-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର ଠାରେ ଭାଲେର ଧନୁଯାତ୍ରା ସାଂସ୍କୃତିକ ପରିଷଦ ପକ୍ଷରୁ ହେବାକୁ ଥିବା ୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି l ଗ୍ରାମର ଇଷ୍ଟ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଠାରୁ ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଧନୁଯାତ୍ରା ମଣ୍ଡପ ଠାରେ ପହଞ୍ଚି ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା l ଏହି ଶୁଭ ସ୍ତମ୍ଭ ସ୍ଥାପନ
କାର୍ଯ୍ୟର କର୍ତ୍ତା ଭାବରେ ଶ୍ରୀମତୀ ତାରିଣୀ ନାଏକ ଓ ଶ୍ରୀ ସୁବଳ ନା ଏକ କାର୍ଯ୍ୟ ତୁଲାଇ ଥିବା ବେଳେ ପଣ୍ଡିତ ହିମାଂଶୁ ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ l ଏହି ଧନୁଯାତ୍ରା ମହୋତ୍ସବ ଚଳିତ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୩ ତାରିଖପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ l ମହୋତ୍ସବର ବିଭିନ୍ନ ଦିବସରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି l ପ୍ରତ୍ୟେହ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରର ସାଂସ୍କୃତିକ ଦଳ ଗୁଡିକ ତାଙ୍କର କଳା ପ୍ରଦର୍ଶନ କରିବେ l ମହୋତ୍ସବର ମୁଖ୍ୟ ଆକର୍ଷଣ ମହାରାଜ କଂସ ଭୂମିକାରେ ଚଳିତ ବର୍ଷ ବରଗଡ ଜିଲ୍ଲା ଦେଓଗାଁ ର ଜଗଦା ନନ୍ଦ ମିଶ୍ର ଅଭିନୟ କରିବେ ବୋଲି ମହୋତ୍ସବ କମିଟୀ ସଭାପତି ରାଜ କିଶୋର ନାଏକ ପ୍ରକାଶ କରିଛନ୍ତି l ଏହି ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରେ ମହୋତ୍ସବ କମିଟୀର ଉପସଭାପତି ଭାଗିରଥି ସେଠ, ସାଧାରଣ ସଂପାଦକ ସୁମନ୍ତ ନାଏକ, ସହ ସଂପାଦକ ମାନସ ରାଉତ, କୋଷାଧ୍ୟକ୍ଷ ସୁବଳ ନାଏକଙ୍କ ସମେତ କମିଟୀର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l