-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
07-Nov-2026
ବାଲିଗୁଡ଼ା(ସୁଶୀଳ କୁମାର ପାଣିଗ୍ରାହୀ): ସାମାଜିକ ସେବା ଓ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସିନିୟର ଏଜ୍ ହେଲଥ କେୟାର ଆସୋସିଏସନ, ବାଲିଗୁଡ଼ା। ଆସୋସିଏସନ ପକ୍ଷରୁ ବାଲିଗୁଡ଼ାର ତ୍ରିବେଦୀ ପାର୍କ ନିକଟରେ ‘ଥିଲେ ଦିଅ, ନଥିଲେ ନିଅ’ ଶୀର୍ଷକ ଏକ ଅଭିନବ ବସ୍ତ୍ର ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ମହତ୍ ଉଦ୍ୟମର ମୂଳ ଲକ୍ଷ୍ୟ ହେଉଛି, ଯାହାଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ବସ୍ତ୍ର ରହିଛି ସେମାନେ ଅନ୍ୟମାନଙ୍କ ପାଇଁ ଦାନ
କରିବେ ଏବଂ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନେ ସେଥିରୁ ନିଜ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ବସ୍ତ୍ର ନେଇ ପାରିବେ। ବାଲିଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ସଂଜୀବ ରୁପା ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏଥିରେ ବିଭିନ୍ନ ପ୍ରକାରର ପୋଷାକ ଓ ବସ୍ତ୍ର ସଂଗ୍ରହ କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଥିଲା। ଅଦରକାରୀ ହୋଇ ପଡ଼ିରହିଥିବା ପୋଷାକ ଅନ୍ୟ କାହାର ଆବଶ୍ୟକତା ପୂରଣ କରିବା ସହ ସମାଜରେ ସହଯୋଗ, ସମ୍ବେଦନଶୀଳତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା। ଏହି ଅବସରରେ କାଳିନ୍ଦୀ ଚରଣ ପଣ୍ଡା, ରବିନାରାୟଣ ମିଶ୍ର, ଯୁଗଳ କିଶୋର ନାୟକ, ଜେବ୍ରାସ ଦିଗାଳ ଏବଂ
ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।
ସମାଜରେ ଜଣଙ୍କ ପାଇଁ ଅଦରକାରୀ ହୋଇଥିବା ଜିନିଷ ଅନ୍ୟ ଜଣଙ୍କ ପାଇଁ ଆବଶ୍ୟକତାର ସମ୍ବଳ ହୋଇପାରେ। ଏହି ସୁନ୍ଦର ଚିନ୍ତାଧାରାକୁ ନେଇ ଆୟୋଜିତ ଏହି ପ୍ରୟାସ ବାଲିଗୁଡ଼ାବାସୀଙ୍କ ମଧ୍ୟରେ ସାମାଜିକ ସହଯୋଗ ଓ ସେବା ମନୋଭାବକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି ।