-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ପଲସଦା,ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ, ଆତ୍ମବିଶ୍ୱାସ ବୃଦ୍ଧି ତଥା ଶିଶୁମାନଙ୍କ ମଧ୍ୟରେ ଖେଳକୁଦ, ସାଂସ୍କୃତିକ ଓ ସାମାଜିକ ମୂଲ୍ୟବୋଧର ବିକାଶ ଉଦ୍ଦେଶ୍ୟରେ ଆଜି ପଲସଦା ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ–୨୦୨୬ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ପଲ୍ଲୀ ଆଲୋକ ପାଠାଗାର (PAP) ଏବଂ ପାଇକମାଳ ବ୍ଲକ ଶିକ୍ଷା ବିଭାଗର ମିଳିତ ସହଯୋଗରେ ଓ Dasara Rebuild Fund ର ଆର୍ଥିକ ସହାୟତାରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା।
ଉଦ୍ଘାଟନୀ ଉତ୍ସବରେ ପଲସଦା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ ପୋଢ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶୁଭମ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ PAP ସମ୍ପାଦକ ପ୍ରଶାନ୍ତ ନାୟକ, ଏବିଇଓ ଶ୍ରୀ ବିଶିକେଶନ ଶତପଥୀ, ଏବିଇଓ ଚକାମଣି ସୁନା, ପଲସଦା ବିଦ୍ୟାଳୟର ଏସଏମ.ସି ଅଧ୍ୟକ୍ଷ ମିଲନସିଂ ବରିହା ଏବଂ ପାଇକମାଳ ବ୍ଲକର MDM ଇନ୍ଚାର୍ଜ ଦୁବରାଜ ବେହେରା ଉପସ୍ଥିତ ଥିଲେ।
ଏହି ମହୋତ୍ସବରେ ପଲସଦା, କେର୍ମେଲାବାହାଲ ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ୨୪ଟି ବିଦ୍ୟାଳୟରୁ ପ୍ରାୟ ୮୦୦ ଜଣ ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ। ମୋଟ ୩୮ଟି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ସହିତ ମନୋରଞ୍ଜନମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିଶୁମାନେ ନିଜ ନିଜର କଳା, କ୍ରୀଡ଼ା ଓ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ମହେନ୍ଦ୍ର ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଲସଦା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପଦ୍ମଲୋଚନ ପୋଢ଼, ଏ.ପି ସମ୍ପାଦକ ପ୍ରଶାନ୍ତ ନାୟକ, କେର୍ମେଲାବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ପଣ୍ଡା, ଏବିଇଓ ବିଶିକେଶନ ଶତପଥୀ ଓ ଚକାମଣି ସୁନା ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ଏହି ଅବସରରେ ସାମ୍ବାଦିକ ମନୋରଞ୍ଜନ ନାୟକ ଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପଲସଦା କ୍ଲଷ୍ଟରର CRCC ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମହୋତ୍ସବକୁ ସଫଳ ଓ ସ୍ମରଣୀୟ କରିବାରେ PAP ର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ହୀରାଲାଲ ମିଶ୍ରଙ୍କ ସହିତ ଗୋବିନ୍ଦ ବିଶି, ପ୍ରଶାନ୍ତ ଥାପା, ରଞ୍ଜନ ପାଣ୍ଡେ, ପ୍ରହଲ୍ଲାଦ ପଧାନ, ଲିଲିମା ପଧାନ, ପ୍ରଶାନ୍ତ କୁଅଁର, ସୁଶାନ୍ତ ସା, ମଞ୍ଜୁ, ସୁଜାତା, ସରୋଜ, ଟିକି, ନୀଲମ, ପ୍ରତିଭା, ପୁଷ୍ପାଞ୍ଜଳି, ଦୁର୍ଯ୍ୟୋଧନ, ରଶ୍ମିତା, ସସ୍ମିତା ଏବଂ ପଲସଦା କ୍ଲଷ୍ଟରର ସମସ୍ତ CRCC, ୨୪ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।
ଶିଶୁମାନଙ୍କ ଖୁସି, ପ୍ରତିଭା ଓ ସାମୂହିକ ଅଂଶଗ୍ରହଣର ଏହି ଉତ୍ସବ ଶିକ୍ଷା ସହିତ ଖେଳ, ସଂସ୍କୃତି ଓ ସୃଜନଶୀଳତାର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।