-+91-9937148622 |
prerana_bgr@rediffmail.com |
Tuesday 3rd November 2026 |
R.N.I. Regd No. ODIODI/2010/46693
Breaking News
02-Nov-2026
ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଆସନ୍ତା ନଭେମ୍ବର ମାସ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଭୀମପାହାଡ ମହୋତ୍ସବ-୨୦୨୬ ପାଳିତ ହେବାକୁ ଯାଉଛି । ପ୍ରତିବର୍ଷ ଭଳି ଭୀମପାହାଡ ମହୋତ୍ସବ କମିଟି,ଗିରିଗୋବର୍ଦ୍ଧନ ପୂଜାକମିଟି ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଚଳିତବର୍ଷ ମଧ୍ୟ ଦୀର୍ଘ ୫ଦିନ ଧରି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ମହୋତ୍ସବ କମିଟି ପକ୍ଷରୁ ଏନେଇ ଆଜି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିବା ସହ ମହୋତ୍ସବ ବିଷୟରେ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଭୀମପାହାଡ ମହୋତ୍ସବ- ୨୦୨୬ ର ଲୋଗୋକୁ ଉନ୍ମୋଚନ କରିଛନ୍ତି । ଶ୍ରୀ ମେହେର ସୂଚନା ଦେଇଛନ୍ତି ଯେ, ଭୀମପାହାଡ ପର୍ଯ୍ୟଟନସ୍ଥଳୀର ପ୍ରଚାରପ୍ରସାର,ଐତିହ୍ୟ , ସଂସ୍କୃତି, ପରମ୍ପରାର ସୁରକ୍ଷା ତଥା ଅଞ୍ଚଳର ବିକାଶ ପାଇଁ ଏହି ମହୋତ୍ସବ ଆୟୋଜିତ ହୋଇ ଆସୁଛି । ଭୀମପାହାଡ ପର୍ଯ୍ୟଟନସ୍ଥଳୀ ପାଇଁ ପୂର୍ବସରକାର ୮କୋଟି ଟଙ୍କାର ଅନୁଦାନ ଦେଇ ଉନ୍ନୟନକାର୍ଯ୍ୟ କରାଇଛନ୍ତି । ଏବେ ବିଧାୟକ କଳିକେଶ ନାରାୟଣ ସିଂଦେଓ ଏହାର ପାରିପାଶ୍ୱିର୍କ ଉନ୍ନୟନ ପାଇଁ ୧୫ କୋଟି ଟଙ୍କାର ଅନୁଦାନ ପାଇଁ ସରକାରଙ୍କୁ ଚିଠି କରିଛନ୍ତି । ପ୍ରଥମଦିନ ନଭେମ୍ବର ୮ ତାରିଖରେ ଅଞ୍ଚଳର ମହିଳାଙ୍କ ଦ୍ୱାରା କଳସଶୋଭାଯାତ୍ରା ସହିତ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୨୪ପ୍ରହର ନାମଯଜ୍ଞ,ପ୍ରତ୍ୟହ କଂସଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବଲାଙ୍ଗୀର ଜିଲ୍ଲାର ୬ଟି ସାଂସ୍କୃତିକ ଦଳ ସହ ସଂସ୍କୃତିବିଭାଗ ଓ ଇଜେଡସିସି ପ୍ରାୟୋଜିତ ଦଳକୁ ମିଶାଇ ପ୍ରାୟ ୧୮ଟି ସାଂସ୍କୃତିକଦଳ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୧ ତାରିଖରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ମହୋତ୍ସବ ଅବସରରେ ବିଶିଷ୍ଟ କଣ୍ଠଶୀଲ୍ପୀ ଦୁଃଖିଶ୍ୟାମ ତ୍ରୀପାଠୀ, କଳାକାର ସୁରେନ୍ଦ୍ର ସାହୁ,କୋସଲୀଟେଲିଫିଲ୍ମ ନିର୍ମାତା ଯୁଗଲ ସାହୁ,ଜାତୀୟସ୍ତରରେ ଫେନ୍ସୀଂରେ ମେଡାଲ ପାଇଥିବା ଝାନ୍ସୀରାନୀ ସୁନା,ରୁକ୍ମଣୀ ସୁନା,ବିଜ୍ଞାନ ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିବା ଲକ୍ଷ୍ମୀପ୍ରିୟା ବାରିକ, ଦେଓଗାଁ ବିଡିଓ ତଥା କଳାକାର ପ୍ରିୟରଂଜନ କୁମାର, ସୋନପୁର ମହାଦେବପାଲିର ରଘୁନାଥ ଯୁବକସଂଘଙ୍କୁ ଭୀମପାହାଡ ସମ୍ମାନ ପ୍ରଦାନ କରାଯିବ । ମହୋତ୍ସବ ସମୟରେ ପ୍ରତ୍ୟହ ଯୋଗଶୀବିର ଅନୁଷ୍ଠିତ ହେବ । ଠିକ ସେହିପରି ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଭୀମପାହାଡ ମହୋତ୍ସବ କମିଟିର କମିଟିର ଅଧ୍ୟକ୍ଷ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ସଭାପତି ପ୍ରମୋଦକୁମାର ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ,ଉପଦେଷ୍ଟା ଶୈଳେନ୍ଦ୍ର ସାହୁ,ମକୁନ୍ଦପୁର ସରପଞ୍ଚ ଜାନକି ସାହୁ,ଦୟା ମହାକୁର,ରାଜେଶ ନାଏକ, ନନ୍ଦିକିଶୋର ନାଏକ,ପଙ୍କଜ ବଗର୍ତ୍ତି,ପିତବାସ ବିଶି,ଜଗତ କୁଅଁର,ଜୟଚନ୍ଦ୍ର ନାଏକ,ଜତନ ବାରିକ, ଯୁବରାଜ ସାହୁ,ଝସକେତନ ଜାନୀ,ନୀଗମ ନାଥ,ସୁବଲ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।