-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଉପରପଡ଼ା ପୂଜା ମଣ୍ଡପ ଠାରେ ଚାଲିଥିବା ସପ୍ତାହ ପାରାୟଣର ଆଜି ଷଷ୍ଠ ଦିବସ ଅର୍ଥାତ କାର୍ତ୍ତିକ ଚତୁର୍ଦ୍ଦଶୀ ସୋମବାର ଦିନରେ ସୁଦାମା-କୃଷ୍ଣ ଭେଟ ପ୍ରସଙ୍ଗ ଶୁଣି ହଜାର ହଜାର ଶ୍ରଦ୍ଧାଳୁ ଭାବ ବିହ୍ଵଳ ହୋଇ ପଡ଼ିଥିଲେ। ବ୍ୟାସ ଅଭିଷେକ ମିଶ୍ର(ସିକୁନ) ଆଜି ଏହି ହୃଦୟସ୍ପର୍ଶୀ ପ୍ରସଙ୍ଗ ଉପରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ।ବ୍ୟାସ ଶ୍ରୀ ମିଶ୍ର କହିଥିଲେ,ଦରିଦ୍ର ବ୍ରାହ୍ମଣ ସୁଦାମା ନିଜ ବାଲ୍ୟ ସଖା ଭଗବାନ କୃଷ୍ଣଙ୍କୁ ଭେଟିବା ପାଇଁ ଦ୍ୱାରିକା ଅଭିମୁଖେ ଯାତ୍ରା କରିଥିଲେ। ମୁହଁରେ କେବଳ କୃଷ୍ଣ କୃଷ୍ଣ ଜପ,ହାତରେ ଅଳ୍ପ ଚିଉଡ଼ା ଧରି ସେ ବାଟ ଚାଲିଥିଲେ। ବାଟରେ ତାଙ୍କୁ ବହୁ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭୋକ ଶୋଷ,ଖରା ବର୍ଷାକୁ ଖାତିର ନକରି କେବଳ ଭଗବାନଙ୍କ ନାମ ଜପ କରି ସେ ଆଗେଇ ଚାଲିଥିଲେ। ଦ୍ୱାରିକାରେ ପହଞ୍ଚିବା ପରେ ଭଗବାନ କୃଷ୍ଣ ନିଜେ ଦୌଡ଼ି ଆସି ସୁଦାମାଙ୍କୁ କୋଳାଗ୍ରତ କରିଥିଲେ। ନିଜ ସିଂହାସନରେ ବସାଇ ତାଙ୍କ ପାଦ ଧୋଇ ଦେଇଥିଲେ। ସଖାଙ୍କ ଏହି ଭଲ ପାଇବା ଦେଖି ସୁଦାମାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ଏହି ଦୃଶ୍ୟ ବର୍ଣ୍ଣନା କରିବା ସମୟରେ ପାରାୟଣ ଦେଖୁଥିବା ମହିଳା ଓ ଗ୍ରାମବାସୀଙ୍କ ଆଖିରୁ ମଧ୍ୟ ଲୁହ ଝରି ଆସିଥିଲା। ପୁରା ମଣ୍ଡପରେ ନିରବତା ସହ କାନ୍ଦ ବୋବାଳିର ସ୍ୱର ଶୁଭିଥିଲା।
ବ୍ୟାସ ଶ୍ରୀ ମିଶ୍ର କହିଥିଲେ,ସତ୍ୟ ବନ୍ଧୁତା ଧନ ସମ୍ପତ୍ତି ଦେଖେ ନାହିଁ। ଭଗବାନ ଭକ୍ତର ଭାବକୁ ହିଁ ଦେଖନ୍ତି। ସୁଦାମାଙ୍କ ଭଳି ନିଷ୍କାମ ଭକ୍ତି ଥିଲେ ଭଗବାନ ନିଜେ ଭକ୍ତଙ୍କ ପାଖକୁ ଦୌଡ଼ି ଆସନ୍ତି।ଏହି ପ୍ରସଙ୍ଗ ଦେଖିବା ଓ କୃଷ୍ଣ ସୁଦାମାଙ୍କ ମିତ୍ରତା ସମ୍ପର୍କର କାହାଣୀ ଶୁଣିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥିଲା । ସୁଦାମା ଚରିତ୍ରରେ ଲକ୍ଷ୍ମୀ ନାରାୟଣ ଦାନୀଙ୍କ ଅଭିନୟ ଶୈଳୀ ପରିବେଶକୁ ଅତ୍ୟନ୍ତ ମନୋରମ କରିଥିଲା ।ଶ୍ରଦ୍ଧାଳୁ ଭକ୍ତ ସୁଦାମାଙ୍କ ଚରିତ୍ରର ବିଭିନ୍ନ ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ ।ସପ୍ତାହରେ ପୂଜକ ଭାବେ ଯୁଧିଷ୍ଟିର ଦାଶ,କର୍ତ୍ତା ଭାବେ ପଙ୍କଜ ସାହୁ ଓ ତାଙ୍କ ଧର୍ମପତ୍ନୀ ଲିଲିମା ସାହୁ ଦାୟିତ୍ଵ ତୁଲାଇଥିଲେ।ପରେ କମିଟି ପକ୍ଷରୁ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।