-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
26-Sep-2026
ଭୁବନେଶ୍ୱର, ୨୬/୯/୨୦୨୬(ତପନ ମହାନ୍ତି): ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଭୁବନେଶ୍ୱରସ୍ଥିତ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ରୋଡ୍ସ ଆଣ୍ଡ୍ ବିଲ୍ଡିଂ (ଆର୍ ଆଣ୍ଡ୍ ବି) ଡିଭିଜନ୍-୧ କାର୍ଯ୍ୟାଳୟର ଜଣେ ସେକ୍ସନ ଅଫିସର ଓ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରେ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ସରକାରୀ ଅର୍ଥ ହେରଫେର ହୋଇଥିବା ଜଣାପଡ଼ିଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଅଭିଯୁକ୍ତ ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ, କିଛି ଅଜଣା ସହଯୋଗୀଙ୍କ ସହ ମିଶି ଜାଲ୍ ମଞ୍ଜୁରୀ ଆଦେଶ ଓ ବିଲ୍ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ଅସ୍ଥାୟୀ ଗ୍ରାଚୁଇଟି, ଅବ୍ୟବହୃତ ଛୁଟି ଦରମା ଏବଂ କାର୍ଯ୍ୟାଳୟର କଣ୍ଟିଜେନ୍ସି ଫଣ୍ଡ୍ ସମ୍ପର୍କିତ ଜାଲି ଦାବି ମାଧ୍ୟମରେ ଅର୍ଥ ହେରଫେର କରାଯାଇଥିବା ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଛି।
ଏହି ଜାଲି ବିଲ୍ଗୁଡ଼ିକୁ ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (IFMS) ମାଧ୍ୟମରେ ଅନଧିକୃତ ଭାବେ ପ୍ରକ୍ରିୟାକରଣ କରାଯାଇ ସରକାରୀ ଅର୍ଥକୁ ଅନ୍ୟତ୍ର ପଠାଯାଇଥିବା ଅଭିଯୋଗ ରହିଛି। ପ୍ରକୃତ ବିଲ୍ରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ବିବରଣୀ ବଦଳାଇ ତାହା ପରିବର୍ତ୍ତେ ସମ୍ପର୍କୀୟ, ପରିଚିତ ଓ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବ୍ୟବହାର କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ୪୮ ଜଣ ବ୍ୟକ୍ତିଙ୍କ ନାମରେ ଥିବା ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ହେରଫେର ଅର୍ଥ ପଠାଇବା ପାଇଁ ବ୍ୟବହାର କରାଯାଇଥିଲା। ଏହି ଆକାଉଣ୍ଟଗୁଡ଼ିକ ମଧ୍ୟରେ ବନଲତା ମହାନ୍ତିଙ୍କ ପୁଅ, ଡ୍ରାଇଭର ଓ ଅନ୍ୟ ସହଯୋଗୀଙ୍କ ଆକାଉଣ୍ଟ ଥିବାବେଳେ ବିଭୁଦତ୍ତ ନାୟକଙ୍କ ଭାଇ ଓ ସମ୍ପର୍କୀୟଙ୍କ ଆକାଉଣ୍ଟ ମଧ୍ୟ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ହେରଫେର ଅର୍ଥରୁ କିଛି ଟଙ୍କା ପ୍ରମୁଖ ଅଭିଯୁକ୍ତଙ୍କ ନିକଟକୁ ପୁଣି ପଠାଯାଇଥିବା ବେଳେ କିଛି ଟଙ୍କା ନଗଦ ଉଠାଇ ଦିଆଯାଇଥିବା ଅଭିଯୋଗ ରହିଛି। ଘଟଣା ଧରାପଡ଼ିବା ପରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ତଦନ୍ତ ଓ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୩.୯୬ କୋଟି ଟଙ୍କା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୧, ତାରିଖ ୨୫.୦୯.୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ସହିତ BNS, ୨୦୨୩ର ଧାରା ୩୧୬(୫)/୩୧୮(୪)/୩୩୬(୩)/୩୩୮/୩୪୦(୨)/୬୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।