଳ ହୋଇଥିବା ଜଣାପଡ଼ିଛି ।