-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ): ଆଜକୁ ୨୦ ରୁ ୨୫ ବର୍ଷ ଧରି ବଲାଙ୍ଗିର ଜିଲ୍ଲାର ହଜାର ହଜାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଆସୁଛନ୍ତି। ସେଥିପାଇଁ ଏହି ଜିଲ୍ଲା କୁ ଦାଦନ ପ୍ରବଣ ଜିଲ୍ଲା ବୋଲି ବିବେଚିତ କରାଯାଉଥିବା ବେଳେ ଓଡ଼ିଶା ରାଜ୍ୟ ରେ ରାଜନୈତିକ ମହଲରେ ମଧ୍ୟ ଏହି ଦାଦନ ସମସ୍ୟାକୁ ନେଇ ରାଜନୀତି ଜୋର ଧରେ । ପୂର୍ବ ସରକାର ଙ୍କୁ ବର୍ତ୍ତମାନ ସରକାର ଏହି ଦାଦନ ସମସ୍ୟାକୁ ନେଇ ଅନେକ ଦୋଷାରୋପ ଦେଇ ଆସୁଥିଲେ କିନ୍ତୁ ବର୍ତ୍ତମାନ ସରକାର ମଧ୍ୟ ଏହି ଦାଦନ ସମସ୍ୟା ସମାଧାନ କରିବାରେ ଫେଲ ମାରିଥିବା ଦେଖାଦେଇଛି।ଯଥା ପୂର୍ବଂ ତଥା ପରମଂ ନୀତି ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ହେଉଛି। ବର୍ତ୍ତମାନ ସରକାରରେ ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ବଲାଙ୍ଗିର ଜିଲ୍ଲାରେ "ଟାକ୍ସଫୋର୍ସ" ଗଠନ କରାଯାଇଛି ସତ କିନ୍ତୁ ତାହା କେଉଁଠି କାର୍ଯକାରୀ ହେଉଛି ଲୋକଙ୍କୁ ଅଜଣା; ଏହି ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଶ୍ରମ ବିଭାଗ ଓ ପୋଲିସ୍ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବେଳେ କାଂ ଭାଂ ଛୋଟ ଛୋଟ ସର୍ଦ୍ଦାର ଙ୍କୁ ଧରି ନିଜର ଦାୟିତ୍ଵ ସାରିଦେଉଥିବା ନଜର ଆସୁଛି ଯାହା ଫଳରେ ବେଆଇନ ଦାଦନ ଶ୍ରମିକ ଚାଲାଣ ହୋଇ ସେଠାରେ ବିଭିନ୍ନ ନିର୍ଯାତନା ର ଶିକାର ହେଉଛନ୍ତି। ବଲାଙ୍ଗିର ଜିଲ୍ଲାର ମୁଖ୍ୟତଃ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଲପଡ଼ା, ପାଟଣାଗଡ଼, ଖପ୍ରାଖୋଲ, ଲରମ୍ଭା,ଲାଠୋର ଥାନା ଓ ଟିଟିଲାଗଡ଼ ଉପଖଣ୍ଡର ଟିଟିଲାଗଡ଼, ସିନ୍ଧେକେଲା, ବଙ୍ଗୋମୁଣ୍ଡା, ସଇଁତଳା,ମୁରିବାହାଲ, କଣ୍ଟାବାଞ୍ଜି, ତୁରେକେଲା ଥାନା ଦାଦନ ଉପରେ ବେଶ୍ ପରିଚିତ। ସେଥିପାଇଁ ଏହି ଥାନା ମାନଙ୍କର ଥାନା ଅଧିକାରୀ ଓ ଶ୍ରମ ଅଧିକାରୀଙ୍କ ଉପରେ ଦାୟିତ୍ଵ ରହିଛି। ବର୍ତ୍ତମାନ ସେହି ଦାଦନ ଋତୁ ଚାଲିଥିବା ବେଳେ ବେଆଇନ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଘଟଣା ଚାରୋଟି ଥାନା ରେ ଦେଖିବାକୁ ମିଳିଛି। ସର୍ବପ୍ରଥମେ ବେଲପଡ଼ା ପୋଲିସ ଦାଦନ ଉଦ୍ଧାର କରିଥିଲେ। ଦ୍ବିତୀୟ ରେ ଲାଠୋର, ତୃତୀୟ ରେ ଖପ୍ରାଖୋଲ, ଚତୁର୍ଥ ରେ ମୁରିବାହାଲ ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର ହୋଇସାରିଛି।ହେଲେ ପୁଣି ଥରେ ଲାଠୋର ପୋଲିସ ଦାଦନ ଶ୍ରମିକ ଉଦ୍ଧାର କରି ପ୍ରଥମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଟଙ୍କପାଣି ଗାଁ ର ସର୍ଦ୍ଦାର ଦିଗାଲୁ ନାଗ ତେଲେଙ୍ଗାନାର ନିଜାମ୍ ବାଦ କୁ ଚାଲାଣ କରିବା ପାଇଁ କରୁଆଁଝର ବସ୍ ଷ୍ଟାଣ୍ଡ ଠାରେ ୭ ଜଣଙ୍କୁ ସଜବାଜ କରୁଥିବା ବେଳେ ଲାଠୋର ପୋଲିସ ମାଡ଼ି ବସିଲା। ଉକ୍ତ ଶ୍ରମିକ ମାନଙ୍କୁ ଥାନା କୁ ଆଣି ପଚରାଉଚରା କରିଥିବା ବେଳେ ସେମାନେ ଲାଠୋର ଥାନା ବୁଢାଛାପର ଗାଁ ର ବୋଲି ଜାଣିବାକୁ ପାଇଥିବା ବେଳେ ସର୍ଦ୍ଦାର ଜଣକ ଶ୍ରମିକ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବଇନା ଦେଇ ବେଆଇନ ଭାବେ ଚାଲାଣ କରିବା ପାଇଁ ନୂଆପଡ଼ା ରେଲୱେ ଷ୍ଟେସନ କୁ ନେଉଥିଲା । ସର୍ଦ୍ଦାର ଦିଗାଲୁ ନାଁ ରେ
ଲାଠୋର ପୋଲିସ କେଶ୍ ନମ୍ବର ୨୦୭/୨୬ ୟୁ/ଏସ୍ ୧୪୩(୩)/୧୪୬/୩୧୮(୪) ବି, ଏନ୍, ଏସ୍ ଆର୍ ଡବ୍ଳୁ ସେକ୍ସନ ୨୫ ଆଇ ଏସ ଏମ୍ ଡବ୍ଳୁ ଆକ୍ଟ ରେ ମାମଲା ରୁଜୁ କରି ସର୍ଦ୍ଦାର କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଭିନାଶ ପ୍ରଧାନ ସୂଚନା ଦେଇଛନ୍ତି। ପାଟଣାଗଡ଼ ଉପଖଣ୍ଡର ଦାଦନ ଚାଲାଣ କରାଯାଉଥିବା ପେଣ୍ଠସ୍ଥଳୀ ହେଉଛି ହରିଶଙ୍କର ରୋଡ ତଥା ଲାଠୋର ରେଲୱେ ଷ୍ଟେସନ ଏହି ଷ୍ଟେସନ ର ନାକତଳେ ଅନେକ ସର୍ଦ୍ଦାର ଙ୍କ ଆଡ୍ଡାସ୍ଥଳୀ। କିନ୍ତୁ ଏହି ଆଡ୍ଡାସ୍ଥଳୀ କରିଥିବା ଦାଦନ ସର୍ଦ୍ଦାର ଉପରେ ଲାଠୋର ପୋଲିସ ର ନଜର ଟିକିଏ ରହୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।