-+91-9937148622 |
prerana_bgr@rediffmail.com |
Friday 27th November 2026 |
R.N.I. Regd No. ODIODI/2010/46693
Breaking News
27-Nov-2026
କଣ୍ଟାମାଳ: ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ ବୌଦ୍ଧ ତରଫରୁ ଏକବିଂଶତମ ବୌଦ୍ଧ ପୁସ୍ତକମେଳା ଆସନ୍ତା ଡିସେମ୍ବର ୦୩ ତାରିଖରୁ ୦୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଚେରୀ ଖେଳପଡିଆରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ସେମାନଙ୍କ ନାମ ଘୋଷଣା କରାଯାଇଛି । ଡିସେମ୍ବର ୬ ତାରିଖ ଦିନ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ଉନ୍ମୋଚିତ ହେବ । ଏହି ଅବସରରେ ସାମ୍ବାଦିକତା, ସାହିତ୍ୟ, ସମାଜସେବା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁସ୍ତକମେଳା ସମ୍ମାନ ପ୍ରଦାନ କରାଯିବ। ସ୍ବର୍ଗତଃ ବନମାଳୀ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟସ୍ତରରେ ବିଶେଷ ସଫଳତା ହାସଲ କରିଥିବା କନକ ଟିଭି ର ବରିଷ୍ଠ ସାମ୍ବାଦିକ ଭବାନୀ ମହାପାତ୍ରଙ୍କୁ ଚଳିତଥର ବାର୍ତ୍ତାବହ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ସେହିପରି ରାଜ୍ୟ ସ୍ତରରେ ସାହିତ୍ୟ କ୍ଷେତ୍ରରେ ପୁସ୍ତକମେଳା ସମ୍ମାନରେ ବରିଷ୍ଠ ସାହିତ୍ୟିକ ଡ ଅଜୟ ମହାପାତ୍ରଙ୍କୁ ସମ୍ମାନୀତ କରାଯିବ।
ଜିଲ୍ଲାସ୍ତରରେ ପୁସ୍ତକମେଳା ସମ୍ମାନରେ ସାମ୍ବାଦିକତା କ୍ଷେତ୍ରରେ ଗଡଜାତ ଖବର ବରିଷ୍ଠ ସାମ୍ବାଦିକ ସତ୍ୟଜିତ୍ କୁମାର ପଣ୍ଡା, ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ଦେହୁରୀ, ସମାଜସେବା କ୍ଷେତ୍ରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାଇସିଡିଏ’ର ସଂପାଦକ ରାଜେନ୍ଦ୍ର କୁମାର ମେହେରଙ୍କୁ ସମ୍ମାନିତ କରାଯିବ । ଏଥିସହିତ ବୌଦ୍ଧଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିବାକୁ ବୈଠକରେ ସ୍ଥିରିକୃତ ହୋଇଛି । ଡିସେମ୍ବର ୦୩ ରୁ ୦୯ ତାରିଖ ମଧ୍ୟରେ ଜର୍ଣ୍ଣାଲିଷ୍ଟ ଫୋରମ୍ ସମେତ ପ୍ରେସ କ୍ଲବ, ଇନଟାକ ବୌଦ୍ଧ ଚାପଟର, ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ସମ୍ମିଳନୀ, ଓଡିଶା ଲେଖିକା ସମାଜ ଆଦି ଅନୁଷ୍ଠାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାହିତ୍ୟସଭା, ହାସ୍ୟ ବ୍ୟଙ୍ଗକବି ସମ୍ମିଳନୀ, ଜିଲ୍ଲାସ୍ତରୀୟ କଳାକାର ସମ୍ମିଳନୀ, କବିତା ଆସର, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ, କର୍ମଶାଳା, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦିି ଦ୍ୱାରା ଚଳିତଥର ପୁସ୍ତକମେଳାର ସ୍ୱତନ୍ତ୍ରତା ରହିବ । ରାଜ୍ୟର ବିଭିନ୍ନ ନୃତ୍ୟ ଦଳ ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲା ବାହାରୁ ଅନୁଷ୍ଠାନମାନେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଚଳିତଥର ୧୦୦ ଷ୍ଟଲ୍ ଖୋଲାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଅନେକ ପ୍ରତିଷ୍ଠିତ ପୁସ୍ତକ ବିକ୍ରେତା ଓ ପ୍ରକାଶକ ଏହି ପୁସ୍ତକ ମେଳାରେ ଭାଗ ନେବେ ବୋଲି ପୁସ୍ତକ ମେଳାର ଆବାହକ ଦିବ୍ୟ ରଞ୍ଜନ ପଟ୍ଟନାୟକ ଏ ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି ।