-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ବରପାଲି :(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ଏନଏସି ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ୨୨୯ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଦିନେଶ ଗହୀର ଅଧ୍ୟକ୍ଷତା କରିଥିଲେ।କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ ସାଂସଦ ପ୍ରତିନିଧି ପଦ୍ମଲୋଚନ ସାହୁ, ବିଧାୟକଙ୍କ ପ୍ରତିନିଧି ପ୍ରତାପକେଶରୀ ସିଂହ, ଏନଏସି ଉପାଧ୍ୟକ୍ଷା ସୁପ୍ରିତା ଜେନାଙ୍କ ସମେତ କାଉନସିଲର ସରୋଜ ଭୋଇ, ସୁବ୍ରତ ଚିନ୍ଦା ଓ ମିନା ସେଠ ଉପସ୍ଥିତ ରହିଥିଲେ। ଅତିଥିମାନଙ୍କ କରକମଳରେ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।ବଣ୍ଟନ କରାଯାଇଥିବା ମୋଟ ୨୨୯ଟି ଭତ୍ତା ମଧ୍ୟରେ ୧୮୩ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୨୪ ଜଣଙ୍କୁ ବିଧବା ଭତ୍ତା, ୧୭ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା, ୩ ଜଣ ଅବିବାହିତା ମହିଳାଙ୍କୁ ଭତ୍ତା ଏବଂ ୨ ଜଣ ଛାଡ଼ପତ୍ରପ୍ରାପ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭବନ କୁମାର ଶତପଥୀ ଭତ୍ତା ବଣ୍ଟନ ଓ ଯୋଜନା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏନଏସି ଗୋଷ୍ଠୀ ସଙ୍ଗଠିକା ସ୍ନିଗ୍ଧାରାଣୀ ବିଶ୍ୱାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ସାମାଜିକ ସୁରକ୍ଷା ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ କରି ଭତ୍ତା ପ୍ରଦାନ କରାଯାଇଥିବାରୁ ଉପସ୍ଥିତ ହିତାଧିକାରୀମାନେ ସରକାରୀ ସହାୟତା ପାଇଁ ଖୁସି ପ୍ରକାଶ କରିଥିଲେ।