-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Nov-2023
ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ):ଗତକାଲି ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଲ ଗ୍ରାମର ଜଣେ ଯୁବକଙ୍କର ଜଣେ କ୍ବାକ୍ ର ଭୁଲ୍ ଇଞ୍ଜେକସନ୍ ରେ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ଚଣାବାହାଲର ଶିବ ମହାନନ୍ଦ ଓ କ୍ବାକ୍ ଜଣକ ହେଉଛି , ଚଣାବାହାଲ ଛକରେ କ୍ଲିନିକ୍ ଖୋଲିଥିବା ବାଗବାହାଲିର ପ୍ରମୋଦ ମହାକୁର । କାଠହାଣୁଥିବାବେଳେ ଗୋଡରେ ଟାଙ୍ଗିଆ ବାଜି ଆଘାତ ପାଇ ରକ୍ତସ୍ରାବ ହେବାରୁ ଟିଟାନସ୍ ଡକାଇବାରୁ ଶିବଙ୍କୁ କ୍ବାକ୍ ପ୍ରମୋଦ ଆସି କୌଣସି ଭୁଲ୍ ଇଞ୍ଜେକସନ୍ ଦେଇଥିଲେ ଓ ଶିବ ତତ୍ କ୍ଷଣାତ୍ ଚେତାହରାଇ ପଡିଯାଇଥିବା ତାଙ୍କ ପତ୍ନୀ ଓ ପରିବାରର ଲୋକେ ଅଭିଯୋଗ କରିଛନ୍ତି । କଣ୍ଟାବାଞ୍ଜି ଡାକ୍ତର ଖାନାକୁ ନେଲାବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତରଙ୍କ ଠାରୁ ପ୍ରକାଶ । ଏ ସମ୍ପର୍କରେ ମୃତକର ପରିବାର ପକ୍ଷରୁ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି ଓ ପୁଲିସ୍ ଏକ ମାମଲା ଋଜୁକରି ତଦନ୍ତ କରୁଥିବା ପ୍ରକାଶ । ଅଭିଯୁକ୍ତ କ୍ବାକ୍ ଫେରାର୍ ହୋଇଯାଇଥିଲା । ତେବେ ଗତକାଲି ମୁରିବାହାଲ ଥାନା ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତେବେ ଏହା ଏକମାତ୍ର ଘଟଣା ନୁହେଁ l କିଛିଦିନ ତଳେ ପୁଇଁତଳା ଥାନାରେ ଜଣେ କ୍ବାକ୍ ବିରୁଦ୍ଧରେ ଜଣେ ଡ୍ରାଇଭରଙ୍କୁ ସାଙ୍ଗରେ ନେଇ ମାରିଦେଇ ଥିବାର ଅଭିଯୋଗ ହୋଇଥିଲା । ସାଲେଭଟା- କୁଟାସିଂହାର ଉକ୍ତ ଯୁବକ୍ବାକ୍ ଜଣକ ଉକ୍ତ
ଡ୍ରାଇଭରକୁ ଗାଡିସହ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ରାତ୍ରୀଯାପନ କରିଥିଲେ ଓ ସେଠାରେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ଏବଂ ଏଥିପାଇଁ ଉକ୍ତ କ୍ବାକ୍ ଜଣକ ଦାୟୀ ବୋଲି ଥାନାରେ ଅଭିଯୋଗ କରାଯାଇଥିବା ପ୍ରକାଶ। ତେବେ ଏହି ସନ୍ଦିଗ୍ଧ ମାମଲାଟିର କଣ ହେଲା , ଜଣାପଡିପାରି ନାହିଁ ।
କିଛିମାସତଳେ ଖପ୍ରାଖୋଲ ପୁଲିସ୍ ନାନ୍ଦୁପଲାରୁ ଜଣେ, ଝାଙ୍କରପାଲିରୁ ଜଣେ ଓ ଲାଠୋର ପୁଲିସ୍ ବେନ୍ଦେରରୁ ଜଣେ ଏପରି ୩ ଜଣ ବଙ୍ଗାଳୀ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ସେ ସମୟରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ସତ୍ତ୍ୱେ ପୁଲିସ୍ ସହ ସୁସମ୍ପର୍କ ଥିବା ପାଟଣାଗଡ ସହରର ଜଣେ 'ଅଲଟର ମେଡିସିନ୍' ବୋଲି ଲୋକଙ୍କୁ ଭୁଆଁବୁଲେଇ ଆସୁଥିବା କୋଟିପତି ବଙ୍ଗାଳୀ ଡାକ୍ତର ଓ ଲାଠୋର କଲେଜଛକରେ କୋଠାବାଡି କରି ପ୍ରଚୁର ରୋଗୀ ଶୋଷଣ କରିଆସୁଥିବା ଜଣେ ଠକ ବୈଦ୍ୟକୁ ଗିରଫ କଲା ନାହିଁ । ଏହା ପଛରେ ଲକ୍ଷାଧିକ ଟଙ୍କାର ତେଲମରା ହାତଚିକ୍କଣ ହୋଇଥିବା ଚର୍ଚ୍ଚା ହୋଇଥିଲା ।
କେବଳ ଏତିକି ନୁହେଁ , ତୁଷୁରାର ବୁଧ ଡାକ୍ତର ଓ ଏହି ଅଞ୍ଚଳର ପିପଳମୁଡାର ପାରାଲିସିସ୍ ଡାକ୍ତର ବିରଞ୍ଚି, ବୁର୍ଡାର
ବାତଡାକ୍ତର, ରିନବଚନ, ଭାଲୁମୁଣ୍ଡା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ରହିଥିବା ହାଡଡାକ୍ତର , ବାଞ୍ଝମାନଙ୍କୁ ସନ୍ତାନ କରାଇଦେବାକୁ ଅଜଣା ଔଷଧ ଦେଉଥିବା ମହିଳା କବିରାଜ, ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର ବୁଲି ବୁଲି ସୁଜାଫୋଡା କମ୍ପାଉଣ୍ଡର, ଚତୁର୍ଥଶ୍ରେଣୀ କର୍ମଚାରୀ ଓ ଆୟୁର୍ବେଦିକ ଡାକ୍ତରୀପାଠ ପଢି ଏଲୋପାଥିକ୍ ଚିକିତ୍ସା କରୁଥିବା ତଥାକଥିତ ଡାକ୍ତର ଇତ୍ୟାଦିମାନେ ଗା' ଗା' , ସହର ସହରରେ ସକ୍ରିୟ ରହିଆସିଛନ୍ତି । ସରକାରୀ ସ୍ବାସ୍ଥ୍ୟସେବାର ଚରମ ଅବହେଳା , ରୋଗୀ ଶୋଷଣ, ଘରୋଇ ଡାକ୍ତରଖାନା ଗୁଡିକରେ ପ୍ରଚୁର ଅର୍ଥଲାଳସା ଓ ସଚେତନତାର ଅଭାବ ସହିତ କ୍ବାକ୍ ମାନଙ୍କର ଘର ଘର ବୁଲି ଉଧାରୀରେ ଚିକିତ୍ସା ଉପଲବ୍ଧ କରାଇବା ଇତ୍ୟାଦି କାରଣ ଯୋଗୁଁ ଜିଲ୍ଲା ଓ ଅନ୍ୟାନ୍ୟ ଜିଲ୍ଲାରେ ବି, ଏଭଳି ଭୁଲ୍ ଚିକିତ୍ସା ବର୍ଷ ବର୍ଷ ଧରି ଚାଲିଛି । ସରକାର, ସ୍ବାସ୍ଥ୍ୟବିଭାଗ, ପ୍ରଶାସନ ଓ ପୁଲିସ୍ ର ଉତ୍କୋଚଖୋର୍ ସ୍ବଭାବ ନିମନ୍ତେ ଏହାର ତଦନ୍ତ , ଧରପଗଡ ବା ଉପଯୁକ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସମସ୍ତେ ଜାଣୁଛନ୍ତି । ଗଣମାଧ୍ୟମ ଓ ଲୋକ ପ୍ରତିନିଧିମାନେ ବି ନୀରବ କାହିଁକି , ବୁଝିହୁଏନା !