-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
21-Nov-2026
ବଲାଙ୍ଗିର: ଗତ କେତେବର୍ଷ ମଧ୍ୟରେ ବଲାଙ୍ଗିର ବନଖଣ୍ଡ ଓ ସଂଲଗ୍ନ ସୋନପୁର ବନଖଣ୍ଡରେ ୧୦ ଟିରୁ ଅଧିକ ବଣୁଆହାତୀଙ୍କ ସମେତ ଏକାଧିକ ହାତୀ ମଣିଷଙ୍କୁ ମାରିଥିବା ଘଟଣା ଘଟିଛି । କେଉଁଠି ଚୋରା ବିଦ୍ୟୁତ୍ ତାର ଲଗାଇ ଫସଲହାନୀ କରୁଥିବା ବାହାର ଅଞ୍ଚଳରୁ ଆସୁଥିବା ବଣୁଆହାତୀପଲଙ୍କୁ ମରା ଯାଉଛି ତ, କେଉଁଠି ହାବୁଡରେ ପଡିଯିବାରୁ ବା କ୍ଷେତରେ ଧାନ ଜଗିଥିବା ଚାଷୀ ଓ ଜଙ୍ଗଲଜମି ସଂଲଗ୍ନ ଘର ଉପରେ ହାତୀ ଆକ୍ରମଣରେ ଲୋକଙ୍କର ଜୀବନ ଯାଉଛି । ନିକଟରେ ବେଲପଡା ବ୍ଲକ୍ ଲାଠୋର ରେଞ୍ଜ ଅନ୍ତର୍ଗତ ଘାଗୁର୍ଲି ସେକ୍ ସନର ଘାଗୁର୍ଲି ଗ୍ରାମର ପତ୍ରା ଜଙ୍ଗଲରେ ନିକଟସ୍ଥ କୁକୁଡାଫାର୍ମର ଜଣେ କର୍ମଚାରୀ ତଥା ଅବୈଧ ଭାବେ କୁଡିଆ କରି ଚୋରାଦେଶୀମଦ ବିକୁଥିବା ଘାଗୁର୍ଲିର ଜଣେ ବ୍ୟକ୍ତି ପଙ୍କ କାଣ୍ଡ ( ୫୮)ଙ୍କୁ ୧୨ ଟିକିଆ ବଣୁଆହାତୀପଲ ଗୋଡରେ ଦଳି ଶୁଣ୍ଢରେ କଚାଡି ମାରିଦେଇଛନ୍ତି ଓ ଜଣେ ସୌଭାଗ୍ୟବଶତଃ ଦୌଡି ପଳାଇଯିବାରୁ ଆହତ ହୋଇ ବଞ୍ଚିଯାଇଛି । ଏମାନେ ଦିନବେଳା ନିକଟସ୍ଥ ନବୀନ ଚଣ୍ଡୀଙ୍କ କୁକୁଡାଫାର୍ମ ତଥା ପାମ୍ ଚାରା ଉତ୍ପାଦନ ବଗିଚାରେ କାମ କରୁଥିବା ଲାଠୋର ରେଞ୍ଜର ଦିପ୍ତିମାନ୍ ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟ କେତେକ ସୂତ୍ର ଓ ସ୍ଥାନୀୟ ସାମ୍ବାଦିକଙ୍କ ସୂତ୍ରରୁ ପ୍ରକାଶ ଯେ ମୃତ ଓ ଆହତ ବ୍ୟକ୍ତିଦ୍ବୟ ସେଠାକାର ପତ୍ରାଜଙ୍ଗଲରେ ଏକ କୁଡିଆ କରି ମଦ , ଚାଖଣା ବିକୁଥିଲେ ଓ ରାତିରେ ଶୋଉଥିଲେ । ଏହା ଘାଗୁର୍ଲିର ଜଣେ ଫାର୍ମମାଲିକ ଓ ଜଣେ ପେକ୍ସ ସମ୍ପାଦକଙ୍କ ଭାଇ ଚଳାଉଥିବା ଅସମର୍ଥିତ ସୂତ୍ରରୁ ପ୍ରକାଶ । ତେବେ ବେଲପଡା ପୁଲିସ୍ ସେମାନଙ୍କୁ ଧରିବା ବଦଳରେ ମୋଟା ହାତଚିକ୍କଣ କରି ଚପାଇ ଦେଇଥିବା ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ।
ସେ ଯା'ହେଉ , ଏହି ପତ୍ରାଜଙ୍ଗଲ ଦେଇ ବଣୁଆହାତୀମାନେ ଚଳପ୍ରଚଳ କରିଥାଆନ୍ତି । କିନ୍ତୁ ସେସମ୍ପର୍କରେ ବନବିଭାଗ ପକ୍ଷରୁ କେବେ କୌଣସି ସଚେତନତା ସୃଷ୍ଟି କିମ୍ବା ପଦକ୍ଷେପ ନିଆଯାଇନାହିଁ ! ଏବର ଘାଗୁର୍ଲି ଫରେଷ୍ଟର ମଧ୍ୟ ସଦ୍ୟ ବଦଳି ହୋଇ ଆସିଥିବା ଲାଠୋର ରେଞ୍ଜରଙ୍କୁ ଏହିବାଟ ହାତୀଙ୍କର ଯିବାଆସିବା ବାଟ ବୋଲି ରିପୋର୍ଟ ଦେଇନାହାଁନ୍ତି ! ଲାଠୋର ରେଞ୍ଜର ମଧ୍ୟ ଏଭଳି ତଦନ୍ତ ଓ ନିରୀକ୍ଷଣ ରିପୋର୍ଟ ଡି ଏଫଓଙ୍କୁ ନ ଦେଇ କେବଳ ଥରେ ହାତୀ ମାରିଥିବା ଅଞ୍ଚଳକୁ ଆସି ବୁଲିବାଲି ଚାଲିଯାଇଛନ୍ତି !
ଆହୁରିମଧ୍ୟ , ଏହି ଘଟଣାର ପ୍ରାୟ ମାସେ ପୂର୍ବରୁ କଣ୍ଟାବାଞ୍ଜି ରେଞ୍ଜ ର ଲର୍କି ସେକସନର ନୁନ୍ ହାଡ ପଞ୍ଚାୟତର ରାତ୍ର ଜଗୁଆଳୀଙ୍କର ମଧ୍ୟ ହାତୀ ଦଳିଦେବାରୁ ମୃତ୍ୟୁ ହୋଇଥିଲା ।
ସର୍ବୋପରି ଏହି ବନଖଣ୍ଡରେ ବଣୁଆହାତୀ ଚଳପ୍ରଚଳ କରୁଥିବା ' ହାତୀ ଚଲାପଥ ' ନିର୍ଦ୍ଧାରଣରେ ବନବିଭାଗ ଅଦ୍ୟାବଧି କୌଣସି ପଦକ୍ଷେପ ନେଉନାହିଁ କିମ୍ବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଉଦ୍ୟମ କରୁନାହାଁନ୍ତି । ଅଧିକନ୍ତୁ ହାତୀ ଘଉଡାଇବା ପାଇଁ ନିୟୋଜିତ ସ୍କ୍ବାଡର ଅସ୍ଥାୟୀ କର୍ମଚାରୀଙ୍କୁ ବନବିଭାଗର ଅଧିକାରୀମାନେ ଘରୋଇଚାକର ଭାବେ ଖଟାଉଥିବା ଅଭିଯୋଗ ଉଠିଥିଲା । ଏଣୁ ମଣିଷଙ୍କ ଜୀବନହାନୀ ହେଉଥିବା ହାତୀଙ୍କ ଗତିବିଧି ନିରୀକ୍ଷଣ କରାଯାଇ ଏସବୁ ରାସ୍ତାରୁ ଅବରୋଧ ହଟାଯିବାକୁ ଲୋକଙ୍କ ପକ୍ଷରୁ ଦାବି ହେଉଛି ।
ବିଶେଷତଃ ସଦ୍ୟ ମଣିଷକୁ ହାତୀପଲ ଦଳି ମାରିଦେଇଥିବା ଘାଗୁର୍ଲି ପତ୍ରାଜଙ୍ଗଲର ଏକ ଫାର୍ମର ରାସ୍ତାରୁ ଅବରୋଧ ହଟାଯିବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି । ତଥାପି ଏହି 'ହାତୀ ଚଲାପଥ ନିର୍ଦ୍ଧାରଣ' ସମ୍ପର୍କରେ ବଲାଙ୍ଗିର ଡିଏଫଓ ଅଜିତ ବିଶିଙ୍କ ସମେତ ସରକାର ମଧ୍ୟ ନୀରବତା ଅବଲମ୍ବନ କରୁଥିବା ପ୍ରକାଶ ।