-+91-9937148622 |
prerana_bgr@rediffmail.com |
Thursday 26th November 2026 |
R.N.I. Regd No. ODIODI/2010/46693
Breaking News
26-Nov-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା (PRI) ଏବଂ ପୌରାଞ୍ଚଳ (ULB) ସାଧାରଣ ନିର୍ବାଚନ ନିମନ୍ତେ ଏକ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ସମ୍ବଲପୁର ମହାନଗର ନିଗମ (SMC) ସମ୍ମିଳନୀ କକ୍ଷଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀ, ଭା.ପ୍ର.ସେ. (ଅବସରପ୍ରାପ୍ତ) ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର ସମ୍ବଲପୁର ଜିଲ୍ଲାର ଭୋଟର ତାଲିକା ସଂଶୋଧନ ଓ ଘରକୁ ଘର ସର୍ଭେକ୍ଷଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ତାଙ୍କ ସହିତ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଭା.ପ୍ର.ସେ ) , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଅଶୋକ ଭୋଇ ଓ ସମ୍ବଲପୁର ମହାନଗର ନିଗମ (SMC) କମିଶନରଙ୍କ ଶ୍ରୀ ରେହାନ ଖତ୍ରି (ଭା.ପ୍ର.ସେ ) ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାଙ୍କ ଦ୍ୱାରା ଚାଲୁଥିବା ‘ଘରକୁ ଘର ଭୋଟର ତାଲିକା ସର୍ବେକ୍ଷଣ’ (୨୬ ସେପ୍ଟେମ୍ବର - ୦୭ ନଭେମ୍ବର ୨୦୨୬) ପରବର୍ତ୍ତୀ ଡିଜିଟାଇଜେସନ୍ ଏବଂ ଦାବି ଓ ଆପତ୍ତି (Claims and Objections) ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଏକ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍ ଡିସେମ୍ବର ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଆୟୋଗ ଲକ୍ଷ୍ୟ ରଖିଛନ୍ତି। ବୈଠକରେ ଆୟୁକ୍ତ କହିଛନ୍ତି, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦ୍ରୁତତା ଆଣିବା ପାଇଁ ବ୍ଲକ୍ ଏବଂ ପୌରାଞ୍ଚଳ ସ୍ତରରେ ଉପଲବ୍ଧ ଥିବା ଏକାଧିକ କମ୍ପ୍ୟୁଟର ସିଷ୍ଟମ୍ ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ସମ୍ପୂର୍ଣ୍ଣ ବିନିଯୋଗ କରାଯିବ।
କାର୍ଯ୍ୟଭାରକୁ ସଠିକ୍ ଭାବେ ବଣ୍ଟନ କରିବା ପାଇଁ ଇଆରଓ (ERO), ଉପଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁ ବ୍ଲକ୍ କିମ୍ବା ଅଞ୍ଚଳରେ ଅଧିକ ସଂଖ୍ୟକ ଦାବି ଓ ଆପତ୍ତି ଆବେଦନ ଆସିଛି, ସେଠାରେ ବିଡିଓ (BDO)ଙ୍କ ସହିତ ଅତିରିକ୍ତ ବିଡିଓ, ତହସିଲଦାର ଏବଂ ଅତିରିକ୍ତ ତହସିଲଦାରମାନଙ୍କୁ ଅତିରିକ୍ତ ସହକାରୀ ନିର୍ଵାଚକ ପଞ୍ଜିକରଣ ଅଧିକାରୀ ବୋଲି ଏହି କାର୍ଯ୍ୟରେ ନିୟୋଜିତ କରାଯାଇଅଛି । ଏହାବ୍ୟତୀତ, ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି, ଆବେଦନ ଫର୍ମଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟ ସମାନ୍ତରାଳ ଭାବେ ଜାରି ରଖିବାକୁ ଆୟୁକ୍ତ ପରାମର୍ଶ ଦେଇଛନ୍ତି।
ଡିଜିଟାଇଜେସନ୍ ପ୍ରକ୍ରିୟାରେ ସମୟ ଓ କାର୍ଯ୍ୟ ଦକ୍ଷତା ଉପରେ ଗୁରୁତ୍ୱ ଦେଇ ଆୟୁକ୍ତ କହିଛନ୍ତି ଯେ, ଡାଟା ଏଣ୍ଟ୍ରି ସମୟରେ ଅନାବଶ୍ୟକ ପୁନରାବୃତ୍ତିକୁ ଏଡ଼ାଇ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରାଯିବା ଆବଶ୍ୟକ। ଗ୍ରାମାଞ୍ଚଳ ପାଇଁ ଗ୍ରାମର ନାମ ଏବଂ ସହରାଞ୍ଚଳ ପାଇଁ ୱାର୍ଡ ଓ ଅଞ୍ଚଳର ସଠିକ୍ ତଥ୍ୟ ସହ ଡିଜିଟାଇଜେସନ୍ କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଭାବେ ଶେଷ କରିବାକୁ ସେ ସମସ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି, ଯାହାଦ୍ୱାରା ଏକ ନିର୍ଭୁଲ ଏବଂ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ସମସ୍ତ ଭୋଟର ତଥ୍ୟର ଡିଜିଟାଇଜେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପଡ଼ି ରହିଥିବା ଦାବି ଓ ଆପତ୍ତିଗୁଡ଼ିକର ତ୍ୱରିତ ତଦନ୍ତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନରେ ଯେପରି କୌଣସି ଯୋଗ୍ୟ ଭୋଟର ମତଦାନରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି।