-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
25-May-2021
ଆଜିର ଭାଗବତ ବାଣୀ
*ଏ ସଂସାରରେ କେହି ବି କେବେହେଲେ କାହା ସହିତ ଚିରଦିନ ରହିପାରିବ ନାହିଁ । ମନୁଷ୍ୟ ଆଜି ଯେଉଁମାନଙ୍କ ସହିତ ମିଶି ରହିଛି, ତାକୁ ଦିନେ ନା ଦିନେ ସେମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଯିବାକୁ ପଡିବ । ଏ କଥା ସତ । ଯଦି କାହାର ନିଜ ଶରୀର ମଧ୍ୟ ସର୍ବଦା ରହିପାରିବ ନାହିଁ, ତେବେ ସ୍ତ୍ରୀ, ପୁତ୍ର, ଧନ ପ୍ରଭୃତିଙ୍କ ସଙ୍ଗରେ କେହି କିପରି ରହିପାରିବ ? ଜୀବ ଏକାକୀ ଜନ୍ମ ହୁଏ ଏବଂ ଏକାକୀ ମରେ । ନିଜ କୃତକର୍ମର ଓ ପାପପୁଣ୍ୟର ଫଳ ମଧ୍ୟ ତାକୁ ଏକାକୀ ଭୋଗିବାକୁ ପଡେ । ଜୀବ ଯେଉଁ ପ୍ରାଣ, ଧନ ଓ ପୁତ୍ର ଆଦିଙ୍କୁ ନିଜର ବୋଲି ଭାବି ଅଧର୍ମମାର୍ଗ ଧରି ପାଳନପୋଷଣ ବା ବର୍ଦ୍ଧନ କରେ , ସେମାନେ ଜୀବକୁ ଅସନ୍ତୁଷ୍ଟ ଅବସ୍ଥାରେ ଛାଡିଦେଇ ପଳାନ୍ତି । ଯେଉଁମାନଙ୍କ ପାଇଁ ସେ ଅଧର୍ମ କରେ, ସେମାନେ ତାକୁ ଛାଡ଼ି ଚାଲିଯାଆନ୍ତି । ସେ କେବେ ବି ସନ୍ତୋଷ ଲାଭ କରିପାରେନା ; ଶେଷରେ ସେ ପାପବୋଝ ମୁଣ୍ଡାଇ ଘୋର ନରକକୁ ଯାଏ । ତେଣୁ ଜାଣିରଖିବା ଉଚିତ ଯେ,ଏହି ସଂସାରଟା ହେଉଛି ଚାରିଦିନର ଖେଳ । ଏହା ଏକ ସ୍ବପ୍ନ ପରି ଓ ଜାଦୁବିଦ୍ୟାର ମାୟା ପରି । ଏହା ହେଉଛି ଏକ ମନଗଢା ରାଜ୍ୟମାତ୍ର । ଏଣୁ ମମତାର ମୋହରେ ପଡି ପକ୍ଷପାତ ଜୀବନ ନ ଜୀଇଁ ସମତ୍ବରେ ସ୍ଥିତ ହୋଇ ସଂସାରମୋହରୁ ନିବୃତ୍ତ ରହି ସେହି ପରମାତ୍ମାଙ୍କ ଚରଣକମଳରେ ମନ ନିବେଶ କରି ପ୍ରଶାନ୍ତଚିତ୍ତରେ ଜୀବନ ବିତାଇବାକୁ ଉଦ୍ୟମ କରିବା ଉଚିତ ।
ଗୀତା ଜ୍ଞାନ
*ଭୋଗ ଉପଭୋଗରେ ଜନ୍ମ, ମୃତ୍ୟୁ, ଜରା ଓ ବ୍ୟାଧିରୂପକ ଦୁଃଖକୁ ଦେଖିବା ବୈରାଗ୍ୟର ହେତୁ ଅଟେ । ଅର୍ଥାତ୍ ଏବେ ଭୋଗ ଉପଭୋଗ କଲେ ପରିଣାମରେ ବାରମ୍ବାର ଜନ୍ମ ନେବାକୁ ଓ ମରିବାକୁ ହେବ , ଶରୀରରେ ରୋଗ ହେବ,ବର୍ତ୍ତମାନରେ ଭୟ ଓ ଚିନ୍ତା ହେବ,ପରଲୋକରେ ଦୁର୍ଦ୍ଦଶା ହେବ -- ଭୋଗର ଏପରି ଦୁଃଖପୂର୍ଣ୍ଣ ପରିଣାମ କଥା ଭାବିଲେ ଭୋଗ ପ୍ରତି ବୈରାଗ୍ୟ ଆସିଯିବ । ଅତଏବ ଭୋଗରେ ଦୁଃଖ ଦେଖିବା ନିତାନ୍ତ ଆବଶ୍ୟକ । କିନ୍ତୁ କର୍ତ୍ତବ୍ୟକର୍ମରେ ଦୁଃଖ ଦେଖିଲେ ପତନ ହୁଏ । ତାତ୍ପର୍ଯ୍ୟ ହେଲା ଯେ ଭୋଗ ପ୍ରତି ଅନୁରକ୍ତ ହେବା ଉଚିତ ନୁହେଁ ଓ କର୍ତ୍ତବ୍ୟକର୍ମକୁ ତ୍ୟାଗ କରିବା ଉଚିତ ନୁହେଁ ।