-+91-9937148622 |
prerana_bgr@rediffmail.com |
Thursday 26th November 2026 |
R.N.I. Regd No. ODIODI/2010/46693
Breaking News
26-Nov-2026
ବେଲପଡ଼ା(ପୂର୍ଣ୍ଣ ଶଶୀ ଶେଖର ରାଓ): ସ୍ଥାନୀୟ ପି.ଏମ୍. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ (JNV), ବେଲପଡ଼ାର ୨୦୦୧–୨୦୦୮ ବ୍ୟାଚ୍ର ପୂର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନଭେମ୍ବର ୨୨ ତାରିଖରେ ବିଦ୍ୟାଳୟ ପରିସରରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏକ ଭବ୍ୟ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୨୫ ବର୍ଷର ସ୍ମୃତି, ବନ୍ଧୁତ୍ୱ ଓ ଗୁରୁଶିଷ୍ୟ ପରମ୍ପରାକୁ ପୁନର୍ଜୀବିତ କରିଥିବା ଏହି ଉତ୍ସବ ଭାବପ୍ରବଣତା ଓ ଆନନ୍ଦର ଏକ ଅବିସ୍ମରଣୀୟ ଅବସର ପାଲଟିଥିଲା।
ନବୋଦୟ ବିଦ୍ୟାଳୟର ମୂଳମନ୍ତ୍ର "ଶିଖିବା ପାଇଁ ଆସ, ସେବା କରିବା ପାଇଁ ଯାଅ" (Come to Learn, Go to Serve) କୁ ସାର୍ଥକ କରି ଏହି ବ୍ୟାଚ୍ର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଆଜି ଦେଶର ବିଭିନ୍ନ କ୍ଷେତ୍ରରେ ରହି ରାଷ୍ଟ୍ର ସେବାରେ ନିୟୋଜିତ ଅଛନ୍ତି। ବିଶେଷ କରି ବିଦ୍ୟାଳୟ ରୁ ପାସ୍ ଆଉଟ୍ ହେବା ପରେ ପ୍ରଥମ ଥର ପାଇଁ ଏବଂ ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଧିକାଂଶ ପୂର୍ବତନ ଛାତ୍ରଛାତ୍ରୀ—ବିଶେଷତଃ ପୂର୍ବତନ ଛାତ୍ରୀମାନେ (Girls Alumni)—ନିଜ ପରିବାର ଓ ପିଲାମାନଙ୍କ ସହ ବିଦ୍ୟାଳୟ ପରିସରକୁ ଫେରିଥିଲେ। ଦୀର୍ଘ ବର୍ଷ ପରେ ସହପାଠୀ, ଗୁରୁଜନ ଓ ବିଦ୍ୟାଳୟର ପରିଚିତ ପରିବେଶ ସହ ପୁଣିଥରେ ମିଶିବାର ମୁହୂର୍ତ୍ତ ସମସ୍ତଙ୍କୁ ପୁରୁଣା ଦିନର ସ୍ମୃତିରେ ବିଭୋର କରିଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ରାଜ ନାରାୟଣ ମେହେରଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ପୂର୍ବତନ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆତ୍ମୀୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସମସ୍ତ ପୂର୍ବତନ ଗୁରୁଜନ ନିଜ ନିଜର ଶିକ୍ଷକତା ଜୀବନର ଅନୁଭୂତି ବାଣ୍ଟିବା ସହ ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୂର୍ବତନ ଶିଷ୍ୟମାନଙ୍କୁ ମୂଲ୍ୟବାନ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ସେହିପରି ଏହି ବ୍ୟାଚ୍ରୁ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଶିକ୍ଷକତା ବୃତ୍ତିରେ ନିୟୋଜିତ ଥିବା ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ (Alumni Teachers) ମଧ୍ୟ ନିଜର ଶିକ୍ଷକତା ଅନୁଭୂତି ଓ ବିଦ୍ୟାଳୟ ଜୀବନର ସ୍ମୃତି ବର୍ଣ୍ଣନା କରିଥିଲେ। ଏହା ସହ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟ ସହିତ ପୂର୍ବତନ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପକ୍ଷରୁ ମଧ୍ୟ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉତ୍ସବକୁ ଅଧିକ ଉତ୍ସାହମୟ କରିଥିଲା।
ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ୨୦୦୮ ବ୍ୟାଚ୍ ପକ୍ଷରୁ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୁବିଧା ନିମନ୍ତେ ଏକ ଖଗୋଳ ବିଜ୍ଞାନ ଉପକରଣ କିଟ୍ (Astronomy Kit) ଏବଂ ଦୁଇଟି ବାଣିଜ୍ୟିକ ମାନର ଜଳ ଶୀତଳୀକରଣ ଓ ଫିଲ୍ଟର ୟୁନିଟ୍ (Commercial Water Cooler & Filter Units) ପ୍ରଦାନ କରାଯାଇଥିଲା। ଏହା ଦ୍ୱାରା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ିବା ସହ ବିଶୁଦ୍ଧ ପାନୀୟ ଜଳର ସୁବିଧା ଉପଲବ୍ଧ ହୋଇପାରିବ।