-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
07-Jul-2026
ବରପାଲି, (ସୁଦାମ ଦୀପ):
ବରପାଲି ସହରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଦିଗରେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ନୂତନ ନର୍ସରୀ ‘ପ୍ଲାଣ୍ଟ ପାରାଡାଇଜ’ର ଶୁଭ ଉଦ୍ଘାଟନ ବିଶିଷ୍ଟ ଅତିଥି ନରେନ୍ଦ୍ର କୁମାର ହୋତା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସବିତା ମିଶ୍ରଙ୍କ କରକମଳରେ ସମ୍ପନ୍ନ ହୋଇଛି। ଉଦ୍ଘାଟନୀ ଉତ୍ସବରେ ପରିବେଶପ୍ରେମୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ମହତ୍ ପ୍ରୟାସକୁ ସ୍ୱାଗତ ଜଣାଇଥିଲେ। ଏହି ନର୍ସରୀର ସ୍ୱତ୍ୱାଧିକାରୀ ଗଣେଶ ଚନ୍ଦ୍ର ମେହେର ଜଣେ ନିଷ୍ଠାବାନ ପରିବେଶବିତ୍ ଭାବେ ଅଞ୍ଚଳରେ ପରିଚିତ। ଦୀର୍ଘ ବର୍ଷ ଧରି ସେ ବୃକ୍ଷରୋପଣ, ପରିବେଶ ସଚେତନତା ଓ ପ୍ରକୃତି ସଂରକ୍ଷଣ କାର୍ଯ୍ୟରେ ନିଜକୁ ସମର୍ପିତ କରିଆସିଛନ୍ତି। ତାଙ୍କର ଏହି ନୂତନ ପଦକ୍ଷେପ କେବଳ ଏକ ବ୍ୟବସାୟିକ ଉଦ୍ୟମ ନୁହେଁ, ବରଂ ସମାଜରେ ପରିବେଶ ସଚେତନତା ସୃଷ୍ଟି କରିବାର ଏକ ସାମାଜିକ ଅଭିଯାନ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
ଲପ୍ଲାଣ୍ଟ ପାରାଡାଇଜ’ ନର୍ସରୀରେବିଭିନ୍ନପ୍ରକାରରଫୁଲଗଛ,ଫଳଗଛ, ଔଷଧୀୟ ଗଛ, ଶୋଭାବର୍ଦ୍ଧକ ଗଛ ସହିତ ଘରୋଇ ଏବଂ ବଗିଚା ପାଇଁ ଉପଯୋଗୀ ବହୁ ପ୍ରଜାତିର ଚାରା ଉପଲବ୍ଧ ରହିଛି। ଉନ୍ନତମାନର ଚାରା ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଯୋଗାଇ ଦେବା ସହ ପ୍ରତ୍ୟେକ ଘରେ ଅତି କମରେ ଗୋଟିଏ ଗଛ ଲଗାଇବା ପାଇଁ ପ୍ରେରିତ କରିବା ଏହି ନର୍ସରୀର ପ୍ରମୁଖ ଉଦ୍ଦେଶ୍ୟ। ଉଦ୍ଘାଟନୀ ସମାରୋହରେ ବକ୍ତାମାନେ କହିଥିଲେ ଯେ, ବର୍ତ୍ତମାନ ସମୟରେ ବନାଞ୍ଚଳ ହ୍ରାସ, ଜଳବାୟୁ ପରିବର୍ତ୍ତନ ଓ ବୈଶ୍ୱିକ ଉଷ୍ମତା ବୃଦ୍ଧି ଭଳି ସମସ୍ୟା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ବୃକ୍ଷରୋପଣ ହିଁ ଏହାର ଏକ ପ୍ରଭାବଶାଳୀ ସମାଧାନ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବାକୁ ମଧ୍ୟ ସଂକଳ୍ପବଦ୍ଧ ହେବା ଆବଶ୍ୟକ।
ଏହି ଅବସରରେ ଗଣେଶ ଚନ୍ଦ୍ର ମେହେର କହିଥିଲେ ଯେ, ଗଛ ହେଉଛି ଜୀବନର ଆଧାର। ପ୍ରକୃତିର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ଲୋକଙ୍କୁ ବୃକ୍ଷରୋପଣ ସହ ଗଛ ବଞ୍ଚାଇବାର ଦାୟିତ୍ୱ ନେବା ଉଚିତ। ଆଗାମୀ ଦିନରେ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ସାର୍ବିକ ଭାବେ ‘ପ୍ଲାଣ୍ଟ ପାରାଡାଇଜ’ର ଶୁଭାରମ୍ଭ ବରପାଲି ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି ଏବଂ ପରିବେଶ ସଂରକ୍ଷଣ ଅଭିଯାନକୁ ଆହୁରି ସୁଦୃଢ଼ କରିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।