-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
16-Sep-2026
ନୂଆପଡ଼ା (ରାମନାଥ ପଣ୍ଡା )
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଶବ୍ଦଗତ ଦୃଷ୍ଟିରୁ ନୂଆ ଓ ଖାଇ ର ସଂଯୋଗରୁ ସୃଷ୍ଟି ନୂଆଖାଇ ଶବ୍ଦ,ବର୍ଷର ପ୍ରଥମ ଅମଳ ଶସ୍ୟକୁ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବାର ଏକ ନିଷ୍ଠାପର ପରମ୍ପରା ହେଉଛି ନୂଆଖାଇ, ବଡ଼ ମାନଙ୍କୁ ସମ୍ମାନ କରି ଆନ୍ତରିକ ପ୍ରଣାମ ଜଣାଇବା ଓ ଛୋଟ ମାନଙ୍କୁ ସ୍ନେହ ଆଦର କରିବା ଏବଂ ନୂଆଖାଇ ଭେଟଘାଟ ହେଉଛି ଅହଙ୍କାର ବର୍ଜନ ଓ ସମ୍ପର୍କର ପୁନରୁଦ୍ଧାର,ଲୋକ ମୁଖରେ ପ୍ରଚଳିତ ଶବ୍ଦରାଶି ଖଣ୍ଡକ ଜୀଇଁ ଜାଗିଥିଲେ ବରଷେ ଅର୍ଥାତ୍ ବଞ୍ଚିରହିଥିଲେ ପୁଣି ଥରେ ଆସନ୍ତା ବର୍ଷ ଭେଟଘାଟ ହେବା,ନୂଆଖାଇ ପର୍ବ କେବଳ ଦୀର୍ଘାୟୁ କାମନା ନୁହେଁ ବରଂ ଜୀବନର ଅନିଶ୍ଚିତତା ଭିତରେ ସୌହାର୍ଦ୍ଧ ଓ ଭାଇଚାରା ବଞ୍ଚାଇ ରଖିବାର ଏକ ଗଭୀର ମାନସିକ ଆଶ୍ୱାସନା ଯାହାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ତାରାପୁର ଗ୍ରାମର ବ୍ରହ୍ମ ସମାଜ ।ପ୍ରାୟ ୩ ବର୍ଷ ହୋଇଗଲାଣି ଏ ଗ୍ରାମର ବ୍ରାହ୍ମଣ ସମାଜର ଦୁଇ ଶହରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଏକାଠି ନୂଆଖାଇବା,ଯିଏ ଯେଉଁ କର୍ମକ୍ଷେତ୍ରରେ ଯେତେ ଦୁରେ ଥାଆନ୍ତୁ ନା କାହିଁକି ନିଜ ଗାଁ ମାଟିକୁ ଆସିଥାନ୍ତି ଖୁସିର ପର୍ବ ନୂଆଖାଇ ପାଳନ କରିବାକୁ ।
ଏ ଜନ୍ମ ମାଟି,ଏଇଠିର ପ୍ରାକୃତିକ ପରିବେଶ, ଜନ୍ମ ମାଟିର ଭାଇ ଚାରାର ଶ୍ରଦ୍ଧା ଆଉ ନିଷ୍ଠା,ନିଜ ବ୍ରହ୍ମ ସମାଜର ଆଦର୍ଶତା ସହିତ ଆୟୋଜକ କମିଟି ସଦସ୍ୟଙ୍କ ନିୟମିତ ପ୍ରୟାସ ସମସ୍ତଙ୍କୁ ଟାଣି ଆଣି ଏକତ୍ରିତ କରି ବାନ୍ଧି ପକାଏ ନୂଆଖାଇର ମହକରେ ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ନବାନ୍ନ ଭୋଗ ଲାଗିବା ପରେ କୁରେଇ ପତ୍ରରେ ନବାନ୍ନ ଗ୍ରହଣ କରି ପରେ ନୂଆଖାଇ ଜୁହାର ଆରମ୍ଭ ହୋଇଯାଏ ,ବଡ଼ ମାନଙ୍କୁ ସମ୍ମାନ ଜଣାଇ ଜୁହାର କରନ୍ତି ଓ ଛୋଟ ମାନଙ୍କୁ ସ୍ନେହ ଆଦରର ଆଶୀର୍ବାଦ ମିଳିଥାଏ ।ଏହି ପର୍ବରେ ନ ଥାଏ ରାଗ,ଅଭିମାନ ଆଉ ଅହଙ୍କାର ।ସ୍ୱଚ୍ଛ ମନ ସ୍ୱଚ୍ଛ ଭାବନାର ଏ ନିଆରା ନୂଆଖାଇ ପର୍ବ ଛୋଟରୁ ବଡ ସମସ୍ତଙ୍କୁ ଖୁସିର ବନ୍ଧନରେ ବାନ୍ଧି ଦିଏ।