-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
ନୂଆପଡ଼ା, (ଡୋଲେଶ୍ୱର ବାଗ )
ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଓ ଜୀବିକାର ସୁଦୃଢ଼ୀକରଣ ସହ ଜିଲ୍ଲାରେ ପ୍ରବାସ ପ୍ରଥା ହ୍ରାସ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି।
ବୈଠକ ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ଗ୍ରହଣ କରାଯାଇଥିବା ଯୋଜନା ଓ ହସ୍ତକ୍ଷେପର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଜିଲ୍ଲାପାଳ ବିଭିନ୍ନ ବିଭାଗ ପକ୍ଷରୁ ପ୍ରବାସ ରୋକିବା ଓ ପ୍ରବାସୀ ପରିବାରଙ୍କୁ ସହାୟତା ପ୍ରଦାନ ଦିଗରେ କରାଯାଇଥିବା ବିଭାଗୱାରୀ ପଦକ୍ଷେପର ସମୀକ୍ଷା କରିଥିଲେ। ଓଡ଼ିଶା ଜୀବିକା ମିଶନ୍ ଓ ମିଶନ ଶକ୍ତି ପକ୍ଷରୁ ଅଗଷ୍ଟ ମାସରେ ୩,୫୬୨ଟି ପ୍ରବାସୀ ପରିବାର ପରିଦର୍ଶନ କରାଯାଇଥିବା ବେଳେ ୩୦୪ଟି ପରିବାରକୁ ୮୦ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା।
ସେହିପରି, ମୂର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ ପକ୍ଷରୁ ୧୭୮ଟି ପ୍ରବାସୀ ପରିବାର ପରିଦର୍ଶନ କରାଯାଇ ୭ଟି ପରିବାରକୁ ୧.୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରବାସୀ ପରିବାରଙ୍କୁ ୬୦ ହଜାର ଟଙ୍କା ଏବଂ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୪ଟି ପ୍ରବାସୀ ପରିବାରକୁ ୪୪,୯୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଥିଲା।
ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟାଳୟ ପକ୍ଷରୁ ମାଗଣା ପ୍ରଶିକ୍ଷଣ ଓ କୋଚିଂ ଗ୍ରହଣ କରୁଥିବା ଜଣେ ପ୍ରାର୍ଥୀ ଓପିଏସ୍ସି ସିଭିଲ ସର୍ଭିସ୍ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଥିବା ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ବିଭାଗ, ବିଡିଓ ଓ ତହସିଲଦାରମାନେ ପ୍ରବାସ ହ୍ରାସ ଓ ପ୍ରବାସୀ ପରିବାରଙ୍କ ଜୀବିକା ସୁଦୃଢ଼ୀକରଣ ଦିଗରେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
ଜିଲ୍ଲାପାଳ ସମସ୍ତ ବିଭାଗକୁ ପ୍ରବାସୀ ପରିବାରଙ୍କ ସହ ଅଧିକ ସମନ୍ୱୟ ରକ୍ଷା କରି ନିୟମିତ ପରିଦର୍ଶନ ଓ ଆବଶ୍ୟକ ହସ୍ତକ୍ଷେପ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ସ୍ତରରେ ଜୀବିକା ସୁଯୋଗ ସୃଷ୍ଟି, ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଓ ପ୍ରବାସୀ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ସହକାରୀ ଶ୍ରମ ଅଧିକାରୀ ମୁରଲୀଧର ପାକଳଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।