-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
23-Sep-2026
(ନବରଙ୍ଗପୁର):(ପ୍ରିୟଦର୍ଶିନୀ ପାତ୍ର)
ଝରିଗାଁ ବ୍ଲକ୍ ଅନ୍ତର୍ଗତ ଡ଼ଙ୍ଗରୀଗୁଡ଼ା ପଞ୍ଚାୟତର ଦୁବିଆ ଗ୍ରାମରେ ଦୀର୍ଘ ପ୍ରାୟ ୭ ବର୍ଷ ଧରି ମଦ ବନ୍ଦ ରହିବା ଅଞ୍ଚଳରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। କରୋନା ମହାମାରୀ ସମୟରୁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁରେ ମଦ ପ୍ରସ୍ତୁତି, ବିକ୍ରି ଓ ସେବନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଗାଁରେ ମଦ ରାନ୍ଧିବା ଓ ବିକିବା ପରମ୍ପରା ବନ୍ଦ ରହିଥିବାରୁ ଦୁବିଆ ଗାଁ ଏବେ ଆଖପାଖ ଅଞ୍ଚଳରେ ଏକ ପ୍ରାଦର୍ଶିକ ମଦମୁକ୍ତ ଗାଁ ଭାବେ ବେଶ୍ ଚର୍ଚ୍ଚାରେ ରହିଛି।
ଗ୍ରାମବାସୀଙ୍କ ଏହି ନିଷ୍ପତ୍ତି କେବଳ ମଦ ବନ୍ଦ କରିବାରେ ସୀମିତ ନୁହେଁ, ବରଂ ଗାଁରେ ଶାନ୍ତି, ସୁସ୍ଥ ପରିବେଶ ଓ ସାମାଜିକ ଏକତା ବଜାୟ ରଖିବାର ଏକ ବଡ଼ ପ୍ରୟାସ ଭାବେ ଦେଖାଯାଉଛି। ମଦ୍ୟପାନ ଯୋଗୁଁ ପରିବାରରେ ଦେଖାଦେଉଥିବା ବିଭିନ୍ନ କଳହ ଓ ସମସ୍ୟାକୁ ରୋକିବା ସହ ଯୁବପିଢ଼ିକୁ ଏକ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା ଦିଗରେ ଏହି ସାମୂହିକ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଏହି ସାମାଜିକ ସୁଧାର ଅଭିଯାନକୁ ସଫଳ କରିବାରେ ଗ୍ରାମର ମହେନ୍ଦ୍ର ମାଝୀଙ୍କ ସମେତ କୈଳାଶ, କର୍ଣ୍ଣ, ଲମ୍ବୁଧର, ଜଗନ୍ନାଥ, ଗଣପତି, ଭୁବନ୍ତ, ଶିବ, ଧନୀରମ ଓ ଗୋପାଳ ପ୍ରମୁଖ ଗ୍ରାମବାସୀଙ୍କୁ ସଚେତନ କରିବା ଓ ଏକତା ବଜାୟ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ଏ ସମ୍ପର୍କରେ ଗ୍ରାମର ବାସିନ୍ଦା ମହେନ୍ଦ୍ର ମାଝୀ କହିଛନ୍ତି, "ଆମ ଗାଁରେ ପ୍ରାୟ ୭ ବର୍ଷ ହେଲା ମଦ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଗ୍ରାମବାସୀଙ୍କ ଦୃଢ଼ ଏକତା ଓ ସହଯୋଗ ଯୋଗୁଁ ଆଜି ପର୍ଯ୍ୟନ୍ତ ଆମେ ଏହି ନିଷ୍ପତ୍ତିକୁ ବଜାୟ ରଖିପାରିଛୁ। ଆମର ଇଚ୍ଛା ଆଗାମୀ ଦିନରେ ଆମ ଅଞ୍ଚଳର ପ୍ରତ୍ୟେକ ଗାଁ ମଦମୁକ୍ତ ହେଉ, ଯେଉଁଥିରେ ପରିବାରରେ ଶାନ୍ତି ରହିବ, ଯୁବପିଢ଼ି ସଠିକ୍ ରାସ୍ତାରେ ଆଗେଇବେ ଏବଂ ଆମ ସମାଜ ଆହୁରି ଶକ୍ତିଶାଳୀ ହେବ।"ଦୁବିଆ ଗ୍ରାମବାସୀଙ୍କ ଏହି ପ୍ରଶଂସନୀୟ ପଦକ୍ଷେପ ଆଜି ଅନ୍ୟ ଗାଁଗୁଡ଼ିକ ପାଇଁ ଏକ ସାମାଜିକ ପ୍ରେରଣାର ବିଷୟ ପାଲଟିଛି। ସଚେତନତା, ଏକତା ଓ ଦୀର୍ଘକାଳୀନ ସହଯୋଗ ମାଧ୍ୟମରେ କିଭଳି ଏକ ମଦମୁକ୍ତ ଓ ସୁସ୍ଥ ସମାଜ ଗଢ଼ାଯାଇପାରେ, ଦୁବିଆ ଗାଁ ତାହାର ଶ୍ରେଷ୍ଠ ଉଦାହରଣ ସାଜିଛି।