-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
17-Nov-2026
ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ) ଶିଶୁଙ୍କ ଅଧିକାର ସୁରକ୍ଷା, ସୃଜନଶୀଳତା ଓ ପ୍ରତିଭାର ବିକାଶ ସହ ନେତୃତ୍ୱ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଆୟୋଜିତ ଦୁଇଦିନିଆ ଶିଶୁ ମହୋତ୍ସବ ‘ପତାଙ୍ଗୀ-୨୦୨୬’ ଉଦ୍ଘାଟିତ ହୋଇଯାଇଛି। ୟୁଥ୍ କାଉନସିଲ୍ ଫର୍ ଡେଭଲପମେଣ୍ଟ ଅଲଟରନେଟିଭ୍ସ (ୱାଇସିଡିଏ), ବେଲପଡା ପକ୍ଷରୁ ନଭେମ୍ବର ୧୭ ଓ ୧୮ ତାରିଖରେ
ଡି.ଆର. ମେହେର ହାଇସ୍କୁଲ ପଡ଼ିଆରେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଗ୍ରାମରୁ ପ୍ରାୟ ୫୦୦ ଜଣ ଶିଶୁ ଯୋଗଦେଇଛନ୍ତି। ଉଦ୍ଘାଟନୀ ଉତ୍ସବରେ ବେଲପଡ଼ା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ। ଏଥିରେ ବିଡିଓ ରାଜେଶ ମେହେର, ଏବିଡିଓ ସାରଥୀ ସାହୁ, ୱାଇସିଡିଏର ସିଇଓ ରାଜେନ୍ଦ୍ର ମେହେର, ଆଇଆଇସି ଅନନ୍ତ ପ୍ରଧାନ, ପିଅର ଲିଡର ବିଥିକା ପ୍ରଧାନ ଓ ୟୁଥ୍ ଲିଡର ବୈକୁଣ୍ଠ ନାଗ, ଡ଼ି. ଆର. ମେହେର ହାଇସ୍କୁଲ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ମହୋତ୍ସବରେ ଶିଶୁମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ ଅଧିବେଶନ, କର୍ମଶାଳା ଓ ଅନୁଭୂତିମୂଳକ ଖେଳର ବ୍ୟବସ୍ଥା କରାଯାଇଛି। ଶିଶୁଙ୍କ ମାନସିକ ବିକାଶ, ଅଭିଭାବକଙ୍କ ଦାୟିତ୍ୱ, ଉତ୍ତମ ଯୋଗାଯୋଗ ଓ ସକାରାତ୍ମକ ପାଳନପୋଷଣ ଉପରେ ଆଲୋଚନା ହେଉଛି। ଏଥିସହ ଶିଶୁ ସୁରକ୍ଷା, ସାଇବର ଅପରାଧ,
ଅନଲାଇନ୍ ଠକେଇ ଓ ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ନେଇ ବେଲପଡ଼ା ପୁଲିସ ପକ୍ଷରୁ ସଚେତନ କରାଯାଉଛି। ଏହି ଅବସରରେ ୱାଇସିଡିଏର ସିଇଓ ରାଜେନ୍ଦ୍ର ମେହେର ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିଭାବକମାନେ ସେମାନଙ୍କୁ ଏକ ସୁରକ୍ଷିତ ଓ ଉତ୍ତମ ପରିବେଶ ଯୋଗାଇଦେବାକୁ ଆହ୍ୱାନ ଦେଇଥିଲେ। ସିନିୟର ପ୍ରୋଗ୍ରାମ ମ୍ୟାନେଜର ଶୁଭ୍ରତା ଜେନା, ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ଓ ବ୍ଲକ କୋ-ଅର୍ଡିନେଟର ସମୀର ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଶିଶୁମାନଙ୍କୁ ଜୀବନରେ ସଫଳତା ହାସଲ ପାଇଁ ଉତ୍ସାହିତ କରିଥିଲେ। ହସ୍ତଶିଳ୍ପ ପ୍ରଦର୍ଶନ, ବିଭିନ୍ନ କୌଶଳଭିତ୍ତିକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ପରିବେଷଣ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା।