-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
11-May-2025
ସୋନପୁର: ଜଳକଷ୍ଟ ଦୂର କରିବାକୁ ଗାଁ'ଗୁଡିକୁ ପାଇପ୍ ରେ ପାନୀୟଜଳ ଯୋଗାଣ ପାଇଁ ଚୁକ୍ତି କରି ଏକାଧିକ ପ୍ରକଳ୍ପ ବିଫଳ ହେବା ଓ ପୂର୍ବ ପ୍ରକଳ୍ପଗୁଡିକୁ ବାତିଲ୍ କଲାପରେ ରାଜ୍ୟବାହାରର ଏକ ଠିକାକମ୍ପାନୀ ୨ ବର୍ଷ ମଧ୍ଯରେ କାମ ସାରିବାକୁ ଚୁକ୍ତିବଦ୍ଧ ହୋଇ ଅଧିକା ୩ ବର୍ଷ ଲଗାଇ ଅଯଥା କାଳକ୍ଷେପଣ କରି କୋଟି କୋଟି ଟଙ୍କାର ଅର୍ଥଶ୍ରାଦ୍ଧ କରିଚାଲିଛି ।
ସୋନପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବିନିକା ଉପଖଣ୍ଡର ସିଂଘିଜୁବା ଜାମପାଲିଠାରେ ଅଫିସ୍ ଓ ଫିଲଟର୍ ପ୍ଲାଣ୍ଟ୍ ସହ ସାଲେପାଲି ଠାରେ ଏକ ପମ୍ପ ସ୍ଥାପନ କରି ବିନିକା ମହାନଦୀ ପଠାରୁ ବିନିକା ଓ ଡୁଙ୍ଗୁରିପାଲି ଦୁଇଟି ବ୍ଲକ୍ ର ଗାଁ'ଗୁଡିକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଗତ ସରକାରଙ୍କ ଅମଳରୁ ରାଜସ୍ଥାନ ଜୟପୁରର ଏକ କମ୍ପାନୀ ' ଜୁବେରୀ ଇଞ୍ଜିନିୟରିଙ୍ଗ୍ କ ନ୍ ଷ୍ଟ୍ର କ୍ ସନ୍ ପ୍ରା.ଲିଃ ଚୁକ୍ତିବଦ୍ଧ ହୋଇଛି । ଗତ ୧୭.୧୨.୨୦୧୯ ତାରିଖରେ କାମ ଆରମ୍ଭ କରି ଗତ ୧୬ । ୧୨ । ୨୦୨୧ ତାରିଖରେ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଚୁକ୍ତି କରିଥିଲେ ହେଁ , ଅଦ୍ୟାବଧି ଅଧିକା ପ୍ରାୟ ୩ ବର୍ଷ ହୋଇଯାଇଥିଲେ ହେଁ , ଏହି ପ୍ରକଳ୍ପଟି ସରିପାରୁନାହିଁ । ମୋଟ ୧ ୪ ୯ ୨ ୮. ୫୬ ଲକ୍ଷ ବ୍ୟୟ ଅଟକଳର ଏହି ମେଗା ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପଟିକୁ ଜାଣିଶୁଣି ଧୀରମନ୍ଥର ଭାବରେ ନିର୍ମାଣରେ କାଳକ୍ଷେପଣ କରାଯାଇ କମ୍ପାନୀ ଓ ବିଭାଗୀୟ ଯନ୍ତ୍ରୀଙ୍କ କାରସାଦୀରେ ଲୋକ ଏବଂ ସରକାରଙ୍କୁ ଭୁଆଁବୁଲାଇ କୋଟି କୋଟି ଟଙ୍କାର ଅନିୟମିତତା କରାଯାଇଥିବାର ଅଭିଯୋଗ କରାଯାଇଛି । କେତେକ କାରଣରୁ ଏହା ସୁସ୍ପଷ୍ଟ ।
ଏବେ କିଛିକାଂଶରେ ଜଳଯୋଗାଣ ଆରମ୍ଭ କରାଯାଇଥିବା କୁହାଯାଉଥିଲେ ହେଁ , ବହୁସ୍ଥାନରେ ଅଟକଳରେ ନିର୍ଦ୍ଧାରିତ ଦୂରତା ଓ ଗଭୀରତାକୁ ଉଲଂଘନ କରାଯାଇ ନିମ୍ନମାନର ପାଇପ୍ ପୋତାଯାଉଥିବାରୁ ସେଗୁଡିକ ଫାଟିଯାଉଥିବା ଓ ଲିକ୍ ହେଉଥିବାର ପ୍ରକାଶ । ଯେପରିକି ୨୬ ନମ୍ବର ଜାତୀୟ ରାଜପଥ ଠାରୁ ଅନ୍ୟୁନ ୩/୪ ମିଟର ଦୂର ଓ ୫ ଫୁଟ୍ ଗଭୀର ଖୋଳାଯିବା ବଦଳରେ ରାସ୍ତାକୁ ଲାଗିକରି ମାତ୍ର ୧ ଫୁଟ୍ ଗଭୀରରେ ଖୋଳାଯାଇ ନିମ୍ନମାନର ପାଇପ୍ ପୋତା ଯାଉଥିବାରୁ ତାହା ଫାଟିଯାଉଥିବା ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ପାଇଛି । ଏ ସମ୍ପର୍କରେ ପ୍ରୋଜେକ୍ଟ ମ୍ୟାନେଜର ସୟଦ୍ ରାଜା ଉପରୋକ୍ତ ପ୍ରକାଶିତ ଅଭିଯୋଗକୁ ଅସ୍ୱୀକାର କରି ' ଲୋକଙ୍କ କହିବାନୁଯାୟୀ ନୁହେଁ , ଏଷ୍ଟିମେଟ୍ ଅନୁଯାୟୀ ସ୍ଥଳବିଶେଷରେ ଭିନ୍ନ ଭିନ୍ନ ପାଇପ୍ ଭିନ୍ନ ଭିନ୍ନ ଗଭୀରତାରେ ଖୋଳି ପୋତାହୁଏ ' ବୋଲି ସଫେଇ ଦେଇଛନ୍ତି। ସେ ଏସମ୍ପର୍କରେ ବିନିକା ଠାରେ ଅବସ୍ଥାପିତ ବିଭାଗୀୟ ଏସ୍ ଡି ଓ ଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ।
ତେବେ ବିନିକାରେ ଅଫିସ୍ ଥିଲେ ହେଁ , ବିଭାଗୀୟ ଏସ୍ ଡି ଓ ଇଂ ରଞ୍ଜନ ପଟେଲ୍ କିମ୍ବା ଦୁଇଜଣ କନିଷ୍ଠ ଯନ୍ତ୍ରୀ ହାଁସଦା ଓ କିଶାନ ବାବୁଙ୍କର ସେମାନେ କେଉଁଠି ରହନ୍ତି , ପତ୍ତା ମିଳି ନଥିଲା । ବାରମ୍ବାର ସେମାନଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ ପାଇଁ ଚେଷ୍ଟାକରାଯାଇ ଥିଲେ ହେଁ , ସେମାନେ ଫୋନ୍ ଉଠାଇ ନ ଥିଲେ । ଏଠାକାର ଅଫିସଟି ପ୍ରାୟତଃ ବନ୍ଦ ପଡିଥାଏ ଓ ଆଉ ପ୍ରାୟ ମାସେଖଣ୍ଡେ ଅବସର ଗ୍ରହଣ ପାଇଁ ଥିବା ଜଣେ ଉଦ୍ଧତ ଖଲାସୀ ସନ୍ତୋଷ ବେହେରା ହିଁ ଏସ୍ ଡି ଓ ପରି ବା ସର୍ବେସର୍ବା ବୋଲି ଅଫିସ ସାମ୍ନାରେ ଅବୈଧ ଦେଶୀମଦ ବିକୁଥିବା ମହିଳାଜଣକ ପ୍ରକାଶ କରିଥିଲେ। ଦୁଇ / ତିନିଦିନ ତଳେ ସୋନପୁର ଡିଭିଜନରେ ଜଣେ ନିର୍ବାହୀ ଯନ୍ତ୍ରୀ ଯୋଗଦେଇ ଥିବାରୁ ଏହି ମେଗା ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ଯ ବା ଅଗ୍ରଗତି ସମ୍ପର୍କରେ ଜଣାପଡିପାରିନାହିଁ ।ତେବେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ନିର୍ବାଚିତ ଲୋକପ୍ରତିନିଧିଙ୍କ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଅସାଧୁ ଯନ୍ତ୍ରୀ-ଠିକା କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ଘଣ୍ଟ ଘୋଡା ଯାଇଆସିବା କାରଣ ଯୋଗୁଁ ଦୀର୍ଘ ପାନୀୟଜଳ କ୍ଲିଷ୍ଟ ଦୁଇଟି ବ୍ଲକ୍ ର ଲୋକେ ଚଳିତବର୍ଷ ମଧ୍ଯ କଷ୍ଟ ଭୋଗୁଥିଲେ ହେଁ , ନବନିର୍ବାଚିତ ସରକାରଙ୍କ ନିଦ ଭାଙ୍ଗୁନ ଥିବା ଘୋର ଦୁଃଖ ଓ ପରିତାପର ବିଷୟ । ଅପରପକ୍ଷେ ବିନିକା ବିଭାଗୀୟ ଏସ୍ ଡି ଓ ରଞ୍ଜନ ପଟେଲ ହିଁ ଏହି କମ୍ପାନୀର ଯାବତୀୟ ଦୁର୍ନୀତିର ଅନ୍ୟତମ ଅଂଶୀଦାର ବୋଲି ଚର୍ଚ୍ଚା ହୁଏ । ସେ ଏକାଧାରରେ
ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ବିଭାଗୀୟ ମନ୍ତ୍ରୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିଆସି ଥିବାରୁ ବିଶେଷ କରି ଗଣମାଧ୍ୟମର ପ୍ରକାଶିତ ଜନସାଧାରଣ ପ୍ରତିଫଳିତ ଅଭିଯୋଗକୁ ଖାତିର୍ କରୁ ନଥିବା ପ୍ରକାଶ। ଆହୁରି ମଧ୍ଯ ତାଙ୍କରି ପରାମର୍ଶରେ କିଛିଦିନ ତଳେ ଡୁଙ୍ଗୁରିପାଲିର ଜନୈକ ପୁରୁଣା ସାମ୍ବାଦିକ ୧ ଲକ୍ଷ ଟଙ୍କାର ଉତ୍କୋଚ ନେଇଥିବାର ସେଠାକାର ସାମ୍ବାଦିକ ମହଲରୁ ପ୍ରକାଶ । ଏହାକୁ ମଧ୍ଯ କମ୍ପାନୀର ଉକ୍ତ ପ୍ରକଳ୍ପ ପରିଚାଳକ ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । ଲୋକଙ୍କ ଠାରୁ ପ୍ରକାଶ ଯେ , ଏହି କମ୍ପାନୀ ସ୍ଥାନୀୟ ସିଂଘିଜୁବା ସଂରକ୍ଷିତ ପାହାଡଜଙ୍ଗଲ , ମେଟାକାନୀ ମନ୍ଦିରର ଦେବଭୂମି , ସର୍ବସାଧାରଣଙ୍କ ଜାଗାଜମି , ଜାତୀୟରାଜପଥ ଠାରୁ ଅନ୍ଯାନ୍ଯ ଅନେକ ଜବର ଦଖଲ ମାମଲାକୁ ଲାଞ୍ଚବଳରେ ଚପାଇ ଦେଇ ଆସିଛି ।
ଏଣୁ ଏହି ରାଜ୍ୟବାହାରର କମ୍ପାନୀ ଜରିଆରେ ସ୍ଥାନୀୟ କେତେକ ଅସାଧୁ ସାମ୍ବାଦିକଙ୍କ ଠାରୁ ନିର୍ବାଚିତ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ହାତଚିକ୍କଣ ହେଉଥିବା ମୁଖ୍ଯ ହୋଇଥିବା ବେଳେ ଅଞ୍ଚଳର ଲୋକଙ୍କ ପାନୀୟଜଳକଷ୍ଟ ଚୁଲିକୁ ଗଲାଣି । ଏଣୁ ଏଭଳି କମ୍ପାନୀର ଚୁକ୍ତି ବାତିଲ କରିବାରେ ନୂଆ ସରକାର ନୀରବ କିଆଁ ? - ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
ପରବର୍ତ୍ତୀ ସମୟରେ ଏ ସମ୍ପର୍କିତ ବିଶେଷ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ ।