-+91-9937148622 |
prerana_bgr@rediffmail.com |
Sunday 29th November 2026 |
R.N.I. Regd No. ODIODI/2010/46693
Breaking News
29-Nov-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା କଂସାରୀପଡ଼ା ପୂର୍ଣ୍ଣମାସୀ ନୃତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ ୨୪୩ତମ ଗୋକୁଲାଷ୍ଟମି ମହୋତ୍ସବର ରବିବାର ଦ୍ୱିତୀୟ ଦିନରେ ଭଗବାନ କୃଷ୍ଣଙ୍କ ଜନ୍ମ ଲୀଳାର ଜୀବନ୍ତ ଅଭିନୟ ଦେଖିବାକୁ ମିଳିଥିଲା।ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଦେବକୀ-ବସୁଦେବ ବିବାହରୁ ଆରମ୍ଭ ହୋଇଥିଲା। ବିବାହ ପରେ ବିଦାୟ ବେଳେ ଆକାଶବାଣୀ ହେଲା “ହେ କଂସ,ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହିଁ ତୋର ମୃତ୍ୟୁର କାରଣ ହେବ।” ଏହା ଶୁଣି କ୍ରୋଧିତ କଂସ ଦେବକୀ-ବସୁଦେବଙ୍କୁ କାରାଗୃହରେ ବନ୍ଦୀ କରିଦେଲା।
ଏହା ପରେ ଗୋଟିଏ ପରେ ଗୋଟିଏ ଷଡପୁତ୍ର ନିଧନର ହୃଦୟବିଦାରକ ଦୃଶ୍ୟ ଅଭିନୀତ ହୋଇଥିଲା। କାରାଗୃହରେ ଥାଇ ମଧ୍ୟ ଦେବକୀଙ୍କ ଧୈର୍ଯ୍ୟ ଓ ବସୁଦେବଙ୍କ ଭକ୍ତି ଦେଖି ଦର୍ଶକମାନେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ସବୁଠୁ ଆକର୍ଷଣୀୟ ଥିଲା କାରାଗୃହରେ କୃଷ୍ଣ ଜନ୍ମର ଦୃଶ୍ୟ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ମଧ୍ୟ ରାତ୍ରିରେ କାରାଗୃହ ଆଲୋକିତ ହୋଇ ଉଠିଲା। ଶଙ୍ଖ,ଚକ୍ର,ଗଦା,ପଦ୍ମ ଧାରୀ ଭଗବାନଙ୍କ ଆବିର୍ଭାବ ହେବା ମାତ୍ରେ ପୁରା ମଞ୍ଚ ଜୟ ଶ୍ରୀକୃଷ୍ଣ ଧ୍ୱନିରେ କମ୍ପି ଉଠିଲା। ଏହା ପରେ ବସୁଦେବ ନିଦ୍ରିତ ପ୍ରହରୀଙ୍କ ମଧ୍ୟ ଦେଇ ଶିଶୁ କୃଷ୍ଣଙ୍କୁ ଯମୁନା ପାର କରି ଗୋପପୁରରେ ନନ୍ଦ ରାଜାଙ୍କ ଘରେ ରଖି ଆସିବା ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। ଶେଷ ଦୃଶ୍ୟରେ ସପ୍ତମ ଗର୍ଭ ସନ୍ତାନ ବୋଲି ଭାବି କଂସ କନ୍ୟା ସନ୍ତାନକୁ ଦର୍ପଣ ଶିଳାରେ କଚାଡ଼ିବାକୁ ଚେଷ୍ଟା କଲା ବେଳେ ସେ ଯୋଗମାୟା ରୂପରେ ଆକାଶକୁ ଉଡ଼ିଯାଇ କହିଲେ - “ରେ ରେ କଂସ, ତତେ ଯିଏ ମାରିବ ସିଏ ଗୋପପୁରେ ବଢ଼ୁଛି।" ଏହି ଦୃଶ୍ୟ ସହ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା। କଳାକାରମାନଙ୍କ ଜୀବନ୍ତ ଅଭିନୟ,ସଂଳାପ ଓ ନୃତ୍ୟ ଦେଖିବା ପାଇଁ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।ଆଜି ଅନୁଷ୍ଟିତ ଲୀଳାର ବିଭିନ୍ନ ଭୂମିକାରେ କଂସ ରାମଚନ୍ଦ୍ର ଦାସ,ମନ୍ତ୍ରୀ ସଞ୍ଜୟ ସାହୁ, ଉଗ୍ରେସନ ସୀତାରାମ ମାହାଣା,ଦେବକୀ ବିଶ୍ୱଜିତ ମାହାଣା,ବସୁଦେବ ବିଶ୍ୱନାଥ ମାହାନା,କୃଷ୍ଣ ପ୍ରିୟାଂଶୁ ସାହୁ,ବ୍ରହ୍ମା ମୁକୁନ୍ଦ ସାହୁ,ନାରାୟଣ ସୁହାନ ଦାସ,ନାରଦ ସ୍ୱାଗତ ମାହାନା, ଲକ୍ସମି ଶ୍ରୀତମ ଦାସ,ପୃଥି ଦେବୀ ଚନ୍ଦ୍ରାଂଶୁ ସାହୁ,ଇନ୍ଦ୍ର ଅଶ୍ୱିନୀ ସାହୁ,ବରୁଣ ପରେସ ମାହାନା,ଯମ ଚିତାନନ୍ଦ ସାହୁ,ପ୍ରହରୀ ବିବେକ,ବଜରଙ୍ଗ ଆଦି ଅଭିନୟ କରିଥିଲେ।