-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
18-Sep-2026
ବଲାଙ୍ଗୀର : ନିକଟରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଆଶ୍ରମ ସ୍କୁଲ ଓ ହଷ୍ଟେଲର ମେସ୍ ଖର୍ଚ୍ଚରୁ ପିଲା ପିଛା ୧୦ ଟଙ୍କା କରି ଲାଞ୍ଚ ନେଇ ଭୁବନେଶ୍ବରରୁ ଆସିଥିବା ୨ ଜଣ ଅଡିଟର ଲକ୍ଷାଧିକ ଟଙ୍କା ସହ ଭିଜିଲାନ୍ସ ଦ୍ବାରା ଧରାପଡି ଗିରଫ ହେବା ଘଟଣା ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଏହି ବିଭାଗରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଛି । ସେମାନଙ୍କ ଠାରୁ ୫୨ ଟି ଲଫାପାରେ ବାରିପଦାର ଏକ ହୋଟେଲ ଓ ନିକଟରୁ ୧୪ ଲକ୍ଷ ୩୮ ହଜାର ଟଙ୍କା ଜବତ ହୋଇଥିବା ଖବରରୁ ପ୍ରକାଶ। ଏଣୁ ଏହିପରି ଦୁର୍ନୀତି ହେଉଥିବା ପଶ୍ଚିମଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ, କଳାହାଣ୍ଡି, ନୂଆପଡା,ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଇତ୍ୟାଦି ଜିଲ୍ଲାର ଏହି ବିଭାଗର ସ୍କୁଲ୍ ଓ ହଷ୍ଟେଲ ଗୁଡିକରେ ହେଉଥିବା ଏଭଳି ଦୁର୍ନୀତି ବା ଏହାର ଅଡିଟ ଉପରେ କେବେ ଭିଜିଲାନ୍ସର ଦୃଷ୍ଟି ପଡିବ ବୋଲି ସରକାରଙ୍କୁ ଜନସାଧାରଣ ପ୍ରଶ୍ନ ପଚାରିଛନ୍ତି। ଅନ୍ୟୁନ ଏଭଳି ଦୁର୍ନୀତି ଅଭିଯୋଗ ପ୍ରକାଶ ପାଇ ଆସୁଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ ସେବାଶ୍ରମ ଓ ଆଶ୍ରମ ସ୍କୁଲ୍ ର ହଷ୍ଟେଲରେ ଖୁବ୍ ଶୀଘ୍ର ଏଭଳି ପଦକ୍ଷେପ ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି। କାରଣ ଏହି ଜିଲ୍ଲାର ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ ଠାରୁ ଅନୁସୂଚିତ ଜାତି ଓ ଜନଜାତିର ଜିଲ୍ଲା ଅଫିସ୍ ଏବଂ ଆବାସିକସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ଅଟେ। ଏହି ଦୁଇଟି ଦାଦନପ୍ରବଣ ଜିଲ୍ଲାରେ ଏହି କାରଣରୁ ଏସବୁ ସ୍କୁଲ୍ ଓ ହଷ୍ଟେଲରେ ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଏଥିପାଇଁ ଅଲିଖିତ ଚୁକ୍ତିଭିତ୍ତିକ ନିଯୁକ୍ତି ଓ ବଦଳି କରାଯାଉଥିବା ସହିତ ସେମାନଙ୍କ ଜରିଆରେ ନିୟମିତ ଲକ୍ଷାଧିକ ଟଙ୍କାର ବଟି ଆଦାୟ କରାଯାଇ ଆସୁଥିବା ବର୍ଷ ବର୍ଷ ଧରି ଅଭିଯୋଗ ପ୍ରକାଶ ପାଇ ଆସୁଛି। ଅଥଚ ଏହା ଉପରେ ଜିଲ୍ଲାପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ବା ସରକାର ଦୃଷ୍ଟି ଦେଉ ନାହାଁନ୍ତି। ସର୍ବୋପରି ଆସୁଥିବା ଅଡିଟ ରିପୋର୍ଟରେ ମଧ୍ୟ ଏହା ଦର୍ଶାଯାଉ ନ ଥିବା ଆଶ୍ଚର୍ଯ୍ୟଜନକ।