-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀର ପରିସର ଯୁବ ରେଡକ୍ରସର ଆନୁକୂଲ୍ୟରେ ଦିନତମାମ ରକ୍ତହୀନତା ନିରାକରଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ସଙ୍ଗୀତର ସ୍ଵରରେ ଏବଂ ରେଡକ୍ରସର ପ୍ରତିଷ୍ଠାତା ହେନରୀ ଡୁନାଣ୍ଟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଉଦଘାଟନୀ ଅଧିବେଶନରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡକ୍ରସ କମିଟିର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ସମସ୍ତ ଛାତ୍ରଛାତ୍ରୀଙ୍କୁ ରକ୍ତହୀନତା ସମ୍ପର୍କରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡ. ଲଳିତ ମୋହନ ବିଶି ରକ୍ତହୀନତାର ଲକ୍ଷଣ ଥକ୍କା ଲାଗିବା, ମୁଣ୍ଡ ବୁଲାଇବା, ପାଠରେ ମନ ନ ଲାଗିବା ବିଷୟରେ ସହଜ ଭାଷାରେ ବୁଝାଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନେ କେଉଁ ଖାଦ୍ୟ ଖାଇଲେ ସହଜରେ ରକ୍ତ ବଢ଼େ, ତାହା ଉଦାହରଣ ଦେଇ ବୁଝାଇଥିଲେ। ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଶେଖ୍ ଅବଦୁଲ୍ ଅସରଫ କହିଥିଲେ, “ରକ୍ତଦାନ ମହାପୁଣ୍ୟ।” ମନୁଷ୍ଯ ରକ୍ତର ମହତ୍ତ୍ୱ ବୁଝାଇବା ସହିତ କିପରି ନିଜେ ସଚେତନ ହୋଇ ରକ୍ତହୀନତା ଦୂର କରିବା ତତ୍ ସମ୍ବନ୍ଧୀୟ ବିଶେଷ ଚର୍ଚ୍ଚା କରିଥିଲେ। ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ରକ୍ତ ପରୀକ୍ଷା ଶିବିରରେ ଶତାଧିକ ଛାତ୍ରଛାତ୍ରୀଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା।
ଉଦଯାପନୀ ଅଧିବେଶନରେ ମଞ୍ଚ ସାଜି ଉଠିଥିଲା ସାଂସ୍କୃତିକ ରଙ୍ଗମଞ୍ଚ। ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଧାରିତ ସୁନ୍ଦର ସଙ୍ଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ। ଗୀତର ତାଳେ ତାଳେ ରକ୍ତହୀନତା ବିରୁଦ୍ଧରେ ଲଢ଼ିବାର ବାର୍ତ୍ତା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ଦର୍ଶକମାନେ କରତାଳି ଦେଇ କଳାକାର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପାଠ ସହ କଳା- ଏହା ହିଁ ଥିଲା ଆଜିର କାର୍ଯ୍ୟକ୍ରମର ସବୁଠୁ ସୁନ୍ଦର ମୁହୂର୍ତ୍ତ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ କଳାକାରମାନଙ୍କୁ ମଞ୍ଚାସୀନ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ରମାଣ ପତ୍ର ହାତରେ ଧରି ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସିର ହସ ଫୁଟି ଉଠିଥିଲା। ଉଦଘାଟନୀକାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶଦାତା ଡ଼. ଶ୍ରୀକାନ୍ତ ବାରିକ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଡ. ଦୈତାରୀ ପୂଜାରୀ ଓ ଜିଲ୍ଲା ଆବାହକ ଲେଫ୍ଟନାଣ୍ଟ. କୁଶ କହଁର ସହଯୋଗ କରିଥିଲେ ଏବଂ ଇଂରାଜୀ ବିଭାଗର
ଅଧ୍ୟାପିକା ରମଣୀ ନାଏକ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ବୈଷୟିକ ଅଧିବେଶନରେ ସଂଯୋଜନା କରିଥିଲେ ରାଜନୀତି ବିଜ୍ଞାନର ପ୍ରଫେସର ଡ. ଅଶୋକ କୁମାର ମହାରଣା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସୁନୟନା ହୋତା । ଦ୍ଵିତୀୟ ବୈଷୟିକ ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷା ବିଭାଗ ମୁଖ୍ୟ ଡ ମଧୁସ୍ମିତା ମିଶ୍ର ଏବଂ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ଅର୍ପିତା ପରିଚ୍ଛା, ଉଦଯାପନୀ ସମାରୋହରେ ମଞ୍ଚ ପରିଚାଳନାର ଦାୟିତ୍ଵ ନିର୍ବାହ କରିଥିଲେ ଅଧ୍ୟାପିକା ସଙ୍ଗୀତା ସାହୁ ଏବଂ ଧନ୍ଯବାଦ ଅର୍ପଣ କରିଥିଲେ ସାମାଜିକ ବିଜ୍ଞାନର ଅଧ୍ୟାପକ ଚନ୍ଦନ ପୁହାଣ ।ଏହାଛଡ଼ା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଯୁବ ରେଡକ୍ରସ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି।