-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ନୂଆପଡ଼ା, ତା. ୨୮/୧୧: ନୂଆପଡ଼ା ଜିଲ୍ଲାରେ ଦାଦନ ସମସ୍ୟାର ମୁକାବିଲା ସହ ପ୍ରବାସୀ ଶ୍ରମିକ, ସମ୍ଭାବ୍ୟ ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ସରକାରୀ କଲ୍ୟାଣକାରୀ ଯୋଜନା, ନିଯୁକ୍ତି ଓ ଜୀବିକା ସୁଯୋଗ ସହ ଯୋଡ଼ିବା ଲକ୍ଷ୍ୟରେ ଆଜି ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଜୋର ଗ୍ରାମ ପଞ୍ଚାୟତଠାରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କ ଯୋଗଦାନ ଏହାକୁ ବ୍ୟାପକ ଜନସମର୍ଥନ ପ୍ରଦାନ କରିଥିଲା।
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଗଣେଶ୍ୱର କଁହର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍ଗୁଡ଼ିକ ପରିଦର୍ଶନ କରିବା ସହ ହିତାଧିକାରୀଙ୍କୁ ଉପଲବ୍ଧ ସେବା ଓ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ।
କାର୍ଯ୍ୟକ୍ରମରେ ଶ୍ରମ ବିଭାଗ ପକ୍ଷରୁ ପ୍ରାୟ ୯୧ଟି ବିଭିନ୍ନ ଆବେଦନ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ କେତେକର ତତ୍କାଳ ସମାଧାନ କରାଯାଇଥିଲା। ଏଥିସହ ଶ୍ରମ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଦୁଇ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ମୃତ୍ୟୁକାଳୀନ ସହାୟତା, ଦୁଇ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମାତୃତ୍ୱକାଳୀନ ସହାୟତା ଏବଂ ତିନି ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଦୁଇ ଜଣ ହିତାଧିକାରୀଙ୍କୁ ଯଥାକ୍ରମେ ୭ ହଜାର ଓ ୫ ହଜାର ଟଙ୍କା ଶିକ୍ଷା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ସହ ଜୀବିକା ନିର୍ବାହ ଓ ନିଯୁକ୍ତିର ବିକଳ୍ପ ସୁଯୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଆଧାର ପଞ୍ଜୀକରଣ ଓ ସଂଶୋଧନ, ବ୍ୟାଙ୍କ ଖାତା ଖୋଲିବା, ଆଧାର ସଂଯୋଗ, ରାସନ କାର୍ଡ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ସେବା ଉପଲବ୍ଧ କରାଯାଇଥିଲା।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ହିତାଧିକାରୀଙ୍କ ଆବେଦନ ଗ୍ରହଣ କରିବା ସହ ସମ୍ପୃକ୍ତ ଯୋଜନା ଓ ସେବା ସମ୍ପର୍କରେ ସୂଚନା ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ। ଯୋଗ୍ୟ ହିତାଧିକାରୀ ଯେପରି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବା ସହ ଗ୍ରହଣ କରାଯାଇଥିବା ଆବେଦନଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଉପଜିଲ୍ଲାପାଳ ଶେଖ୍ ନସିମଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
‘ନୂଆପଡ଼ା ଉନ୍ମେଷ’ ଜରିଆରେ ଜିଲ୍ଲାର ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ସରକାରୀ ସେବା ସହ ସିଧାସଳଖ ଯୋଡ଼ିବା, ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ସ୍ଥାନୀୟ ସ୍ତରରେ ଜୀବିକାର ବିକଳ୍ପ ସୁଯୋଗ ସୃଷ୍ଟି କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଜାରି ରହିଛି।