-+91-9937148622 |
prerana_bgr@rediffmail.com |
Saturday 7th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ବଲାଙ୍ଗୀର: ଲାଞ୍ଚ ନେବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା। ଅତିଥି ପ୍ରଶିକ୍ଷକମାନଙ୍କ ଚାକିରି ଅବ୍ୟାହତ ରଖିବା ଏବଂ ନିୟମିତ ଦରମା ପ୍ରଦାନ କରିବା ପାଇଁ ସେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ନଭେମ୍ବର ୬ ତାରିଖରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।
ଭିଜିଲାନ୍ସ ସୂଚନା ଅନୁସାରେ, ଆଇଟିଆଇର ୯ ଜଣ ଅତିଥି ପ୍ରଶିକ୍ଷକଙ୍କ ନିୟମିତ ଦରମା ମଞ୍ଜୁର କରିବା ପାଇଁ ଅଧ୍ୟକ୍ଷ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏପରିକି ଲାଞ୍ଚ ଟଙ୍କା ନଦେଲେ ସେମାନଙ୍କୁ ଚାକିରିରୁ ହଟାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହାପରେ ଅନ୍ୟ ଉପାୟ ନପାଇ ପ୍ରଶିକ୍ଷକମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଗତ ୬ ତାରିଖରେ ଏକ ଟ୍ରାପ୍ ଯୋଜନା କରାଯାଇଥିଲା। ଏହି ଯୋଜନା ଅନୁସାରେ ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏଥିସହ ତାଙ୍କ ବାମ ହାତ ଧୋଇବା ପରେ ରାସାୟନିକ ପରୀକ୍ଷାରେ ପଜିଟିଭ୍ ରିପୋର୍ଟ ମିଳିଥିଲା।
ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତାଙ୍କ ସରକାରୀ ବାସଭବନ ଏବଂ ରାଉରକେଲାର ହମିରପୁରସ୍ଥିତ ଆବାସିକ ଫ୍ଲାଟ୍ରେ ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୬ ହଜାର ଟଙ୍କା ନଗଦ ଜବତ କରାଯାଇଛି।
ଅଭିଯୁକ୍ତ ସୁରେଶ କୁମାର ଦଳବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୨, ତାରିଖ ୦୬.୧୧.୨୦୨୬ରେ ମାମଲା ରୁଜୁ ହୋଇଛି।