-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
12-Nov-2026
ବଲାଙ୍ଗୀର (ପ୍ରେରଣା ଖବର ): ରାଜ୍ୟରେ କ୍ଷମତାସୀନ ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଶେଷକରି ବଲାଙ୍ଗୀର ଜିଲ୍ଲା ପ୍ରତି ସରକାରଙ୍କ ଅବହେଳା ଓ ଉଦାସୀନତା ଜିଲ୍ଲାବାସୀଙ୍କୁ ନିରାଶ କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଗରିବ କଲ୍ୟାଣ ଯୋଜନା କ୍ଷେତ୍ରରେ ସରକାରଙ୍କ ବିଫଳତା ଏବେ ସ୍ପଷ୍ଟ ହୋଇପଡ଼ିଛି ବୋଲି ବିଜୁ ଜନତା ଦଳ, ବଲାଙ୍ଗୀର ଜିଲ୍ଲା ପକ୍ଷରୁ ଅଭିଯୋଗ କରାଯାଇଛି।
ନବୀନ ସରକାରଙ୍କ ଅମଳରେ ସାମାଜିକ ସୁରକ୍ଷା ଯୋଜନାକୁ ଯେଉଁ ଗୁରୁତ୍ୱ ଦିଆଯାଉଥିଲା, ବର୍ତ୍ତମାନ ସରକାର ସେଥିରେ ବିଫଳ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ସମସ୍ତ ହିତାଧିକାରୀଙ୍କୁ ମାସିକ ୩,୦୦୦ ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧବୃଦ୍ଧା ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧି କରାଯାଇଛି। ଏହା ସହିତ ଆଜି ପର୍ଯ୍ୟନ୍ତ କଳାକାର ମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରିବାରେ ଅବହେଳା କରାଯାଇଛି ।
ଦୀର୍ଘ ୩୦ ମାସ ଧରି ନୂତନ ହିତାଧିକାରୀଙ୍କ ଆବେଦନ ଅନୁମୋଦନ ଅପେକ୍ଷାରେ ରହିଛି। ଅନ୍ୟପକ୍ଷରେ ଅନେକ ହିତାଧିକାରୀ ନିୟମିତ ସମୟରେ ଭତ୍ତା ପାଉନାହାନ୍ତି ଏବଂ ଗତ ୪ରୁ ୫ ମାସ ହେଲା ଅନେକ ଗରିବ ବୃଦ୍ଧବୃଦ୍ଧା ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପ୍ରତିଫଳିତ କରୁଛି।
ଡବଲ ଇଞ୍ଜିନ ସରକାର ଗଠନ ହେବାର ଅଢ଼େଇ ବର୍ଷ ମଧ୍ୟରେ ନୂତନ ଆବାସ ଗୃହ ବଣ୍ଟନ କ୍ଷେତ୍ରରେ ସରକାରଙ୍କ ସଫଳତା ଶୂନ। ନିର୍ବାଚନ ପୂର୍ବରୁ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କେବଳ ଏକ ପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତିରେ ସୀମିତ ରହିଯାଇଛି।
ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନରେ ବିଳମ୍ବ ଯୋଗୁଁ ଅନେକ ଘର ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ଫଳରେ ଗରିବ ଲୋକମାନେ ଋଣଗ୍ରସ୍ତ ହେବା ସହ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଆବାସ ଗୃହ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ସହ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ବର୍ତ୍ତମାନ ସହାୟତା ରାଶିକୁ ୧ ଲକ୍ଷ ୨୦ ହଜାର ଟଙ୍କାରେ ସୀମିତ ରଖାଯାଇଛି ।
୩୦ମାସ ସରକାର ମଧ୍ୟରେ ଗୋଟିଏ ମଧ୍ୟ କଳାକାର ଭତ୍ତା ପ୍ରଦାନ କରାଯାଉନାହିଁ
କୃଷି ଓ ଚାଷୀଙ୍କ ସମସ୍ୟା ପ୍ରତି ସରକାର ନିରବ
ବଲାଙ୍ଗୀର ଜିଲ୍ଲାରୁ କୃଷିମନ୍ତ୍ରୀ ଥାଇ ମଧ୍ୟ ଦେଓଗାଁ ଚିନିକଳକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ଅନିୟମିତ ବର୍ଷା ଓ ଅନ୍ୟାନ୍ୟ କାରଣରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ମିଳିନାହିଁ। ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନକୁ ମଧ୍ୟ ଅଣଦେଖା କରାଯାଇଛି। ଏହା ପରିବର୍ତ୍ତେ କେବଳ ଏକ ମହାବିଦ୍ୟାଳୟ ଘୋଷଣା କରି ଜିଲ୍ଲାବାସୀଙ୍କୁ ଭୁଆଁ ବୁଲାଯାଇଛି।
ସ୍ୱାସ୍ଥ୍ୟସେବାରେ ବଲାଙ୍ଗୀର ଜିଲ୍ଲାକୁ ଅଣଦେଖା
ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ବିଫଳତା ସବୁଠାରୁ ଚିନ୍ତାଜନକ। ନୂତନ ସରକାର ଗଠନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ତିନି ମାସ ମଧ୍ୟରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ MRI, CT Scan, Blood Bank ଆଦି ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୩୦ ମାସ ବିତିଯାଇଥିଲେ ମଧ୍ୟ ଏହି ପ୍ରତିଶ୍ରୁତି ପୂରଣ ହୋଇନାହିଁ।
ଏପରିକି ହସ୍ପିଟାଲରେ ନୂତନ ବେଡ୍ ଓ ବେଡ୍ସିଟ୍, ଔଷଧ ଯୋଗାଇବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ସହ ହୃଦରୋଗ, ସ୍ନାୟୁରୋଗ ଓ ଯକୃତ ରୋଗ ଭଳି ବିଭାଗରେ ସୁପର ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତି କରିବା ଅତ୍ୟନ୍ତ ଜରୁରୀ।
ଏହାସହ ଆଗଲପୁର, ଲୋଇସିଂହା, ସଇଁତଳା ଓ ମୁରିବାହାଲରେ ନୂତନ CHC କୋଠା ନିର୍ମାଣ କାର୍ଯ୍ୟ ୨୦୨୪ରେ ଶେଷ ହେବାର ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଫଳରେ ଏହି ଅଞ୍ଚଳର ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।
ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ନଚେତ୍ ଗଣତାନ୍ତ୍ରିକ ଆନ୍ଦୋଳନ
ବଲାଙ୍ଗୀର ଜିଲ୍ଲାର ଶିକ୍ଷା, କୃଷି, ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖାଦେଇଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ। ନଚେତ୍ ବଲାଙ୍ଗୀର ଜିଲ୍ଲାବାସୀଙ୍କ ନ୍ୟାଯ୍ୟ ସ୍ୱାର୍ଥ ଓ ହକ୍ ପାଇଁ ବିଜୁ ଜନତା ଦଳ ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜୁ ଜନତା ଦଳର ସମ୍ପାଦକ ଲକ୍ଷ୍ମଣ କୁମାର ମେହେର, ପ୍ରଭାସ ପାଣିଗ୍ରାହୀ ,ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ପୌରାଧ୍ୟକ୍ଷା ଲିକା ସାହୁ , ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ , ଦେଓଗାଁବ୍ଲକ ଅଧ୍ୟକ୍ଷ ଦୟାନୀଧି ଖମାରୀ , ନଗର ସଭାପତି ସମ୍ଭୁ ନାଗ, ବରିଷ୍ଠ ନେତା କୈଳାଶ ଚନ୍ଦ୍ର ମହାନ୍ତି , ଶୁଶିଲ ଚାନ୍ଦ, ବିଧୁଭୂଷଣ ତ୍ରୀପାଠୀ ମଞ୍ଚାସୀନ ହୋଇ ସାମ୍ବାଦିକ ମାନଙ୍କୁ ସୁଚନା ଦେଇଥିଲେ ।