-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
28-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନବିଶ୍ଵାଳ): ଖୋଲୁଛି ବଲାଙ୍ଗିର ଲୋୟର୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ସମ୍ପତ୍ତି ପେଡି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଭିଜିଲାନ୍ସ ରେଡ କରିଛି। ଆଉ ରେଡ କରିବା ପରେ ସୁନୀଲ କୁମାର ରାଉତଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ। ଓଡ଼ିଶା ଭିତରେ ୩୪ ପ୍ଲଟ୍, ୨ ଫ୍ଲାଟ୍ ଏବଂ ୨ ବହୁତଳ କୋଠା ଠାବ ହୋଇଥିବା ବେଳେ ଆଜି ବାହାର ରାଜ୍ୟରୁ ମିଳିଲାଣି ସମ୍ପତ୍ତି। ଉତ୍ତରପ୍ରଦେଶ ଓ ମଥୁରାରୁ ଆଉ ଦୁଇଟି ପ୍ଲଟ୍ ଠାବ ହୋଇଛି। ସମ୍ପତ୍ତି ହିସାବରେ ଲାଗିଛନ୍ତି ଭିଜିଲାନ୍ସ ଅଧିକାରୀ। ଅଧିକ ଖୋଳତାଡ଼ ପାଇଁ ଆଜି ତାଙ୍କ ବ୍ୟାଙ୍କ ଲକର ଖୋଲାଯିବ ବୋଲି ଜଣାପଡିଛି।
ଲୋୟର୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଭୁବନେଶ୍ୱର ସମେତ ପୁରୀ, ଅନୁଗୋଳ, ଢେଙ୍କାନାଳ, କଟକ ଓ ବଲାଙ୍ଗିରର ମୋଟ ୯ଟି ସ୍ଥାନରେ ଗତକାଲି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଶ୍ରୀ ରାଉତଙ୍କ ସ୍ଥାବର-ଅସ୍ଥାବର ସଂପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି। ଭୁବନେଶ୍ୱରରେ ତାଙ୍କର ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ୍ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଏହାବ୍ୟତୀତ ତାଙ୍କର ଗୋଟିଏ ଟ୍ରକ୍, ୨ଟି ଦାମୀ ଚାରିଚକିଆ ଯାନ (ବେନାମୀ ଗାଡ଼ି) ଓ ୪ଟି ବାଇକ୍ ରହିଛି। ତାଙ୍କ ଘରୁ ୧୭୬ ଗ୍ରାମ୍ ସୁନା ଅଳଙ୍କାର ସହ ନଗଦ ୨ଲକ୍ଷ ୩୪ ହଜାର ଟଙ୍କା ଠାବ କରାଯାଇଛି। ଏହି ସବୁ ଫ୍ଲାଟ୍ର ମୂଲ୍ୟ ଭିଜିଲାନ୍ସର ଟେକ୍ନିକାଲ ଟିମ୍ କରୁଛି। ଗୋଟିଏ ଟ୍ରକ୍, ୨ଟି ବେନାମି ଦାମୀ ଗାଡ଼ି ଏବଂ ୪ଟି ଦୁଇ ଚକିଆ ଗାଡ଼ିର ମୂଲ୍ୟ ୩୭ ଲକ୍ଷ ୩୬ ହଜାର ୫୯୭ ଟଙ୍କା ହେବ। ସେହିପରି ୧୫ଲକ୍ଷ ଟଙ୍କାର ଆସବାବପତ୍ର ଠାବ କରାଯାଇଛି। ଏହାବ୍ୟତୀତ, ସେ କେଉଁଠି କେଉଁଠି ସବୁ ଟଙ୍କା ଲଗାଇଛନ୍ତି ଏବଂ ସଞ୍ଜୟ ଖାତାରେ କେତେ ଟଙ୍କା ଅଛି, ତାହାକୁ ଭିଜିଲାନ୍ସ ଯାଞ୍ଚ କରୁଛି। ଏନେଇ ଅଧିକ ଛାନ୍ଭିନ୍ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।