-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ବେଲପଡା(ପ୍ରେରଣା ଖବର):ଏବେ ଧୁମାଧୁମ୍ ଅଞ୍ଚଳରେ ଚାଲିଛି ଦାଦନଚାଲାଣ । ଟାସ୍କଫୋର୍ସ ଫେଲ୍ ! କିରିଆ ମେଟାଇଲା ପରି ପୁଲିସ ଦ୍ବାରା କଦବା କ୍ବଚିତ୍ ଗୋଟେ ଅଧେ ଧରପଗଡ କରାଯାଉ ଥିଲେ ହେଁ, ତାହା ଧର୍ମକୁ ଆଖିଠାର । ଅଦ୍ୟାବଧି ଖପ୍ରାଖୋଲ, ଲାଠୋର, ବେଲପଡା ଓ କଣ୍ଟାବାଞ୍ଜି ଥାନାରେ ଗୋଟିଏ ଦୁଇଟି ଲେଖାଏଁ ଯେଉଁ ଦାଦନଶ୍ରମିକ ଉଦ୍ଧାରର ପ୍ରହସନ କରାଯାଇଛି, ସେଥିରେ ଯେଉଁ ତଥାକଥିତ ସର୍ଦ୍ଦାରଙ୍କୁ ଧରାଯାଇଛି, ସେମାନେ ସେତେ ବଡ ସର୍ଦ୍ଦାର ନୁହଁନ୍ତି । ଥାନାପାଖରେ, ପଛରେ ଓ ଆଗରେ ବଡ ବଡ କୋଟିପତି ସର୍ଦ୍ଦାରଙ୍କ ଘର ଓ ସେମାନେ ନାମକୁ ମାତ୍ର ଲାଇସେନ୍ସ କରି ବହୁସଂଖ୍ୟାରେ ବେଆଇନ୍ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି । ସେଥିରୁ ଲାଠୋର ଥାନା ଆଗପଛର ଦାରା ଘିଭେଲା, ଟଙ୍କ ରଣା, ରଘୁ ରଣା, ରାମ ବିଭାର, ପଦ୍ମନାଭ ନାଏକ, ଜାଭେଦ୍ ଖାନ୍ ପ୍ରମୁଖ ରହିଛନ୍ତି । ବେଲପଡା ହେଉଛି କୋଟିପତି ସର୍ଦ୍ଦାରଙ୍କର ମୁଖ୍ୟ ଦାଦନଗଡ । ସବୁଠାରୁ ଗୁରୁତର ଅଭିଯୋଗ ହେଲା, ରାତିରେ ବେଲପଡା ଥାନାକୁ ସର୍ଦ୍ଦାରଙ୍କୁ ଡକରା । ଦୁଇଦିନ ତଳେ ଡୁମେରମୁଣ୍ଡାର ଶିବାଜୀ ତାଣ୍ଡି, ପର୍ଲିମାଲର ଜଗ ସୁନା ଓ ଅନ୍ୟମାନଙ୍କୁ ଡକାଯାଇ ଥାନାଭିତରେ ବଟି ଡିଲ୍ କରାଯାଇଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ବେଲପଡା ଥାନାଧିକାରୀ ଅଛନ୍ତି ଅନନ୍ତ ପ୍ରଧାନ ଓ ପାଟଣାଗଡର ଏସ୍ ଡିପିଓ ରହିଛନ୍ତି ସଦାନନ୍ଦ ପୂଜାରୀ । ତାଙ୍କ ଅଧୀନରେ ପାଟଣାଗଡ, ଖପ୍ରାଖୋଲ, ଲାଠୋର, ଲରମ୍ଭା ଓ ବେଲପଡା ୫ ଟି ଦାଦନପ୍ରବଣ ଥାନା ରହିଛି । ପ୍ରାୟ ୩ବର୍ଷ ତଳୁ ଏହି ଥାନାକୁ ବଦଳି ହୋଇ ଆସିଥିବା ଜଣେ କନେଷ୍ଟବଳରୁ ଏଏସଆଇ ଏଭଳି ଡିଲ୍ ର
ମୁଖ୍ୟ ବୋଲି ଅଭିଯୋଗର ଚର୍ଚ୍ଚା ହେଉଛି । ଏସଡିପିଓଙ୍କର ଏହି ଥାନାକୁ ବାରମ୍ବାର ଗସ୍ତ କରନ୍ତି ଓ ସେ ଆସୁଥିବା ଦିନ ସର୍ଦ୍ଦାରମାନଙ୍କୁ ଡକାଯାଉ ଥିବା ଉକ୍ତ ଚର୍ଚ୍ଚାରୁ ପ୍ରକାଶ । ଏହି ବେଲପଡା ଇଲାକାଟି ସଂପ୍ରତି ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥିତ ଓ ଏହାର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଦାଦନ ନିରାକରଣ କାର୍ଯ୍ୟକ୍ରମ ଟାସ୍କ ଫୋର୍ସର ଅଧ୍ୟକ୍ଷ । ତେଣୁ ସରକାରଙ୍କ ନାକତଳେ ଖୋଲାଖୋଲି ଥାନାରେ ପୁଲିସ୍ ଅଧିକାରୀଙ୍କ ଏତାଦୃଶ ଅବୈଧ କାର୍ଯ୍ୟକଳାପ ଆଶ୍ଚର୍ଯ୍ୟଜନକ ବୋଲି ଜନମତରୁ ପ୍ରକାଶ ।