-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ଗ୍ରାମସଭା ଓ ଆଦିବାସୀଙ୍କ ସମ୍ମତି ବିନା ଖଣି ଲିଜ୍କୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି
ଏହି ଶୁଣାଣିରେ ଆୟୋଗଙ୍କ ମାନ୍ୟବର ସଦସ୍ୟଙ୍କ ସମ୍ମୁଖରେ ଭାରତ ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ, ଓଡ଼ିଶା ସରକାରଙ୍କ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ସଚିବ ଏବଂ ବିଶେଷ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶୁଣାଣି ସମୟରେ ପୂର୍ବତନ ସାଂସଦ ଶ୍ରୀ ବିଶି କୁଟ୍ରୁମାଳି, ତିଜିମାଳି, ଦେଓମାଳି ଓ ବାଫଲିମାଳି ଅଞ୍ଚଳର 52ଟି ଆଦିବାସୀ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ ହୋଇନଥିବା ଏବଂ ସ୍ଥାନୀୟ ଆଦିବାସୀଙ୍କ ସମ୍ମତି ନିଆଯାଇନଥିବା ଅଭିଯୋଗ କରିଥିଲେ। ଗ୍ରାମସଭାର ଅନୁମୋଦନ ଓ ଆବଶ୍ୟକ ବନ ଅନୁମତି ବିନା କେଉଁ ଆଧାରରେ ଖଣି ଲିଜ୍ ପ୍ରଦାନ କରାଗଲା ଏବଂ ଖଣି ସମ୍ପର୍କିତ କାର୍ଯ୍ୟ ଆରମ୍ଭ ହେଲା, ସେ ସମ୍ପର୍କରେ ସେ ପ୍ରଶ୍ନ ଉଠାଇଥିଲେ।
କୁଟ୍ରୁମାଳି ପର୍ବତମାଳା କେବଳ ଏକ ଖଣିଜ ସମ୍ପଦର ଭଣ୍ଡାର ନୁହେଁ; ଏହା ସ୍ଥାନୀୟ ଆଦିବାସୀଙ୍କ ଜୀବନ, ଜୀବିକା, ଧାର୍ମିକ ବିଶ୍ୱାସ, ସଂସ୍କୃତି ଓ ପାରମ୍ପରିକ ଅସ୍ମିତାର ଆଧାର। ଏହି ପର୍ବତମାଳାର ଜଙ୍ଗଲ, ଝରଣା, ଔଷଧୀୟ ବୃକ୍ଷଲତା ଓ ବନଜାତ ଦ୍ରବ୍ୟ ଉପରେ ଆଦିବାସୀମାନେ ନିର୍ଭରଶୀଳ। ତେଣୁ ଖଣି ଖନନ ଦ୍ୱାରା ସେମାନଙ୍କ ଜୀବନଜୀବିକା ଓ ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ବିଶି ଦର୍ଶାଇଥିଲେ।
କାଶୀପୁର ଅଞ୍ଚଳରେ ଖଣି ଖନନକୁ ବିରୋଧ କରୁଥିବା ଆଦିବାସୀଙ୍କ ଉପରେ କଥିତ ପୁଲିସ ନିର୍ଯାତନା, ମହିଳା ଓ ପୁରୁଷଙ୍କ ପ୍ରତି ଅମାନବୀୟ ବ୍ୟବହାର, ନିରୀହ ଆଦିବାସୀଙ୍କ ବିରୋଧରେ 30ରୁ 40ଟି ମିଥ୍ୟା ମାମଲା ରୁଜୁ ଏବଂ ଗୃହବନ୍ଦୀ କରାଯାଇଥିବା ଅଭିଯୋଗକୁ ମଧ୍ୟ ସେ ଆୟୋଗଙ୍କ ଦୃଷ୍ଟିକୁ ଆଣିଥିଲେ।
ଶ୍ରୀ ବିଶିଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ, ଶୁଣାଣି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସମ୍ପୃକ୍ତ ଅଞ୍ଚଳରେ ଗ୍ରାମସଭା ହୋଇନଥିବା, ଆଦିବାସୀଙ୍କ ସମ୍ମତି ମିଳିନଥିବା ଏବଂ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ବନ ଅନୁମତି ପ୍ରଦାନ କରାଯାଇନଥିବା ସମ୍ପର୍କରେ ଆୟୋଗଙ୍କୁ ଅବଗତ କରାଇଥିଲେ।
ସମ୍ପୃକ୍ତ ଅଞ୍ଚଳ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ ହୋଇଥିବାରୁ ପେସା ଆଇନ, 1996; ବନ ଅଧିକାର ଆଇନ, 2006; ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅଚଳ ସମ୍ପତ୍ତି ହସ୍ତାନ୍ତର ନିୟମାବଳୀ, 1956 ଏବଂ ନିୟମଗିରି ଖଣି ସମ୍ପର୍କିତ 2013 ମସିହାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ରାୟକୁ ଶ୍ରୀ ବିଶି ଶୁଣାଣି ସମୟରେ ଉଲ୍ଲେଖ କରିଥିଲେ। ଏସବୁ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ବ୍ୟବସ୍ଥାକୁ ସମ୍ମାନ ଦେଇ କୁଟ୍ରୁମାଳି ବକ୍ସାଇଟ୍ ଖଣି ଲିଜ୍ ବାତିଲ କରିବାକୁ ସେ ଦାବି ଜଣାଇଥିଲେ।
ସମସ୍ତ ପକ୍ଷଙ୍କ ବକ୍ତବ୍ୟ ଶୁଣିବା ପରେ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ନିମନ୍ତେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆୟୋଗଙ୍କ ମାନ୍ୟବର ସଦସ୍ୟ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।