-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
13-Nov-2026
ସୁନ୍ଦରଗଡ଼(କାଞ୍ଚନପ୍ରଭା ନନ୍ଦ): ସାମାଜିକ ସୁରକ୍ଷା ଓ ଜନକଲ୍ୟାଣମୂଳକ ପଦକ୍ଷେପକୁ ଅଧିକ ସୁଦୃଢ଼ ତଥା ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଜିଲ୍ଲାସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମ ଏବଂ ମଧୁବାବୁ ପେନସନ ଯୋଜନାର ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ମାଦ୍ରି କାଲୋ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା,
ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ରାଜ୍ୟ ସରକାର ସମାଜର ଅସହାୟ, ଗରିବ, ବୟସ୍କ, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିବଦ୍ଧ। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ନିୟମିତ ଆର୍ଥିକ ସହାୟତା ଯୋଗାଇଦେବା ସହ ସେମାନଙ୍କ ଜୀବନଧାରଣକୁ ଆହୁରି ସୁଗମ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଭତ୍ତା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ବର୍ତ୍ତମାନ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ମାଧ୍ୟମରେ ଅନଲାଇନରେ କିମ୍ବା ବିଡିଓଙ୍କ ନିକଟରେ ସହଜରେ ଆବେଦନ କରିପାରିବେ। ଆବେଦନର ପରବର୍ତ୍ତୀ ମାସ ଠାରୁ ହିଁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପେନସନ ପ୍ରଦାନ କରାଯିବ। ଫଳରେ ପେନସନ ପାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାର ସମସ୍ୟାର ଅନ୍ତ ଘଟିଛି। ସେହିଭଳି କୌଣସି ଯୋଗ୍ୟ ହିତାଧିକାରୀ ସାମାଜିକ ସୁରକ୍ଷା ଭିତ୍ତିକ ଭତ୍ତା ବା ପେନସନରୁ ପାଇବାରୁ ଯେପରି ବଞ୍ଚିତ ନହୁଅନ୍ତି ତାହା ପ୍ରତି ଯତ୍ନବାନ ହେବା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାରେ ମଧୁବାବୁ ପେନସନ ଯୋଜନା ଅଧୀନରେ ମୋଟ ୧୮,୩୨୩ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହି ନୂତନ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ଦ୍ୱାରା ଜିଲ୍ଲାରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ବ୍ୟାପକ ହେବା ସହ ଅଧିକ ସଂଖ୍ୟକ ଯୋଗ୍ୟ ବ୍ୟକ୍ତି ଏହାର ସୁଫଳ ପାଇପାରିବେ।
ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ମାଧ୍ୟମରେ ପେନସନ ଯୋଜନାର ପରିଚାଳନା ବ୍ୟବସ୍ଥା ଅଧିକ ସରଳ, ସ୍ୱଚ୍ଛ ଓ ଦକ୍ଷ ହୋଇପାରିବ। ହିତାଧିକାରୀଙ୍କ ଆବେଦନ, ଯାଞ୍ଚ, ଅନୁମୋଦନ ଓ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ ସମନ୍ୱିତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ସମୟରେ ସରକାରୀ ସହାୟତା ପହଞ୍ଚାଇବା ପ୍ରକ୍ରିୟା ମଧ୍ୟ ସହଜ ହେବ।
ଆଜିର ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରଘୁନାଥପାଲିର ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ, ଜନଜାତି ପରାମର୍ଶଦାତା କମିଟିର ସଦସ୍ୟା ଶ୍ରୀମତୀ କୁସୁମ ଟେଟେ, ସୁନ୍ଦରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାର ସୁଫଳ ପାଇପାରିବେ, ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ସଦର ଓ ଟାଙ୍ଗରପାଲି ବ୍ଲକର ୩୦ ଜଣ ନୂତନ ହିତାଧିକାରୀଙ୍କୁ ମାନ୍ୟବର ଅତିଥିମାନଙ୍କ ଦ୍ୱାରା ଭତ୍ତା ପ୍ରଦାନ କରାଯାଇଥିଲା। ସେହିଭଳି ଏହି ଯୋଜନା ଉପରେ ବ୍ୟାପକ ଜନସଚେତନତା ନିମନ୍ତେ ଏକ ସଚେତନତା ରଥକୁ ମଧ୍ୟ ଅତିଥି ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଯୋଜନା ସମ୍ପର୍କରେ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିଵ।
ଆଜିର ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ ତଥା ବହୁ ସଂଖ୍ୟାରେ ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ।