-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
08-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ସରକାର ଗମନାଗମନର ସୁବିଧା ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ତଥା ଲୋକାଭିମୁଖୀ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅବହେଳା ଯୋଗୁଁ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଯାହାର ଜ୍ୱଳନ୍ତ ଉଦାହରଣ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାଶପୁର ଗ୍ରାମପଞ୍ଚାୟତର ବିଳାସପୁର-କିରିକିଚିପାଲି ଯାଇଥିବା ରାସ୍ତା ଅବସ୍ଥାରୁ ସ୍ପଷ୍ଟ ହୋଇ ପଡ଼ିଛି । କିରିକିଚି ପାଲି, ରାକ୍ଷସକୁଟି, ଟିଲାଟିଂଗା, ଖଇରହଣା, ଦେହୁରି ସାହି ଆଦି ୩ଟି ୱାର୍ଡ ର ଲୋକେ ଦୈନିନ୍ଦିନ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ପାଇଁ ଆଜି ନୁହେଁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ଜିଲ୍ଲାପାଳ ଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରିଲା ନାହିଁ । ଗତ ୨୦୨୦ ମସିହାରେ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଆସି ଏହି ରାସ୍ତାରେ ଫସି ରହି ଥିଲା । ଠିକ ସମୟ ରେ ମେଡିକାଲ ନ ପହଂଚି ପାରିବାରୁ ମହିଳା ଜଣଙ୍କର ଆମ୍ବୁଲାନ୍ସ ରେ ହିଁ ଜୀବନ ଚାଲି ଯାଇଥିଲା | ଏହି ରାସ୍ତାରେ ଦେଇ କିରିକିଚି ପାଲି, ପୁରୁଣା ପାଣି , ଦାମପାଲି, କାକୁଡି ଚିରା, କଶୁରବନ୍ଧ, ଡୁଙ୍ଗୁରିପାଲି, ବାଗଡ଼ିଆ, ଘଣ୍ଟପାଲି. ରାକ୍ଷସକୁଟି. ଦେହିରି ସାହି, ବଇଦ ସାହି ଆଦି ୧୦ ଖଣ୍ଡ ଗ୍ରାମର ଲୋକେ ଯିବା ଆସିବା କରିଥାନ୍ତି । ଉକ୍ତ ରାସ୍ତାରେ ବର୍ଷା ଦିନେ ଖାଲଖମା ସହ ପାଣି ଭର୍ତି ହେଉ ଥିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଦେଇ ଯାତାୟତ କରିଥାନ୍ତି । ବର୍ଷା ଦିନେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ କାଦୁଅ ରାସ୍ତାରେ ସ୍କୁଲ ଯାତାୟତ କରୁଥିବା ବେଳେ ଅନେକ ରାସ୍ତାରେ ପଡ଼ି ବହି ବସ୍ତାନି ସହ ପ୍ୟାଣ୍ଟ ସାର୍ଟ ମଧ୍ୟ ଭିଜି ଅନେକ ଆହତ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘଦିନ ହେବ ଅଞ୍ଚଳବାସୀଙ୍କ ଏଭଳି ରାସ୍ତା ସମସ୍ୟା ଲାଗି ରହିଥିଲେ ସୁଦ୍ଧା ସ୍ଥାନୀୟ ଲୋକ ପ୍ରତିନିଧି କି ଜିଲ୍ଲା ପ୍ରଶାସନ କାହାରି ବି ନଜର ପଡୁ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।