ଗୋଟିଏ ଗୋଟିଏ ସ୍କୁଲ ରେ ଏହି ଜିଲ୍ଲାରେ ବର୍ଷ ବର୍ଷ ଧରି ଦୁର୍ନୀତିଗ୍ରସ୍ତ ପ୍ରଧାନଶିକ୍ଷକ/ ଶିକ୍ଷୟିତ୍ରୀମାନେ ଅବସ୍ଥାପିତ ରହୁଥିବା, ଏପରିକି ଗୋଟିଏ ଗୋଟିଏ ସ୍କୁଲ୍ ରେ ୧୦/୧୫ ବର୍ଷକାଳ ରହିଥିବାର ପ୍ରମାଣ ରହିଛି। ଯଦିବା ବଦଳି ହେଉଛି, ଏଠୁ ସେଠିକି କରି ସେଟିଂ କରାଯାଉଛି। ଏଥିଯୋଗୁଁ ଏହି ବଲାଙ୍ଗୀର, ସୁବର୍ଣ୍ଣପୁର ବା ବରଗଡ ଜିଲ୍ଲାର କେତେକ ଆବାସିକ ସ୍କୁଲ୍ ରେ ଶିକ୍ଷକ/ ଅଧ୍ୟାପିକାଙ୍କ ମଧ୍ୟରେ ଅବୈଧ ସମ୍ପର୍କ, ଛାତ୍ରହତ୍ୟା, ଛାତ୍ରୀ ଦୁଷ୍କର୍ମ, ନାବାଳିକା ଗର୍ଭଧାରଣ ପରି ଗୁରୁତର ଅପରାଧ ଓ ଅପ୍ରିୟ ଘଟଣାମାନ ମଧ୍ୟ ଘଟୁଛି। ସବୁଠାରୁ ବଡ ଦୁର୍ନୀତି ହେଉଛି, ପିଲାମାନଙ୍କ ମେସ୍ ରୁ ନିୟମିତ ବାଟମାରଣା। ଯାହାକୁ ଉପରିସ୍ଥ କର୍ତ୍ତୃପକ୍ଷ ଓ ଅଡିଟ ରିପୋର୍ଟରେ ଚପାଇ ଦିଆଯାଇ ଆସୁଛି।
ଏ ସମ୍ପର୍କରେ ବଲାଙ୍ଗୀର ଡି ଡବ୍ଲୁଓ ପ୍ରତାପ ଚନ୍ଦ୍ର ମହାନ୍ତି, ସୁବର୍ଣ୍ଣପୁର ଡିଡବ୍ଲୁଓ ଅଚ୍ୟୁତାନନ୍ଦ ସିଂ ବା ଏଡିଡବ୍ଲୁଓ ସଂଯୁକ୍ତା ମାଝି ଓ ବରଗଡ ଡି ଡବ୍ଲୁଓ ମଳୟ କୁମାର ଶତପଥୀଙ୍କୁ ପଚାରିଲେ, ସେମାନେ ବେଖାତିର ମନୋଭାବ ଦେଖାଉଛନ୍ତି ଓ ଛାତ୍ରହତ୍ୟା (ସୁବର୍ଣ୍ଣପୁର- ଚାରଭଟା), ଛାତ୍ରୀ ଆତ୍ମହତ୍ୟା (ବରଗଡ-ସାପଲହର ) ବା ଅବୈଧ ଛାତ୍ରୀ ଗର୍ଭଧାରଣ (ବଲାଙ୍ଗୀର-ଚୂଡାପାଲି ) ଓ ହଷ୍ଟେଲରୁ ନିର୍ଯାତନା ସହି ନପାରି ଛାତ୍ର ପଳାଇବା(ବଲାଙ୍ଗୀର-ପାଟଣାଗଡ-ବରପଦର) ବା ଅନ୍ୟାନ୍ୟ ଗୁରୁତର ଅନିୟମିତତାର ଅଭିଯୋଗ ସତ୍ୱେ ସେମାନଙ୍କୁ ବଦଳି ବା ସେମାନଙ୍କ ବିରୋଧରେ କୌଣସିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଆଶ୍ଚର୍ଯ୍ୟଜନକ। ବର୍ଷ ବର୍ଷ ଧରି ଉଠୁଥିବା ଅନିୟମିତତାକୁ ପ୍ରଚୁର ଉତ୍କୋଚବଳରେ ଚପାଇ ଦିଆଯିବା ନିମନ୍ତେ ଏହାର ନିରାକରଣ ସମ୍ଭବ ହେଇପାରୁ ନ ଥିବା କୁହାଯାଉଛି। ଏହିସବୁ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ଏଥିରୁ ଅନ୍ୟାୟୋପାର୍ଜିତ ସମ୍ପତ୍ତି, ଗାଡିମଟର, ଜାଗାଜମି, କୋଠାବାଡି ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖିଲେ ଏହା ସ୍ବତଃ ଅନୁମାନ କରିହେଉଛି।