-+91-9937148622 |
prerana_bgr@rediffmail.com |
Monday 23rd November 2026 |
R.N.I. Regd No. ODIODI/2010/46693
Breaking News
23-Nov-2026
ବଲାଙ୍ଗିର: ଚଳିତବର୍ଷର ଖରିଫ୍ ଋତୁର ସରକାରୀ ଧାନକିଣା ଆରମ୍ଭ ହେବାକୁ ଆହୁରି ୨୨ ଦିନ ବାକିଅଛି । ଆଗାମୀ ଡିସେମ୍ବର ୧୪ ତାରିଖରେ ମଣ୍ଡି ଖୋଲିବ । ଜିଲ୍ଲାରେ ମୋଟ ୧୫୮ ଟି ମଣ୍ଡି । କିନ୍ତୁ ଆଜିଠୁଁ ଚାଉଳକଳ ଭିତରକୁ ବେଆଇନ ଭାବେ ପଶୁଛି ଟ୍ରକ୍ ଟ୍ରକ୍ ଧାନ । ଦଲାଲ୍ ଲଗାଇ ମିଲ୍ ମାଲିକମାନେ ଅଣ୍ଡରରେଟ୍ ରେ ଚାଷୀଙ୍କ ଠାରୁ ଏହି ଧାନ କିଣୁଛନ୍ତି ।
ଆଜି ସକାଳେ କଣ୍ଟାବାଞ୍ଜିରୁ ଗୁଡିଘାଟ ରାସ୍ତାର କଦଳୀପଡା ନିକଟରେ ରାସ୍ତାଉପରେ ଥିବା ଲିଲୁରାମ୍ ରାଇସ୍ ମିଲ୍ କୁ ଟ୍ରକ୍ ଟ୍ରକ୍ ଧାନ ପଶୁଥିବା ଦେଖାଯାଇଛି ! ଉଲ୍ଲେଖଯୋଗ୍ୟ ଯେ , ଏହି ମିଲ୍ ଟି ବିରୁଦ୍ଧରେ ପୂର୍ବରୁ ଏକାଧିକ ଦୁର୍ନୀତିର ଅଭିଯୋଗ ହୋଇ ଆସୁଛି । ଏପରିକି ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସମୟରେ ତାଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଉପଜିଲ୍ଲାପାଳ ଆସି ଯୋଗାଣବିଭାଗର ସହାୟତାରେ ଏହି ମିଲ୍ କୁ ବ୍ୟାପକ ଅନିୟମିତତା ଅଭିଯୋଗରେ ସିଲ୍ କରିଥିଲେ । କିନ୍ତୁ ପରେ ଏହାର ପ୍ରକୃତ ତଦନ୍ତକୁ ଚପାଇ ଦିଆଯାଇଥିଲା ।
ଅଭିଯୋଗର ଚର୍ଚ୍ଚାରୁ ଏହି ମିଲ୍ ଟି କଣ୍ଟାବାଞ୍ଜିର କେତେକ ମିଲରଙ୍କର ଚୋରା ଧାନଚାଉଳ କିଣି ଏହାର ଗୋଦାମରେ ଗଚ୍ଛିତ ରଖି ବାହାରକୁ ଚୋରାଚାଲାଣ କରୁଥିବ ଏକ ପେଣ୍ଠ ବୋଲି କୁହାଯାଏ । କିଛିବର୍ଷ ତଳର ଉକ୍ତ ସିଲ୍ ଘଟଣାରେ ତତ୍କାଳୀନ ଉପଜିଲ୍ଲାପାଳଙ୍କୁ ଏକ ନୂଆ ଦାମିକା ସ୍କୋର୍ପିଓ ଉପହାର ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଏହା ସତ୍ତ୍ବେ ଏବେ ବି ଏହି ଉପାନ୍ତ ନିଛାଟିଆ ସ୍ଥାନରେ ଥିବା ମିଲ୍ ରେ ଏବେ ବିଧନସଭା ଚାଲିଥିବା ସମୟରେ ମଧ୍ୟ ଏଭଳି ଦୁଃସାହସିକ ଚୋରାକାରବାର ଚାଲିଥିବାରୁ ଏହା ପ୍ରଶାସନ ଓ ଯୋଗାଣ ବିଭାଗର ଜାଣତରେ ଚାଲିଥିବା ସନ୍ଦେହ ବଳବତ୍ତର ହୋଇଛି । ଏଥିପ୍ରତି ପ୍ରଶାସନ , ବିଭାଗ ଓ ସରକାରଙ୍କର ଜନସାଧାରଣଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଛି ।