-+91-9937148622 |
prerana_bgr@rediffmail.com |
Sunday 22nd November 2026 |
R.N.I. Regd No. ODIODI/2010/46693
Breaking News
21-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ବରଂ ଏହା ମଣିଷକୁ ସଂସ୍କାର, ସଂସ୍କୃତି ଓ ମାନବିକ ମୂଲ୍ୟବୋଧ ସହ ଯୋଡ଼ିଥାଏ। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଦୀର୍ଘ ୧୧ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ି ଆସିଥିବା ବଲାଙ୍ଗୀରର ଜେଏସ୍ଏମ୍ ମହାବିଦ୍ୟାଳୟର ୧୧ତମ ପ୍ରତିଷ୍ଠା ଦିବସ ଗୁରୁବାର କଲେଜ ପରିସରରେ ମହାସମାରୋହ ରେ ପାଳିତ ହୋଇ ଯାଇଛି ।
ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବ ଶିକ୍ଷାଗତ ସଫଳତା ସହିତ ବଲାଙ୍ଗୀରର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ଅବସର ପାଲଟିଥିଲା। ୧୧ ବର୍ଷର ଅନୁଭୂତି, ସଂଘର୍ଷ ଓ ସଫଳତା ସହ ଆଗାମୀ ଦିନର ନୂତନ ସଂକଳ୍ପକୁ ନେଇ ଆୟୋଜିତ ଏହି ଉତ୍ସବରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରି ନିଷ୍ଠା, ଶୃଙ୍ଖଳା ଓ ପରିଶ୍ରମ ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ । କଦମପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା, ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର, ନିର୍ଦ୍ଦେଶକ ପୀତବାସ ପଣ୍ଡା ଏବଂ ମୁଖ୍ୟ ପରାମର୍ଶଦାତା ମନୋରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ରହି ନିଜ ବକ୍ତବ୍ୟରେ ମହାବିଦ୍ୟାଳୟର ୧୧ ବର୍ଷର ସଫଳ ଯାତ୍ରା, ଶିକ୍ଷା କ୍ଷେତ୍ରରେ ହାସଲ କରିଥିବା ସଫଳତା ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ଆଗମନ ପରେ ପାରମ୍ପରିକ ତିଳକ ଓ ସ୍ୱାଗତ ସମ୍ବର୍ଦ୍ଧନା ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଟିକ୍ରାପଡ଼ାର ପାରମ୍ପରିକ ରାମଲୀଳାରେ ଅଭିନୟ କରି ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ସମୃଦ୍ଧ କରିଥିବା ତିନିଜଣ କଳାକାରଙ୍କୁ ସମ୍ମାନିତ କରିବା। ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ସ୍ୱର୍ଗତ ଉପେନ୍ଦ୍ର ଖୁଆସଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇ ଥିଲା। ତାଙ୍କ ପୁତ୍ର ଅରୁଣ ଖୁଆସ ଏହି ସମ୍ମାନ ଗ୍ରହଣ କରିଥିଲେ। ସେହିପରି ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଶ୍ରୀବତ୍ସ ବେହେରା ଏବଂ ସୀତାଙ୍କ ଭୂମିକାରେ ଅଭିନୟ ପାଇଁ ଅନିଲ ମେହେରଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
ଏହା ସହିତ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା । ଶେଷରେ କୃଷ୍ଣା ମ୍ୟାଡାମ୍ ଧନ୍ୟବାଦ ଅର୍ପଣ କରିଥିଲେ।