-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
11-Nov-2026
ବଲାଙ୍ଗିର/ଲୋଇସିଂହା(ପ୍ରେରଣା ଖବର): ଯେଉଁ ମଣିଷଙ୍କ ଉଦ୍ୟମରେ ପ୍ରତିବର୍ଷ ଗୁଞ୍ଜରିତ ହେଉଥିଲା ଭାଗବତର ପବିତ୍ର ସ୍ୱର, ଯାହାଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଏକାଠି କରୁଥିଲା ଅଞ୍ଚଳବାସୀଙ୍କୁ, ଆଜି ସେହି ମଣିଷ ଆଉ ନାହାନ୍ତି। ମହାଲକ୍ଷ୍ମୀ ନଗରରେ ଭାଗବତ ପାରାୟଣର ଏକ ସୁନ୍ଦର ପରମ୍ପରା ଆରମ୍ଭ କରିଥିବା ଭାଗବତପ୍ରେମୀ ମକରଧ୍ୱଜ ନାୟକଙ୍କ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ବଲାଙ୍ଗିର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସ୍ୱର୍ଗତ ମକରଧ୍ୱଜ ନାୟକ ଜଣେ ଅବସରପ୍ରାପ୍ତ ବନରକ୍ଷୀ ଥିଲେ। ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ଦୀର୍ଘଦିନ ଧରି ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହିତ ସମ୍ପାଦନ କରିଥିଲେ। କିନ୍ତୁ ଚାକିରି ଜୀବନର ପରିସମାପ୍ତି ପରେ ତାଙ୍କ ଜୀବନର ଅନ୍ୟତମ ପରିଚୟ ପାଲଟିଥିଲା ଧର୍ମ, ଭାଗବତ ଓ ସମାଜ ପ୍ରତି ତାଙ୍କର ସମର୍ପଣ ଭାବ।
ମହାଲକ୍ଷ୍ମୀ ନଗରରେ ପ୍ରଥମ କରି ଭାଗବତ ପାରାୟଣ ଆୟୋଜନ କରିବାର ଶୁଭାରମ୍ଭ ସେ ହିଁ କରିଥିଲେ। ଗତ ୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପ୍ରତିବର୍ଷ ଏହି ଧାର୍ମିକ ଆୟୋଜନ କରି ଆସୁଥିଲେ। ତାଙ୍କ ପାଇଁ ଏହା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନଥିଲା, ବରଂ ଏହା ଥିଲା ଲୋକଙ୍କୁ ଏକାଠି କରିବା, ଭକ୍ତିଭାବ ଜାଗ୍ରତ କରିବା ଏବଂ ସମାଜରେ ଆଧ୍ୟାତ୍ମିକ ଚେତନା ବାଣ୍ଟିବାର ଏକ ମାଧ୍ୟମ।
ଦୁଃଖର ବିଷୟ, ଆସନ୍ତା ଡିସେମ୍ବର ମାସରେ ପୁଣିଥରେ ଭାଗବତ ପାରାୟଣ ଆୟୋଜନ କରିବା ପାଇଁ ସେ ପ୍ରସ୍ତୁତି ମଧ୍ୟ ଶେଷ କରିସାରିଥିଲେ। ମନରେ ଥିଲା ପୁଣିଥରେ ଭାଗବତର ପବିତ୍ର ବାଣୀରେ ମହାଲକ୍ଷ୍ମୀ ନଗରକୁ ଭକ୍ତିମୟ କରିବାର ଆଶା। କିନ୍ତୁ ସମୟର ନିଷ୍ଠୁର ନିୟମ ତାଙ୍କୁ ଆମଠାରୁ ଛଡ଼ାଇ ନେଲା। ଏଥର ଭାଗବତ ପାରାୟଣ ହେବ, କିନ୍ତୁ ଯିଏ ଏହି ପରମ୍ପରାର ମୂଳଦୁଆ ପକାଇଥିଲେ, ସେହି ମଣିଷ ଆଉ ଆମ ଗହଣରେ ନଥିବେ।
ତାଙ୍କ ଜନ୍ମମାଟି ଭାଲୁପାଲି ଗ୍ରାମରେ ମଧ୍ୟ ତାଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ। ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ସେ ଗାଁର ସମସ୍ତଙ୍କ ନିକଟରେ ଅତ୍ୟନ୍ତ ପରିଚିତ ଥିଲେ। ଗ୍ରାମର ଲୋକଙ୍କ ସୁଖଦୁଃଖରେ ସେ ସର୍ବଦା ସାମିଲ ହେଉଥିଲେ। ଆଜି ତାଙ୍କର ଅନୁପସ୍ଥିତିରେ ଗାଁର ପ୍ରତ୍ୟେକ ପରିଚିତ ମୁହଁ ତାଙ୍କୁ ଝୁରୁଛି।
ତାଙ୍କର ଅନ୍ତିମ ସଂସ୍କାର ସମୟରେ ତାଙ୍କ ମଝିଆ ପୁଅ ମୁଖାଗ୍ନି ପ୍ରଦାନ କରିଥିଲେ। ଏହି ଦୁଃଖଦ ମୁହୂର୍ତ୍ତରେ ପରିବାର, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଶେଷ ବିଦାୟ ଜଣାଇଥିଲେ।
ସେ ତାଙ୍କ ପଛରେ ପତ୍ନୀ ଅଲ୍ଲାଦିନୀ ନାୟକ, ୩ ପୁଅ ଓ ୪ ଝିଅଙ୍କୁ ଛାଡ଼ି ଯାଇଛନ୍ତି।
ଜୀବନର ଶେଷ ଯାତ୍ରାରେ ମଣିଷ ସାଙ୍ଗରେ କିଛି ନେଇ ଯାଏ ନାହିଁ, କିନ୍ତୁ ନିଜର କର୍ମ, ଭଲ ପାଇବା ଓ ସେବା ମାଧ୍ୟମରେ ଅନେକଙ୍କ ହୃଦୟରେ ଚିରଦିନ ପାଇଁ ରହିଯାଏ। ମକରଧ୍ୱଜ ନାୟକ ମଧ୍ୟ ନିଜର ଧାର୍ମିକ ଚିନ୍ତାଧାରା, ଭାଗବତ ପ୍ରତି ଅସୀମ ଶ୍ରଦ୍ଧା ଓ ପରୋପକାରୀ ଗୁଣ ପାଇଁ ସମସ୍ତଙ୍କ ସ୍ମୃତିରେ ସବୁଦିନ ଜୀବିତ ରହିବେ।
ଆଜି ମହାଲକ୍ଷ୍ମୀ ନଗରରେ ଭାଗବତର ସ୍ୱର ଗୁଞ୍ଜରିତ ହେବାର ପରମ୍ପରା ରହିଛି, କିନ୍ତୁ ସେହି ପରମ୍ପରାର ଜନକ ମକରଧ୍ୱଜ ନାୟକଙ୍କ ଅନୁପସ୍ଥିତି ସମସ୍ତଙ୍କ ମନରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି।