-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
31-Jul-2024
ସୋନପୁର(ପ୍ରେରଣା ଖବର) ସୋନପୁର ଥାନାରେ ଋଜୁ କରି ତଦନ୍ତ କରାଯାଉଥିବା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ଅନ୍ତର୍ଗତ କେଶଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକ (୩୮) ହତ୍ୟାମାମଲାରର ତଦନ୍ତ ଭିସେରା ରିପୋର୍ଟ ଆସି ନଥିବାରୁ ଆଗେଇ ପାରୁନି। ଏଣୁ ମୃତକର ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ସଜବାଜ ହେଉଛନ୍ତି ।
ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୨୨ ତାରିଖ ସନ୍ଧ୍ୟାରେ ଘରୁ ବାଇକ୍ ରେ ବାହାରି ଉକ୍ତ ଶିକ୍ଷକ ଆଉ ଘରକୁ ଫେରି ନଥିଲେ । ରାତିହେବାରୁ ଘରଲୋକେ ଅଘଟଣ ଆଶଙ୍କା କରି ଖୋଜାଖୋଜି କରି ତାଙ୍କ ସହ ଫୋନ୍ ରେ ଯୋଗାଯୋଗ କରି କଥା ହୋଇଥିଲେ। ସେହି କଥାବାର୍ତ୍ତା ବେଳେ ମୃତକର ଅସ୍ବାଭାବିକ କଥା ଓ କେତେକ ସନ୍ଦେହଜନକ ଶବ୍ଦରୁ ଆଶଙ୍କା କରି ଏସପିଙ୍କୁ ମଧ୍ୟ ଜଣାଇଥିଲେ। ପରଦିନ ନଦୀଶଯ୍ୟାର ଅଳ୍ପପାଣିଖାଲରୁ ତାଙ୍କର ମୃତଦେହ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଥମେ ଉଦ୍ଧାର କରାଯାଇ ପୁଲିସ୍ କୁ ଖବର କ୍ରମେ ଡାକ୍ତରଖାନା ପଠାଯାଇ ପରେ ପୋଷ୍ଟମର୍ଟମ୍ କରାଯାଇଥିଲା । ସୋନପୁର ଥାନାରେ ପରିବାର ପକ୍ଷରୁ ଏତଲାକ୍ରମେ ଏକ ହତ୍ୟାମାମଲା (କେସ୍ ନ୦ ୧୯୭ /ତା ୨୩/୧୧/ ୨୦୨୩)ଋଜୁ କରି ତଦନ୍ତ ହେଉଛି । ତେବେ ଶବବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ନହେବାରୁ ବିଳମ୍ବରେ ଭିସେରା ପରୀକ୍ଷା ପାଇଁ ପଠାଯାଇଛି । ତେବେ ଅଦ୍ୟାବଧି ରିପୋର୍ଟ ଆସିନାହିଁ ।
ମୃତକର ଭାଇଭଉଣୀଙ୍କ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଏଥିରେ ଦୀର୍ଘ ପ୍ରାୟ ଚାରିବର୍ଷ ଧରି ପତିପତ୍ନୀଙ୍କ ମଧ୍ୟରେ କଳହ ହିଁ କାରଣ ଓ ପତ୍ନୀଙ୍କ ହାତ ଥିବା ଅଭିଯୋଗ କରାଯାଇ ଆସୁଛି । ଏପରିକି ପୂର୍ବ ସରକାରଙ୍କ ଅମଳରେ ଏସପି, ଡିଆଇଜି, ଡିଜି, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲିଖିତ ଅଭିଯୋଗ ପଠାଯାଇଥିଲା ଓ କୌଣସି ଫଳ ନ ମିଳିବାରୁ ନୂତନ ସରକାରର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବାରୁ ଉଦ୍ୟମ ଆରମ୍ଭ ହୋଇଛି । ସେହିପରି ପତ୍ନୀଙ୍କ ପକ୍ଷରୁ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ଓ ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବା କହି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯିବା ସହ ସାମ୍ବାଦିକସମ୍ମିଳନୀ କରିବାକୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ ପୁଲିସ୍ ପକ୍ଷରୁ କିପରି ଶୀଘ୍ର ଭୁବନେଶ୍ବର ଏଫଏମଟିରୁ ଏହି ମାମଲାର ଭିସେରା ରିପୋର୍ଟ ଆସିବ, ସେଥିପାଇଁ ଦୃଷ୍ଟିଦେବାକୁ ସରକାରଙ୍କୁ ନିବେଦନ କରାଯାଉଛି ।
