-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
11-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଭାରତର ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣରେ ଯୁବପିଢ଼ିର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରି କଲେଜ ଅଫ୍ ଟିଚର ଏଜୁକେସନ (ସିଟିଇ), ବଲାଙ୍ଗୀରର ଶିକ୍ଷା ଅଧ୍ୟୟନ ବିଭାଗର ସହକାରୀ ପ୍ରଫେସର ଡ. ସୁଧୀର ସାହୁ ଜାତୀୟ ଶିକ୍ଷା ଦିବସ-୨୦୨୬ ଅବସରରେ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରର ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ “ଶିକ୍ଷାର ସହ-ସୃଷ୍ଟିରେ ଯୁବଶକ୍ତିର ଭୂମିକା: ନିଷ୍କ୍ରିୟ ଉପଭୋକ୍ତାରୁ ଏକବିଂଶ ଶତାବ୍ଦୀର ଶିକ୍ଷଣ ପରିବେଶର ସକ୍ରିୟ ନିର୍ମାତା” ଶୀର୍ଷକ ଏକ ସ୍ୱତନ୍ତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନରୁ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଜାତୀୟ ଶିକ୍ଷା ଦିବସର ମହତ୍ତ୍ୱ ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବାରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଶିକ୍ଷା ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଈଶ୍ୱରୀ ଅନ୍ୱେଷା ଅତିଥିଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ସୁଶ୍ରୀ ପ୍ରତୀକ୍ଷା ପ୍ରତିଶ୍ରୁତି ମୁଖ୍ୟ ଅତିଥିଙ୍କ ଶିକ୍ଷାଗତ ଯୋଗ୍ୟତା, ବୃତ୍ତିଗତ ଅଭିଜ୍ଞତା ଓ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ପରିଚୟ ପ୍ରଦାନ କରିଥିଲେ। ତାଙ୍କର ଶିକ୍ଷାଗତ ଯାତ୍ରା ଓ ସଫଳତାର କାହାଣୀ ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲା। ଅତିଥିଙ୍କୁ ଚାରା, ପୁସ୍ତକ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଶିକ୍ଷା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ଦିଲେଶ୍ୱରୀ ଡାଙ୍ଗ ଜାତୀୟ ଶିକ୍ଷା ଦିବସର ମହତ୍ତ୍ୱ ଓ ଏହାର ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ନିଜ ବକ୍ତବ୍ୟରେ ଡ. ସାହୁ ଛାତ୍ରଛାତ୍ରୀମାନେ କେବଳ ଶ୍ରେଣୀଗୃହରେ ଜ୍ଞାନ ଗ୍ରହଣ କରୁଥିବା ନିଷ୍କ୍ରିୟ ଶିକ୍ଷାର୍ଥୀ ନ ହୋଇ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ଯୋଜନା, ନିର୍ମାଣ ଏବଂ ସୁଧାରରେ ସକ୍ରିୟ ଭାଗୀଦାର ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଏକ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କ ସ୍ୱର (Voice), ପସନ୍ଦ (Choice) ଓ ସହଭାଗିତା (Partnership)ର ଗୁରୁତ୍ୱ ବୁଝାଇବା ସହ ଶିକ୍ଷା ବ୍ୟବସ୍ଥାର ଉନ୍ନତିରେ ସେମାନେ କିପରି ସକ୍ରିୟ ଅଂଶଗ୍ରହଣ କରିପାରିବେ, ତାହା ଉଦାହରଣ ସହ ବର୍ଣ୍ଣନା କରିଥିଲେ। ଭାରତର ଜନସାଂଖ୍ୟିକ ସମ୍ପଦର ଉଦାହରଣ ଦେଇ ସେ କହିଥିଲେ ଯେ ଦେଶର ବିଶାଳ ଯୁବଶକ୍ତି ଶିକ୍ଷା, ସ୍ୱାସ୍ଥ୍ୟସେବା, ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାନୀୟ ଅର୍ଥନୈତିକ ବିକାଶ ଭଳି ସମସାମୟିକ ଆହ୍ୱାନର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ଉଚ୍ଚଶିକ୍ଷାରେ ମହିଳାମାନଙ୍କର ବଢ଼ୁଥିବା ଅଂଶଗ୍ରହଣ ସହିତ ନେତୃତ୍ୱ, ନିଷ୍ପତ୍ତି ଗ୍ରହଣ ଓ ଅନୁଷ୍ଠାନିକ କାର୍ଯ୍ୟକଳାପରେ ସେମାନଙ୍କ ସକ୍ରିୟ ଭାଗୀଦାରିର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାକୁ ଦୃଷ୍ଟିରେ ରଖି ଓଡ଼ିଆ ଓ ସମ୍ବଲପୁରୀ/କୋଶଳୀ ଭଳି ସ୍ଥାନୀୟ ଭାଷା, ଆଞ୍ଚଳିକ ଲୋକକଥା, ପାରମ୍ପରିକ ଜ୍ଞାନ, କୃଷି ଓ ଦେଶୀୟ ପରମ୍ପରାକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଉପରେ ସେ ମତ ରଖିଥିଲେ। ଏଥିସହ ଦେଶର ଉଚ୍ଚଶିକ୍ଷାରେ ନାମଲେଖା ଅନୁପାତ (GER), ଜାପାନର ଶିକ୍ଷା ବ୍ୟବସ୍ଥା, ‘ମୋ ସ୍କୁଲ ଅଭିଯାନ’ ଓ ସମୁଦାୟର ସହଭାଗିତା ଭଳି ବିଷୟ ଉପରେ ଉଦାହରଣ ସହ ଆଲୋଚନା କରିଥିଲେ। ସରକାରୀ ମହିଳା ମହାବିଦ୍ୟାଳୟ ପାଇଁ ସେ ସହପାଠୀ ଶିକ୍ଷଣ ଗୋଷ୍ଠୀ ଗଠନ, ଗୋଷ୍ଠୀଭିତ୍ତିକ ଛାତ୍ର ଗବେଷଣା ପ୍ରକଳ୍ପ, ଛାତ୍ରୀମାନଙ୍କ ମତାମତ ଆଦାନପ୍ରଦାନ ପାଇଁ ଆଲୋଚନାଚକ୍ର, ସ୍ଥାନୀୟ ଭାଷାରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଏବଂ ଛାତ୍ରୀମାନଙ୍କ ସହ ଗୋଷ୍ଠୀ ବିଶେଷଜ୍ଞଙ୍କ ଭାବ ବିନିମୟ ଭଳି ପାଞ୍ଚଟି ବ୍ୟବହାରିକ ପଦକ୍ଷେପର ପ୍ରସ୍ତାବ ଦେଇଥିଲେ।
ବକ୍ତବ୍ୟ ପରେ ଏକ ଆଲୋଚନାତ୍ମକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରୀମାନେ ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ଉପସ୍ଥାପନ କରିଥିବା ବେଳେ ମୁଖ୍ୟ ଅତିଥି ସରଳ ଓ ସୁନ୍ଦର ଭାବେ ସେଗୁଡ଼ିକର ଉତ୍ତର ଦେଇଥିଲେ। ଏହାପରେ ଜାତୀୟ ଶିକ୍ଷା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ପିଜିଟି ଶ୍ରୀ ଶେଖର ରାୟ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ସୁବାସିନୀ ମାଝୀ ଧନ୍ୟବାଦ ଅର୍ପଣ କରି ଆମନ୍ତ୍ରିତ ଅତିଥି, ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, ଆୟୋଜକ ଓ ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ଯୋଗଦାନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଜ୍ଞାନବର୍ଦ୍ଧକ, ପ୍ରେରଣାଦାୟକ ଓ ଅର୍ଥପୂର୍ଣ୍ଣ ହୋଇଥିବା ସହ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଉନ୍ନତିରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ସମ୍ପର୍କରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା।