-+91-9937148622 |
prerana_bgr@rediffmail.com |
Wednesday 18th November 2026 |
R.N.I. Regd No. ODIODI/2010/46693
Breaking News
17-Nov-2026
ବଲାଙ୍ଗୀର, ବଲାଙ୍ଗୀରସ୍ଥିତ ଆର୍.ଏନ୍. ସିଂଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ସନ୍ତରଣାଗାରଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ସନ୍ତରଣ ଚାମ୍ପିୟନସିପ୍-୨୦୨୬ ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୬୧ ଜଣ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ ସନ୍ତରଣ ଖେଳାଳି ଯୋଗଦାନ କରି ନିଜ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।
ଉଦ୍ଘାଟନୀ ସମାରୋହରେ ବଲାଙ୍ଗୀର ସଦର ଉପଖଣ୍ଡ ପୋଲିସ ଅଧିକାରୀ (SDPO) ଶ୍ରୀ ସରୋଜ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରୀନା କୁମାରୀ ବେହେରା ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଦିଲୀପ କୁମାର ଯୋଷୀ, ପ୍ରତିଯୋଗିତା ପର୍ଯ୍ୟବେକ୍ଷକ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଏବଂ ଜିଲ୍ଲା ସନ୍ତରଣ ସଂଘର ସମ୍ପାଦକ ଶ୍ରୀ ସୁମିତ ରଞ୍ଜନ ପୁରୋହିତ ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ଶ୍ରୀ ହେମନ୍ତ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ରଞ୍ଜିତା ମିଶ୍ର କାର୍ଯ୍ୟକ୍ରମର ସୁନ୍ଦର ସଂଯୋଜନା କରିଥିଲେ।
ଏହି ଅବସରରେ ଜିଲ୍ଲା ସନ୍ତରଣ ସଂଘର ସମ୍ପାଦକ ଶ୍ରୀ ସୁମିତ ରଞ୍ଜନ ପୁରୋହିତ ବଲାଙ୍ଗୀର ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍ର ବିଦ୍ୟାଳୟସ୍ତରୀୟ ଖେଳାଳିମାନଙ୍କୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସମାନ ସୁଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ଉପରେ ମତ ରଖିଥିଲେ। ସେ କହିଥିଲେ ଯେ, ଜିଲ୍ଲା ଶିକ୍ଷା ବିଭାଗ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କଲେ ଗ୍ରାମାଞ୍ଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ଅନେକ କ୍ରୀଡ଼ା ପ୍ରତିଭା ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଓ ସୁଯୋଗ ପାଇପାରିବେ। ଏହାଦ୍ୱାରା ଜିଲ୍ଲାରୁ ରାଜ୍ୟ ଓ ଜାତୀୟସ୍ତର ପର୍ଯ୍ୟନ୍ତ ଉତ୍ତମ କ୍ରୀଡ଼ାବିତ୍ ସୃଷ୍ଟି ହେବାର ମାର୍ଗ ପ୍ରଶସ୍ତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଏହି ସନ୍ତରଣ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ କରିବା ସହ ଭବିଷ୍ୟତରେ ଦକ୍ଷ ସନ୍ତରଣବିତ୍ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଉପସ୍ଥିତି: ଏହି କାର୍ଯ୍ୟକ୍ରମରେ ବୁଧିରାଜ ବିଶ୍ୱାଳ, ସୁଶୀଳା ବିଶ୍ୱାଳ, ପୁରନ୍ଦର ସେଠ, ସସ୍ମିତା ମିଶ୍ର, ସୌରଭ ପଧାନ, ସ୍ୱପ୍ନା ସେଠୀ, ସୁଜାତା ମଲ୍ଲିକ, ସୌଦାମିନୀ କାଣ୍ଡି, ସଙ୍କେତ ଯୋଷୀ, ନରେଶ ପଧାନ, ସୁରେଶ ପଧାନ, ସିଦ୍ଧାର୍ଥ ସେଠ, କ୍ଷୀରେଶ୍ୱର ବିଶ୍ୱାଳ, ରଣଜିତ ବେହେରା, ସୁଶୀଲ ପଧାନ, ରାଧାଗୋବିନ୍ଦ ନାଏକ ଓ ନେତ୍ରାନନ୍ଦ ବାଗଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ, କ୍ରୀଡ଼ା ଶିକ୍ଷକ ଓ ଆୟୋଜକ ଉପସ୍ଥିତ ଥିଲେ।