-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
01-Nov-2026
ଟିଟିଲାଗଡ(ପ୍ରେରଣା ଖବର)- ସ୍କୁଲ୍ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (SGFI) ପକ୍ଷରୁ ଆୟୋଜିତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ରଗବି ଦଳ ତରଫରୁ ପ୍ରତିନିଧିତ୍ବ କରିଛନ୍ତି ଟିଟିଲାଗଡ ନିକଟସ୍ଥ ଚିଙ୍ଗେରମୁଣ୍ଡା ଗ୍ରାମର ଡିଏଭି ହାଇଅର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଖିଲି ପାତ୍ର। ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ୭୦ତମ ନ୍ୟାସନାଲ୍ ସ୍କୁଲ୍ ଗେମ୍ସ ୨୦୨୬-୨୭ରେ ଓଡ଼ିଶାର କ୍ରୀଡ଼ା ପ୍ରତିଭା ଦେଖିବାକୁ ମିଳିଛି। ଅକ୍ଟୋବର ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ଅଣ୍ଡର-୧୭ ବାଳିକା ରଗ୍ବୀ ଚାମ୍ପିଅନସିପ୍ରେ ଓଡ଼ିଶା ଦଳ ତରଫରୁ ଭାଗ ନେଇ ଥିଲେ ପ୍ରତିଭାବାନ ଖେଳାଳି ଖିଲି ପାତ୍ର।
ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଖିଲି ହେଉଛନ୍ତି ଶ୍ରୀଯୁକ୍ତ ଦେବରାଜ ପାତ୍ରଙ୍କ ସୁପୁତ୍ରୀ। ଜାତୀୟ ସ୍ତରର ଏହି ରଗ୍ବୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସ୍କୁଲ୍ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ତାଙ୍କର ଏହି କୃତିତ୍ବ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଶନିବାର ସକାଳେ ଟିଟିଲାଗଡ ରେଳ ଷ୍ଟେସନରେ ପହଞ୍ଚିବା ପରେ ଖିଲି ପାତ୍ରଙ୍କୁ ମହୁଲପଡ଼ାର ଶାରୀରିକ ଶିକ୍ଷକ ତଥା ଟିଟିଲାଗଡ ଓଷ୍ଟା ଶିକ୍ଷକ ସଂଘର ସଭାପତି ପିତବାସ ପୁଟେଲ୍, ଘୋଡ଼ାରର ମକରଧ୍ବଜ ରଣା, ବାଞ୍ଝିପଦର ଆର୍ତ୍ତତ୍ରାଣ ବଗର୍ତ୍ତି, ହିନ୍ଦି ହାଇସ୍କୁଲର ଖେଳ ଶିକ୍ଷକ ମନୋରଞ୍ଜନ ନାଏକ, ଡିଏଭି ମହାବିଦ୍ୟାଳୟର ଖେଳ ଶିକ୍ଷକ ବୈଷ୍ଣବ କବାଟ ଫୁଟବଲ ଖେଳାଳି ଜ୍ୟୋତି ବାଗ, ଶାଗର ରତେଇ, କୁନା ବାରିକ, ଭୁବେନେଶ୍ୱର୍ ପାତ୍ର, ମନୀଷ ମଛଖଣ୍ଡ, ଅଜୟ ସରାଫ ଓ ଅନ୍ୟ ଜନ ସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।