-+91-9937148622 |
prerana_bgr@rediffmail.com |
Saturday 28th November 2026 |
R.N.I. Regd No. ODIODI/2010/46693
Breaking News
28-Nov-2026
ବରଗଡ(ପ୍ରେରଣା ଖବର): ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ସାମ୍ବାଦିକତାର ଭୂମିକା ଓ ଏହାର ବିଭିନ୍ନ ଆହ୍ୱାନକୁ ନେଇ ନୂଆଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। 'ପରିବେଶ ସାମ୍ବାଦିକତା ଏବଂ ଏହାର ଆହ୍ୱାନ' ଶୀର୍ଷକ ଏହି ସମ୍ମିଳନୀରେ ଦେଶର ବହୁ ବିଶିଷ୍ଟ ସାମ୍ବାଦିକ, ପରିବେଶବିତ୍, ଶିକ୍ଷାବିତ୍ ଓ ସମାଜସେବୀ ଯୋଗଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ନିଜସ୍ୱ ମତାମତ ଓ ଅନୁଭୂତି ବାଣ୍ଟିଥିଲେ। ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ସକାଳ ୧୧ଟାରେ ଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୋଇଥିଲା। ନେଚର କେୟାର ଇନିସିଏଟିଭ୍ର ଉପସଭାପତି ଅଖିଳେଶ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମନ୍ତରାୟ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଲ୍ୟାଣ୍ଡ କନ୍ଫ୍ଲିକ୍ଟ ୱାଚ୍ ଏବଂ ନଟ୍ଗ୍ରାଫ୍ ସୋସିଆଲ୍ ଡାଟା ଲ୍ୟାବ୍ର ପ୍ରତିଷ୍ଠାତା-ନିର୍ଦ୍ଦେଶକ କୁମାର ସମ୍ଭବ ଶ୍ରୀବାସ୍ତବ ପରିବେଶ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି, ଏହାର ସମସ୍ୟା ଓ ଆଗାମୀ ଦିନର ଆହ୍ୱାନ ଉପରେ ନିଜର ମତ ରଖିଥିଲେ। ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଭାରତର ପ୍ରଥମ କାର୍ବନ ଗାର୍ଡେନ ଓ ଇଣ୍ଡିଆନ୍ ଚେରି ବ୍ଲସମ୍ ଫେଷ୍ଟିଭାଲ୍ର ପ୍ରତିଷ୍ଠାତା ଡ. ଦୀନବନ୍ଧୁ ସାହୁ ପରିବେଶ ସନ୍ତୁଳନ ଓ ସବୁଜ ପରିବେଶ ଗଠନର ଆବଶ୍ୟକତା ଉପରେ ଅଭିଭାଷଣ ଦେଇଥିଲେ।ବିଶେଷ ଅତିଥି ଭାବେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପୋପଟ୍ରାଓ ବାଗୁଜୀ ପାୱାର ଏବଂ ଉମା ଶଙ୍କର ପାଣ୍ଡେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଓ ଗ୍ରାମୀଣ ପରିବେଶର ସୁରକ୍ଷା ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ। ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ବିଶେଷ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କୃଷକ ସମାଜ, ଜଙ୍ଗଲ ସମ୍ପଦ ଏବଂ ପରିବେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ପରିବେଶ ସୁରକ୍ଷା ଓ ଜନସଚେତନତା ସୃଷ୍ଟି କରିବାରେ ସାମ୍ବାଦିକମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ନିର୍ଭୀକ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଭାବେ ଲୋକଲୋଚନକୁ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମ୍ମିଳନୀର ଶେଷ ପର୍ଯ୍ୟାୟରେ ବରିଷ୍ଠ ସାମ୍ବାଦିକ ତଥା ସାଉଥ୍ ଏସିଆ କ୍ଲାଇମେଟ୍ ଚେଞ୍ଜ ଜର୍ଣ୍ଣାଲିଷ୍ଟ ଫୋରମ୍ର ଅଧ୍ୟକ୍ଷ ଆଶିଷ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ଜଳ ସଙ୍କଟ, ପ୍ରଦୂଷଣ ଓ ପରିବେଶ ଅସନ୍ତୁଳନ ଭଳି ଗମ୍ଭୀର ସମସ୍ୟା ଦିନକୁ ଦିନ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟୁଥିବା ବେଳେ ଏହାର ସଠିକ୍ ଚିତ୍ର ସମାଜ ସମ୍ମୁଖରେ ଉପସ୍ଥାପନ କରିବାରେ ପରିବେଶ ସାମ୍ବାଦିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱବହନ କରେ। ଏହି ଜାତୀୟ ସମ୍ମିଳନୀ ପରିବେଶ ସୁରକ୍ଷା ପାଇଁ ସାମ୍ବାଦିକତାର ଦାୟିତ୍ୱବୋଧ ଓ ସାମାଜିକ ସଚେତନତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ବିବେଚିତ ହୋଇଛି।