-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2026
ଭୁବନେଶ୍ୱର, ଶାରଦୀୟ ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଭୁବନେଶ୍ୱରର ପାଣ୍ଡରା ଅଞ୍ଚଳ। ମାଆ ଦୁର୍ଗାଙ୍କ ଆରାଧନା, ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ବାଇପାସ୍ ଛକରୁ ହାଇଟେକ୍ ରାସ୍ତା ପର୍ଯ୍ୟନ୍ତ ଆଲୋକସଜ୍ଜା ପୂଜାର ଆକର୍ଷଣକୁ ଦ୍ୱିଗୁଣିତ କରିଛି।
ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା ଚାଲିଛି। ମହାଷଷ୍ଠୀରେ ମହାବିଲ୍ୱବରଣ ଓ ଦେବୀଙ୍କ ଆବାହନରୁ ଆରମ୍ଭ ହୋଇଥିବା ପୂଜାରେ ମହାସପ୍ତମୀରେ କଳସ ଯାତ୍ରା, ଅଧିବାସ, ପ୍ରାଣପ୍ରତିଷ୍ଠା ଓ ଚକ୍ଷୁଦାନ ସହ ଚଣ୍ଡୀ ହବନ, ଆଳତି ଓ ପୁଷ୍ପାଞ୍ଜଳି ଆଦି ବିଧି ପାଳନ କରାଯାଇଛି। ମହାଷ୍ଟମୀରେ ନବପତ୍ରିକା ପୂଜା ସହ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଛି। ମହାନବମୀରେ ସନ୍ଧିପୂଜା, ବିଶେଷ ପୂଜା, ଚଣ୍ଡୀ ହବନ, ଆଳତି ଓ ପୁଷ୍ପାଞ୍ଜଳି ଆୟୋଜିତ ହେବ।
ଧାର୍ମିକ କାର୍ଯ୍ୟକ୍ରମ ସହ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେଉଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ। ମହାଷଷ୍ଠୀରେ ଭଜନ ସନ୍ଧ୍ୟା, ମହାସପ୍ତମୀରେ ମେଲୋଡି ଅର୍କେଷ୍ଟ୍ରା, ମହାଷ୍ଟମୀରେ ଆଧୁନିକ ନୃତ୍ୟ ଏବଂ ମହାନବମୀରେ ମେଲୋଡି ଓ ସୁର୍ ସଙ୍ଗୀତ ପରିବେଷଣ କରାଯିବ। ଦଶହରା ଦିନ ଓଡ଼ିଶୀ ନୃତ୍ୟ ପରିବେଷଣ ଉତ୍ସବର ଅନ୍ୟତମ ଆକର୍ଷଣ ହେବ। ଦୈନିକ ହଜାର ହଜାର ଦର୍ଶକ ସାଂସ୍କୃତିକ ବିଚିତ୍ରାର ମଜ୍ଜା ଉଠାଉଛନ୍ତି ।
ମହାଦଶମୀରେ ଦଶହରା ପୂଜା, ଅପରାଜିତା ପୂଜା ଓ ଚରୁ ହବନ ଅନୁଷ୍ଠିତ ହେବ। ଅକ୍ଟୋବର ୨୨ ତାରିଖ ଗୁରୁବାର ଦିନ ମାଆଙ୍କ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ହୋଇଛି। ଦିବା ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏକ ବିରାଟ ପଟୁଆରରେ ମାଆଙ୍କ ମୂର୍ତ୍ତି ସାହି ପରିକ୍ରମା କରି ବାଇପାସ୍ ଦେଇ କୁଆଖାଇ ବ୍ରିଜ୍ ପର୍ଯ୍ୟନ୍ତ ଯିବ।
ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ କମିଶନରେଟ୍ ପୋଲିସର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉଛି। ଏହା କହିଛନ୍ତି ୧୮ ନମ୍ବର ୱାର୍ଡର କର୍ପୋରେଟର ତଥା ପୂଜା କମିଟିର ମୁଖ୍ୟ ବିପ୍ଲବ ବେହେରା।
ପାଣ୍ଡରା ପୂଜା କମିଟିର ସଭାପତି ଭଗବାନ ସୁବୁଦ୍ଧି, ସମ୍ପାଦକ ପ୍ରସନ୍ନ କୁମାର ବେହେରା ଏବଂ କମିଟିର ସଦସ୍ୟ ବିନୋଦ କୁମାର ସାହୁ, ବିଷ୍ଣୁଚରଣ ଦାସ, ସତ୍ୟାନନ୍ଦ ବେହେରା, ପ୍ରଶାନ୍ତ କୁମାର ଭଞ୍ଜ, ଉମେଶ ଜେନା ଓ ନୃସିଂହ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାର ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।