-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
13-Nov-2026
ଟିଟିଲାଗଡ଼ - ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତା, ଆତ୍ମବିଶ୍ୱାସ ଓ ଶିଶୁ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆକ୍ସନଏଡ୍ ଇଣ୍ଡିଆ ଓ ଲୋକ ବିକାଶ ଅଭିଯାନ, ବଲାଙ୍ଗୀର ପକ୍ଷରୁ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଡଙ୍ଗାପଟା ଗ୍ରାମରେ ବାଲମେଳା ତଥା ଶିଶୁ ଦିବସ ପାଳନ କରାଯାଇଛି।
ଏହି ବାଲମେଳାରେ ଟିଟିଲାଗଡ଼ ଓ ମୁରିବାହାଲ ବ୍ଲକର ୧୮ଟି ଗ୍ରାମରୁ ପ୍ରାୟ ୨୭୦ ଜଣ ଶିଶୁ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ନବୀନ କୁମାର ଜୈନ, ସମ୍ମାନୀତ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ସୁଷମା ପାଢ଼ୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅଶ୍ୱିନୀ ରଥ ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଶିଶୁମାନଙ୍କ ପାଇଁ ନୃତ୍ୟ, ସଙ୍ଗୀତ, ସାଧାରଣ ଜ୍ଞାନ କୁଇଜ୍, ଚିତ୍ରାଙ୍କନ ଓ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶିଶୁମାନେ
ନିଜ ନିଜର କଳା, କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଟିଟିଲାଗଡ଼ ବ୍ଲକର ବେଲପଡ଼ା, ବାଞ୍ଜିପଦର, ତାରାସିଂହା, ମାଥାନପାଲି, ଦଙ୍ଗାପଟା, ଖଲିଆଖମାର ଓ କୁଟରାକେଣ୍ଡ ଏବଂ ମୁରିବାହାଲ ବ୍ଲକର ଚିଙ୍ଗେରମୁଣ୍ଡା, ଶିରୋଲ, କାନ୍ଦଖାଳ ଓ ମାଲିଶିରା ଆଦି ଗ୍ରାମର ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ଆକ୍ସନଏଡ୍ ଇଣ୍ଡିଆ ପକ୍ଷରୁ ଶ୍ରୀ ମୁରଲୀ ଚରଣ ଦାସ, ଶ୍ରୀ ଭୁବେନ୍ଦ୍ର ରଣା, ସଞ୍ଜୀବ ରଣା, ଶ୍ରୀମତୀ ଜ୍ୟୋତିର୍ମୟୀ ଦହଲ, ଶ୍ରୀମତୀ ଜଳି ମହାନନ୍ଦ, ପରମେଶ୍ୱର ରଣା, ଶ୍ରୀମତୀ ଶୁଚିସ୍ମିତା
ଚନ୍ଦନ ଓ ଶ୍ରୀମତୀ ସେବତୀ ମହାନନ୍ଦ ସହଯୋଗ କରିଥିଲେ।
ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଶିକ୍ଷା, ସୁରକ୍ଷା, ସମାନ ଅଧିକାର ଓ ନିଜ ପ୍ରତିଭା ପ୍ରକାଶ କରିବାର ସୁଯୋଗ ଦେବା ସମାଜର ସମସ୍ତଙ୍କ ଦାୟିତ୍ୱ। ଏଭଳି ବାଲମେଳା ଶିଶୁମାନଙ୍କ ମଧ୍ୟରେ ଖୁସି, ଏକତା, ସହଭାଗିତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ପାଇଁ ଏକ ସୁନ୍ଦର ଓ ସୁରକ୍ଷିତ ଶୈଶବ ଗଠନରେ ସହାୟକ ହେବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।