-+91-9937148622 |
prerana_bgr@rediffmail.com |
Sunday 29th November 2026 |
R.N.I. Regd No. ODIODI/2010/46693
Breaking News
29-Nov-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତ ଜୀବନଶୈଳୀ, ନିୟମିତ ବ୍ୟାୟାମ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ ‘ନିଶାମୁକ୍ତ ଯୁବା ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ’ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଶୁଭାରମ୍ଭ ହୋଇଛି। ଯୁବ ସେବା ଓ କ୍ରୀଡ଼ା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ୧୦୦ ଦିନିଆ ଅଭିଯାନ ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ପ୍ରତ୍ୟେକ ରବିବାର ଅନୁଷ୍ଠିତ ହେବ। ଏହି ଅବସରରେ ରାଲି, ଯୋଗ, ଭଲିବଲ୍, ଫିଟନେସ୍ ଓ ଜିମ୍ ଅଭ୍ୟାସ, ଫୁଟବଲ୍, ୱାକାଥନ୍, ଖୋଖୋ, ସାଇକେଲ ଚାଳନା, କବାଡ଼ି, ଦଉଡ଼ି ଟଣା, କୁଇଜ୍ ଓ ବିତର୍କ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଅଭିଯାନର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ, ସୁରେଶ୍ୱରୀ ମନ୍ଦିରରୁ ବାହାରିଥିବା ଏହି ରାଲି ଦୁର୍ଗାମଣ୍ଡପ ଛକ, ଗୁଣ୍ଡିଚା ମନ୍ଦିର ଓ ଟିକିରିପଡ଼ା ଦେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା। ଏଥିରେ ସୋନପୁର କଲେଜ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସାହାରା ଟ୍ରଷ୍ଟ ହାଇସ୍କୁଲ, ମହାରାଜା ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଖେଲୋ ଇଣ୍ଡିଆର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଦେଶକୁ, ବିଶେଷକରି ଯୁବପିଢ଼ିଙ୍କୁ କିପରି ନିଶାମୁକ୍ତ କରାଯାଇପାରିବ ସେ ସମ୍ପର୍କରେ ନିଜର ମତ ରଖିଥିଲେ। ଏଥିସହ ସେ ସମସ୍ତଙ୍କୁ ‘ନିଶାମୁକ୍ତ ଯୁବା ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ’ର ଶପଥ ପାଠ କରାଇଥିଲେ। ଏଥିରେ ସମସ୍ତେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ଅନ୍ୟମାନଙ୍କୁ ଏନେଇ ସଚେତନ କରିବା ଏବଂ ନିଶାମୁକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲ, ସମାଜ ସେବୀ ଗୋବିନ୍ଦ ମହାରଣା, ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଯୁବପିଢ଼ିଙ୍କୁ କ୍ରୀଡ଼ା, ଶାରୀରିକ ସୁସ୍ଥତା ଓ ସାମୂହିକ ସଚେତନତା ମାଧ୍ୟମରେ ଏକଜୁଟ କରିବା ସହ ଏକ ସୁସ୍ଥ, ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।