ଏଥିରେ ହିକୁଡି ଫାଣ୍ଡି ତଥା ପୁଲିସ୍ ର କେତେକ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବା ଅଭିଯୋଗ ସହ ଚର୍ଚ୍ଚା ହେଉଛି । ଅଧିକାରୀଙ୍କ ଅପେକ୍ଷା ଜଣେ ହୋମ୍ ଗାର୍ଡ ଓ ଜଣେ କନେଷ୍ଟବଳଙ୍କର ମାତ୍ରାଧିକ ସକ୍ରିୟତା ଓ ସେମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ଘଣ୍ଟଘୋଡା ଅଭିଯୋଗ ହୋଇଛି । ମୃତକର ମୋବାଇଲ୍ ଟି ଅଦ୍ୟାପି ମିଳିନାହିଁ ଓ ଏହା ହିକୁଡି ଫାଣ୍ଡିର ଜଣେ ଗୃହରକ୍ଷୀ ଓ କନେଷ୍ଟବଳ ନେଇଯାଇ ଥିବା, କିଛି ଦିନ ପରେ ଫାଣ୍ଡି ଅଧିକାରୀଙ୍କ ସହ ତାଙ୍କ ଘରକୁ ଯାଇ ଜଣେ ଝିଅ ପାଖରେ ମୋବାଇଲ୍ ଟି ଅଛି କହିବା ଓ ଏଇ କିଛିଦିନତଳେ ଜଣେ ମହିଳା ଡିଏସପିଙ୍କ ସହ ତାଙ୍କ ଘରକୁ ଯାଇ ମୃତକର ପତ୍ନୀ ସ୍ବାମୀର ଡକୁମେଣ୍ଟ୍ ଓ ସେଠାରେ ରହିଥିବା ଦୁଇଟି ପିଲାମାନଙ୍କୁ ଆଣିବାକୁ ଯାଇ ହଟହଟା ହେବା ଇତ୍ୟାଦି ଘଟଣା ପୁଲିସ୍ କର୍ମଚାରୀଙ୍କ ଜଡିତ ଥିବା ସନ୍ଦେହକୁ ବଢାଇ ଦେଇଛି ।
ସର୍ବୋପରି ଉକ୍ତଦିନ କାହାର ଫୋନ୍ ପାଇ ମୃତଶିକ୍ଷକ ଜଣକ ଘରୁ ସନ୍ଧ୍ୟା ପ୍ରାୟ ୭ ଟା ବେଳେ ଏକାକୀ ବାଇକ୍ ନେଇ ବାହାରିଯାଇ ଆଉ ନ ଫେରିବା ଓ ମୃତ୍ୟୁପୂର୍ବର ସିଡିଆର ର ସଠିକ୍ ଯାଞ୍ଚ କରା ନଯିବା ସହ ନଦୀର ଅଘାଟରେ ବାଇକ୍ ଓ ମୃତଦେହକୁ କିଏ ନେଇ ପାଣିରେ ଫିଙ୍ଗିଥିଲା ଇତ୍ୟାଦି ଅନେକ ସନ୍ଦେହଜନକ ଘଟଣାର ତଦନ୍ତକୁ ଚପାଇ ଦିଆଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । ଶବବ୍ୟବଚ୍ଛେଦ ରିପୋର୍ଟରେ ମୃତକର ପ୍ଲୀହା କୌଣସି ବାହ୍ୟ ଆଘାତରେ କ୍ଷତିଗ୍ରସ୍ତ ହେବା ଓ ଫୁସ୍ ଫୁସ୍ ରେ ପାଣି ପଶି ନଥିବା ବିଷୟ ଡାକ୍ତରଙ୍କ ସହ ଅନୌପଚାରିକ ଆଲୋଚନାରୁ ପ୍ରକାଶ । ତେଣୁ କାହାର ଏକ ପ୍ରଚଣ୍ଡ ମାଡରେ ସେ ମରିଗଲାପରେ ତାଙ୍କୁ ନେଇ ପାଣିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଏହାକୁ ଉଭୟ ପରିବାରର ଲୋକେ ଓ ମୃତକର ପତ୍ନୀ ଓ ତାଙ୍କର ଜଣେ ସମ୍ପର୍କୀୟା ଏକ ହତ୍ୟାକାଣ୍ଡ ଓ ଏଥା ମଧ୍ୟ ଉକ୍ତ ପୁଲିସ୍ କର୍ମଚାରୀଙ୍କ ସନ୍ଦେହଜନକ ଆଚରଣ ଯୋଗୁଁ ଏହା ସେମାନେ ବା ଯେ କେହି ଘଟାଇଥିବା ଅଭିଯୋଗ କରୁଥିବା ପ୍ରକାଶ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଥିବା ଗୃହବିଭାଗ ପକ୍ଷରୁ ପ୍ରଥମେ ଭିସେରା ରିପୋର୍ଟ ପଠାଇବାର ବ୍ୟବସ୍ଥା କରାଯିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।